ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ରାଜା ମର୍ଦ୍ଦରାଜ ଆଦର୍ଶ

JAYADEV-BHAWAN--RAJA-RAMACHANDRA-MARDHARAJ--DEO-NKN-RAJYA-STARIYA-JAYANTI-KU-MUKHYAMANTRI-NAVEEN-PATNAIK-UDGHATAN-KARUCHANTI--(1)

ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ଭୁବନେଶ୍ୱର,(ବୁ୍ୟରୋ): ବିଂଶ ଶତାବ୍ଦୀର ଆରମ୍ଭରେ ଯେଉଁ କେତେଜଣ ପ୍ରଗତିଶୀଳ ନେତା ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ଭାଷା ପାଇଁ କାର୍ଯ୍ୟ କରିଥିଲେ, ସେମାନଙ୍କ ମଧ୍ୟରେ ଖଲ୍ଲିକୋଟ ରାଜା ରାମଜନ୍ଦ୍ର ମର୍ଦ୍ଦରାଜ ଥିଲେ ଜଣେ ଅଗ୍ରଣୀ ଜନନାୟକ । ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ସେ ଆଦର୍ଶ ଥିଲେ । ରମ୍ଭା ରାଜପ୍ରସାଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ପଡ଼ିଥିଲା । ସେଠାରେ ଓଡ଼ିଶାର ବରପୁତ୍ରମାନେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନେକ ବୈଠକରେ ମିଳିତ ହେଉଥିଲେ । ରାଜା ରାମଚନ୍ଦ୍ର ଫିଲିପ୍ ଡଫ୍ କମିଟିକୁ ରାଜି କରାଇବା ଓ ତୃତୀୟ ଗୋଲ୍ ଟେବଲ୍ ବୈଠକରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଦୃଢ଼ଯୁକ୍ତି ଉପସ୍ଥାପନ କରିବା ହେତୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାସ୍ତା ଖୋଲିଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟାରେ ଜୟଦେବ ଭବନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଖଲ୍ଲିକୋଟ ରାଜା ଭାବେ ରାମଚନ୍ଦ୍ର ଗଞ୍ଜାମ ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ । ସଡ଼କ ଓ ସେତୁ ନିର୍ମାଣଠାରୁ ଆରମ୍ଭ କରି ନାରୀ ଶିକ୍ଷାର ବିକାଶ ପାଇଁ ସେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ସେ ଗରିବ ଲୋକଙ୍କୁ ଯଥେଷ୍ଟ ସାହାଯ୍ୟ କରୁଥିଲେ । ସେଥିପାଇଁ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ସ୍ମରଣୀୟ ବୋଲି ମର୍ଦ୍ଦରାଜଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ । ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଶୈକ୍ଷିକ କ୍ଷେତ୍ରରେ ଖଲ୍ଲିକୋଟ ରାଜ ପରିବାରର ଅବଦାନ ଅବିସ୍ମରଣୀୟ ବୋଲି ଦର୍ଶାଇ ରାଜା ରାମଚନ୍ଦ୍ର ପ୍ରଜାବତ୍ସଳ, ପରୋପକାରୀ ଥିଲେ ବୋଲି ଉଲ୍ଲେଖ କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ରାଜା ରାମଚନ୍ଦ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜ ପିତାଙ୍କ ସ୍ୱପ୍ନକୁ ସଫଳ କରିଥିଲେ ଓ ଜଣେ ଦକ୍ଷ ତଥା ଲୋକପ୍ରିୟ ଜନପ୍ରତିନିଧି ଭାବରେ ସୁନାମ ଅର୍ଜନ କରିଥିଲେ ବୋଲି କହିଥିଲେ । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ମର୍ଦ୍ଦରାଜଙ୍କୁ ଉତ୍ତମ ଶାସକ ଓ ଲୋକପ୍ରିୟ ସମାଜସେବକ ଭାବେ ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ବିଧାୟକ ଦେବାରାଜ ମହାନ୍ତି ବକ୍ତବ୍ୟ ରଖି ରାଜାଙ୍କ କୃତି ଓ କୀର୍ତ୍ତି ଉପରେ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଭାଗୀୟ ନିଦେ୍ର୍ଦଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ଦେଇ ଏପରି ଜୟନ୍ତୀ ପାଳନର ଉଦେ୍ଦଶ୍ୟ ଜଣାଇଥିଲେ । ଶେଷରେ ପୂଜ୍ୟପୂଜା ସଂସଦର ସଭାପତି ଡ. ଶିଶିର କୁମାର ଦାଶ ଧନ୍ୟବାଦ ଦେଇଥିଲେ । ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରେ ଗଞ୍ଜାମର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟସଂସ୍ଥା ପକ୍ଷରୁ ସଖୀ ନାଚ ଓ ଧୁଡ଼ୁକି ନାଚ ପରିବେଷଣ କରାଯାଇଥିଲା । ଅପରାହ୍ଣରେ ରାଜା ମର୍ଦ୍ଦରାଜଙ୍କ ଜୀବନୀ ଓ କୃତୀତ୍ୱ ଉପରେ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ସାହିତ୍ୟ ସଂସଦ ସଭାପତି ଡ. ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅଧ୍ୟାପକ ଡ. ସୁଜିତ୍ କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଶାସକ ମଦନମୋହନ ପଣ୍ଡା, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ସଭାପତି ବିନୋଦ ଚନ୍ଦ୍ର ପାଢ଼ୀ, ପ୍ରଫେସର ଶରତ ଚନ୍ଦ୍ର ମହାପାତ୍ର, ଗାନ୍ଧୀ ଚୌଧୁରୀ ଓ ବି ସୀତାରାମ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ସମ୍ପାଦକ ମହେଶ୍ୱର ବରାଡ଼ ମଧ୍ୟ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ବେଦବିତ୍ ବିଦ୍ୱାନ ଇଂ. ପ୍ରିୟବ୍ରତ ଦାଶଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।