aska-medical

ରୋଗୀସେବା ବ୍ୟାହତ ଆଶଙ୍କା

25

ଭେଷଜ ବିଶେଷଜ୍ଞଙ୍କ ବଦଳିକୁ ବିରୋଧ
ଆସିକା (ଆପ୍ର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଦେ୍ର୍ଦଶକ୍ରମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଭେଷଜ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ସିନିୟର ରେଜିଡେଣ୍ଟ ରୂପେ ପଦୋନ୍ନତି ପାଇ ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ହସ୍ପିଟାଲ୍କୁ ଚାଲିଯିବା ପରେ ବର୍ତ୍ତମାନ ରୋଗୀ ସେବା ସଂପୂର୍ଣ୍ଣ ରୂପେ ବ୍ୟାହତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଗତ ୨୦୧୭ ମସିହା ଅକ୍ଟୋବର ମାସ ୯ ତାରିଖ ଠାରୁ ସେ ଦୈନିକ ଶହ ଶହ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ସ୍ଥାନରେ ଅନ୍ୟ କୌଣସି ଅଭିଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନଥିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନ ହେଲା ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ସର୍ଜରୀ, ମୁଖ୍ୟ ଚିକିତ୍ସାଧିକାରୀ ଓ ଆସିଷ୍ଟାଣ୍ଟ ସର୍ଜନ ପଦବୀ ଖାଲି ପଡିଥିବା ବେଳେ ତାହାକୁ ପୂରଣ ନ କରି ବର୍ତ୍ତମାନର କାର୍ଯ୍ୟରତ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବା ପରେ ରୋଗୀସେବା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆସିକା ଏନ୍ଏସିର ୧୮ଟି ୱାର୍ଡ ସମେତ ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଶେରଗଡ ପ୍ରଭୃତି ଅଞ୍ଚଳର ପ୍ରାୟ ୪୦ ହଜାରରୁ ଊଦ୍ଧ୍ୱର୍ ଲୋକ ନିର୍ଭର କରୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି କରିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ଭରସା ଦିନକୁ ଦିନ ତୁଟିବାରେ ଲାଗିଛି । ଫଳରେ ୬୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ମାତ୍ର ୯/୧୦ ଟି ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଦୂରଦୂରାନ୍ତର ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବା ଆଶାରେ ଆସି ଭରଷାଶୂନ୍ୟ ହୋଇ ଘରୋଇ ଚିକିତ୍ସାଳୟ କିମ୍ବା ଗ୍ରାମାଞ୍ଚଳର କ୍ୱାକ୍ମାନଙ୍କ ଦ୍ୱାରା ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଉନଥିବା ବେଳେ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୋହନ ବାରିକ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ରୋଗୀସେବାରେ ସୁଧାର ଆଣିବା ଲାଗି ପ୍ରୟାସ ଜାରି ରଖିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗତ ଅକ୍ଟୋବର ମାସ ତୃତୀୟ ସପ୍ତାହରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଘୋଷଣା କରାଯାଇଥିଲେ ମଧ୍ୟ ଏହି ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ହଜାର ହଜାର ଜନତାଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।




Powered by odothemes.com