ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲା ବିଜେଡି

46

ଭୁବନେଶ୍ୱର, ୧୩ା୧(ବୁ୍ୟରୋ): ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ଦେଖା ଗଲାଣି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନକୁ ବିଜେଡି ପକ୍ଷରୁ କଡା ସମାଲୋଚନା କରାଯାଇଛି । ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ବିଜେପି ଏବେ ଭାଙ୍ଗି ୧୦ ଭାଗ ହେଲାଣି । ସେମାନେ ବିଜେଡି କ’ଣ କହୁଛନ୍ତି । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେଡି ସରକାରକୁ କଟୂ ସମାଲୋଚନା କରି ଓଡିଶାରେ ସାମ୍ବିଧାନି ସଂକଟ ଦେଖାଦେଇଥିବା ବକ୍ତବ୍ୟକୁ ଦୋହରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କହିଛନ୍ତି ଯେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ କିଏ କ’ଣ କରିବ, ତାର ନୀତି ଓ ପରମ୍ପରା ରହିଛି । ଏହା ଓଡିଶା ପାଇଁ ଓ ଅନ୍ୟ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ନୁହେଁ । ମାତ୍ର ଓଡିଶାରେ ଏହାର ବିଲକ୍ଷଣ ଦେଖାଗଲାଣି । ଶାସକ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଧୀରେ ଧୀରେ ବାହାର ଆସୁଛି । ଲୋକମାନେ ଏ ସରକାରକୁ ପ୍ରତ୍ୟାଖ୍ୟାନ କରିବେ । ଆଗୁଆ ସାଧାରଣ ନିର୍ବାଚନ ନେଇ ସେ କହିଛନ୍ତି ଯେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେବା ଦ୍ୱାରା ବିକାଶ କାର୍ଯ୍ୟ ପ୍ରଭାବିତ ହେଉଛି । ଏ ସମ୍ବନ୍ଧରେ ବଡ ବିତର୍କ କରି ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକ ସଙ୍ଗରେ କରିବା ପାଇଁ ପ୍ରଧାନମନ୍ତ୍ରୀ ସହମତି ସୃଷ୍ଟି କରିବାକୁ ଚାହୁଁଛନ୍ତି । ଗୋଟିଏ ସମୟରେ ନିର୍ବାଚନ ହେଲେ ବିକାଶ ବାଧାପ୍ରାପ୍ତ ହେବାର ସମ୍ଭାବନା ନାହିଁ । ଓଡିଶା ଓ ଆନ୍ଧ୍ର ଆଦି ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେଉଛି । ସମ୍ପୂର୍ଣ୍ଣ ଦେଶରେ ଏକା ସମୟରେ କରାଗଲେ ଏହା ଶୁଭଙ୍କର ହେବ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବିଧାନବିତ୍ ନୁହନ୍ତି । କେଉଁଠି ସଂକଟ ହୋଇଛି ସେ କିଭଳି ଜାଣିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏକ ଶୃଙ୍ଖଳିତ ଦଳ । ବିଜୁ ଚିନ୍ତାଧାରାରେ ରାଜ୍ୟ ବିକାଶ ଦିଗରେ ସଂଗ୍ରାମ ଜାରି ରଖିଛି । ଆଗାମୀ ନିର୍ବାଚନରେ ପୁଣି ବିଜେଡି କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି । ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଚାଲି ଜାଣିଲେ ବାଟ ସୁନ୍ଦର । କହି ଜାଣିଲେ କଥା ସୁନ୍ଦର । ଧର୍ମେନ୍ଦ୍ର କହି ଜାଣିଛନ୍ତି ବୋଲି ଏଭଳି କହୁଛନ୍ତି । ୧୨୦+ ମିଶନରୁ ୧୦୦ କଟିଯିବ । ୧୦ ବିଧାୟକ ଅଛନ୍ତି, ଅତି ବେଶୀରେ ୨୦ ହେବେ ବୋଲି ସେ କହିଛନ୍ତି । ବିଜେଡି ମୁଖପାତ୍ର ଶସ୍ମିତ ପାତ୍ର କହିଛନ୍ତି ଯେ ବୈଜୟନ୍ତ ଧର୍ମେନ୍ଦ୍ରଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଉଭୟଙ୍କ ଉକ୍ତି ପ୍ରାୟ ସମାନ ରହିଛି । ଏହା ଶବ୍ଦର ମିଳନ ନା ହୃଦୟର ମିଳନ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ଏକ ଶୃଙ୍ଖଳିତ ଦଳ, ସମସ୍ତେ ଶୃଙ୍ଖଳିତଭାବେ କାର୍ଯ୍ୟ କରୁଛନ୍ତି । ଏଥିରେ ବିଜେପି ଆଶଙ୍କିତ କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିବା ସହ ଧର୍ମେନ୍ଦ୍ର ନିଜ ଘର କଥା ବୁଝନ୍ତୁ ବୋଲି କହିଛନ୍ତି ।




Powered by odothemes.com