brahmagiri

ଚିଲିକା ଓଡ଼ିଶାର ଅମୂଲ୍ୟ ସମ୍ପଦ: ପର୍ଯ୍ୟଟନ ମନ୍ତ୍ରୀ

36

ବ୍ରହ୍ମଗିରି (ଆପ୍ର): ସାତପଡ଼ା ଚିଲିକା କୂଳରେ ଅନୁଷ୍ଠିତ ଚିଲିକା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶନିବାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ଣରୁ ସାହିଜାତ, ବନାଟି ଓ ପାଇକ ଆଖଡ଼ାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଜ୍ଜି ରହିଥିଲେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମହୋତ୍ସବକୁ ଉଦ୍‌ଘାଟନ କରି କହିଥିଲେ ଯେ, ଚିଲିକା ଓଡ଼ିଶାର ଅମୂଲ୍ୟ ସମ୍ପଦ । ଚିଲିକାର ଅପୂର୍ବ ସୌନ୍ଦର୍ଯ୍ୟରାଶିକୁ ଆଜି ଚିଲିକା ଉତ୍ସବ ସମଗ୍ର ଦେଶରେ ପରିଚିତ କରିପାରିଛି । ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଚିଲିକା ମହୋତ୍ସବ ତାଙ୍କର ଚିଲିକା ପ୍ରତି ଥିବା ମମତାକୁ ପ୍ରମାଣ କରିଛି ବୋଲି ସେ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନବୀନ ସରକାରଙ୍କ ଅମଳରେ ଚିଲିକାକୁ ଏକ ଜାତୀୟସ୍ତରର ପର୍ଯ୍ୟଟନସ୍ଥଳୀ କରିବାପାଇଁ ସେ ଉଦ୍ୟମ ଜାରି ରଖିଥିଲେ ତାହା ଏବେ ସମ୍ଭବ ହୋଇପାରିଛି । ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଠ କରିବାପାଇଁ ପୁରୀଠାରୁ ସାତପଡା ପର୍ଯ୍ୟନ୍ତ ଓ ପାଶ୍ୱର୍ବର୍ତ୍ତୀ ପର୍ଯ୍ୟଟନସ୍ଥଳୀଗୁଡିକ ଗମନା ଗମନର ପର୍ଯ୍ୟାପ୍ତ ସୁବିଧା କରାଯାଇଥିବା ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିଦେ୍ର୍ଦଶକ ଡଃ ଉଦ୍ଧବ ଚରଣ ମାଝି, ଜିଲ୍ଲାପରିଷଦ ସଭ୍ୟ କୌଳାସ ପରିଡ଼ା, ପ୍ରଭାତୀ ପ୍ରଧାନ ଓ ବନ୍ଦନା ପ୍ରଧାନ ଓ କୃଷ୍ଣପ୍ରସାଦ ବ୍ଲକ ଉପାଧ୍ୟକ୍ଷା ପ୍ରଫୁଲ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଉତ୍ସବରେ ବିଜୁ ଜନତା ଦଳ ବ୍ଲକ୍ ସଭାପତି ବିଦ୍ୟାଧର ସ୍ୱାଇଁ ଓ ଯୁବନେତା ଫାଇଗୁନୀ ଜାଲି ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ । ଉତ୍ସବରେ ପର୍ଯ୍ୟଟନ ବିଭାଗ, ଓରମାସ, କୃଷିବିଭାଗ, ସର୍ବଶିକ୍ଷା ଅଭିଯାନ, ଚିଲିକା ଉନ୍ନୟନ ପରିଷଦ ପକ୍ଷରୁ ଖୋଲା ଯାଇଥିବା ଷ୍ଟଲ ସହ ଅନ୍ୟାନ୍ୟ ହସ୍ତଶିଳ୍ପର ପସରା ଜମିଥିଲା । ଉତ୍ସବସ୍ଥଳରେ ଖାଦ୍ୟ ବଜାର ଖୋଲିଥିବା ହୋଟେଲଗୁଡ଼କରେ ଚିଲିକା ମାଛ, କଙ୍କଡା, ଚିଙ୍ଗୁଡିରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ସନ୍ଧ୍ୟାରେ ଜଗତସିଂହପୁରର ଘଣ୍ଟପଟୁଆ, କଳାହାଣ୍ଡିର ସାଂସ୍କୁତିକ କାର୍ଯ୍ୟକ୍ରମ, ସୁଜିତ୍‌ ଡ୍ୟାନସ୍‌ ଗ୍ରୁପର ବିଭୁ, ରାଜସ୍ଥାନୀ ଓ ହୋଲି ନୃତ୍ୟ, ଚଳଚ୍ଚିତ୍ର ଅଭିନେତା ସ୍ୱରାଜ ଓ ଭୂମିକାଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରବଳ ଶୀତ ରାତି ସତ୍ତ୍ୱେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।




Powered by odothemes.com