Jalandhara

ଜଳନ୍ଧରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କଲା ପ୍ରଶାସନ

80

ପାହାଡ଼ କାଟି ରାସ୍ତା ନିର୍ମାଣ ଘଟଣା
ଫୁଲବାଣୀ (ବୁ୍ୟରୋ): ଫୁଲବାଣୀ ପଞ୍ଚାୟତ ସମିତି ଅନ୍ତର୍ଗତ ତୁଡ଼ିପାଜୁ ପଞ୍ଚାୟତର ଗୁମି ଗ୍ରାମର ଜଳନ୍ଧର ନାୟକଙ୍କ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବାସ୍ତବ ଚିତ୍ର ଅନୁଧ୍ୟାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଶ୍ରୀ ନାୟକଙ୍କ ବାସ ସ୍ଥାନ ଗୁମି ଗ୍ରାମ ଗସ୍ତ କରି ବ୍ୟକ୍ତିଗତ ଆଲୋଚନା କରିଛନ୍ତି । ଅନୁସନ୍ଧାନରୁ ଜଣାଯାଏ ଯେ, ଜଳନ୍ଧର ନାୟକଙ୍କ ବାସସ୍ଥାନ ଗୁମିିରୁ ତାଡ଼ପଙ୍ଗା ଦେଇ ଫୁଲବାଣୀ ସହରର ଦୂରତା ୧୫ କି.ମି. ଅଟେ । ଏଣୁ ଶ୍ରୀ ନାୟକ ଗୁମିିରୁ ଫୁଲବାଣୀ ସହର ପର୍ଯ୍ୟନ୍ତ ପାହାଡ଼ କାଟି ରାସ୍ତା ନିର୍ମାଣ କରୁନାହାନ୍ତି, ବରଂ ବାସଗୃହ ଠାରୁ ସୁଡ୍ରୁବାଲି(ବାରସିପଥର) ପର୍ଯ୍ୟନ୍ତ ୩ ରୁ ୪ କି.ମି.ର ଜଙ୍ଗଲିଆ ପାଦ ଚଲା ରାସ୍ତାକୁ ବ୍ୟକ୍ତିଗତ ଉଦ୍ୟମରେ ଉନ୍ନତିକରଣ କରୁଛନ୍ତି । ସୁଡ୍ରୁବାଲି(ବାରସିପଥର) ଠାରୁ ଫୁଲବାଣୀ ସହର ପର୍ଯ୍ୟନ୍ତ ରାସ୍ତା ରହିଛି । ଗୁମିରୁ ତାଡ଼ପଙ୍ଗା ଏବଂ ଗୁମିରୁ ସୁଡ୍ରୁବାଲି(ବାରସିପଥର) ଏକ ପାହାଡ଼ିଆ ଅଞ୍ଚଳ ଅଟେ । ଗୁମିରୁ ସୁଡ୍ରୁବାଲି(ବାରସିପଥର) ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କରିବାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ନିଜ ବାସସ୍ଥାନ ଗୁମିି ଠାରୁ ଫୁଲବାଣୀ ପର୍ଯ୍ୟନ୍ତ ଦୂରତା କମ୍ କରିବା । ଜଳନ୍ଧରଙ୍କର ଆନୁମାନିକ ୧୦ ଏକର ଚାଷ ଜମି ରହିଛି । ସରକାରଙ୍କ ତରଫରୁ ତାଙ୍କୁ ସବୁ ସୁବିଧା ମିଳିଛି । ଜଳନ୍ଧରଙ୍କ ଜ୍ୟେଷ୍ଠ ପୁତ୍ର ରଜତ ଫୁଲବାଣୀ ବ୍ଳକ୍ ଅନ୍ତର୍ଗତ ବଇଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ରହି ସପ୍ତମ ଶ୍ରେଣୀ ଏବଂ ମଧ୍ୟମ ପୁତ୍ର ଗଣେଷ ଓ କନିଷ୍ଠ ପୁତ୍ର ଶରତ ନିକଟସ୍ଥ ସାଈଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ରହି ଯଥାକ୍ରମେ ୯ମ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛନ୍ତି । ତାଙ୍କ ଜୀବନ ଜୀବିକାର ବିକାଶ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ତାଙ୍କ ଆବଶ୍ୟକତା ଅନୁଯାୟୀ ଛେଳି ଗୁହାଳ ନିର୍ମାଣ, ନିଜସ୍ୱ ଜମି ମରାମତି କାର୍ଯ୍ୟ ଓ କୂଅ ମରାମତି ଆଦି କାର୍ଯ୍ୟରେ ଶ୍ରୀ ନାୟକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।




Powered by odothemes.com