sompur-sub-kenal

ତଳମୁଣ୍ଡକୁ ପାଣି ଆସୁନି, ଉପରୁ ଢଳେଇ ଚାଲିଛି

29

ବାଲିକୁଦା(ଆପ୍ର): କେନାଲର ତଳମୁଣ୍ଡକୁ ପାଣି ଆସୁନି । ଏହାକୁ ଖୋଳି ଗଭୀର କରିବା ପରିବର୍ତ୍ତେ ଉପର ମୁଣ୍ଡରୁ ଚାଲିଛି ଢଳେଇ କାମ । ବାଲିକୁଦା ବ୍ଲକ୍ ବୋରିକିନାରୁ ତିତିରାକୁ ଯାଇଥିବା ୧୫ନଂ(କ) କେନାଲ ସୁମଡ଼ା ମଠସାହି ଓ ସୋମପୁରକୁ ଯାଇଥିବା ସବ୍ ମାଇନର୍ କେନାଲରେ ତିତିରା ମହିଦଣ୍ଡା କଲଭର୍ଟ ନିକଟରେ ଓ ବାରବାଟିଆ ଛକ ଠାରୁ ସୁମଡ଼ା ମଠସାହିକୁ ଯାଇଥିବା ସବ୍ ମାଇନର କେନାଲ୍ର ୧୦୦ ମିଟର ପର୍ଯ୍ୟନ୍ତ ତଳ ଢଳେଇ ଓ ଦୁଇ ପାଖ କାନ୍ଥ ଉଠା କାମ ଚାଲିଛି । ପ୍ରତିବର୍ଷ ଚାଷ କାର୍ଯ୍ୟ ନିମନ୍ତେ କେନାଲ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ତଳମୁଣ୍ଡକୁ ପାଣି ନଆସିବା ସମ୍ବେଦନଶୀଳ ବିଷୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେନାଲ ହେଲା ଦିନ ଠାରୁ ସବ୍ ମାଇନର୍ କେନାଲ୍ରେ ଚାଷ ଜମିକୁ ପାଣି ଆଦୌ ଯାଉନଥିବା ନଜିର ରହିଛି । ମୁଖ୍ୟ କେନାଲ୍ରେ ପାଣି ଆସିଲେ ବାରବାଟିଆ ସୁମଡ଼ା ପର୍ଯ୍ୟନ୍ତ ପାଣି ପହଞ୍ଚେ ନାହିଁ କି ସୋମପୁରକୁ ଏହି କେନାଲରେ ଆଦୌ ପାଣି ଯାଏ ନାହିଁ । ବର୍ତମାନ ଢଲେଇ ଚାଲିଥିବା ମଠସାହି ସବମାଇନର୍ କେନାଲ ମଠସାହି ପର୍ଯ୍ୟନ୍ତ ସଠିକ୍ ଭାବେ ଖୋଳାଯାଇନାହିଁ । କିନ୍ତୁ ସରକାରୀ ଖାତାରେ କେନାଲ ଅଛି ବୋଲି ଦର୍ଶାଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଚାଲିଛନ୍ତି ସରକାରୀବାବୁମାନେ । ମାଛଗାଁ କେନାଲର ତଳମୁଣ୍ଡରେ ଥିବା ଏହି ବୋରିକିନା ମୁଖ୍ୟ କେନାଲ ଓ ଶାଖା କେନାଲ ଗୁଡିକରେ ଆବଶ୍ୟକତା ସମୟରେ କେନାଲ ପାଣି ଆସୁନଥିବାରୁ ତିତିରା ବୋରିକିନା ପଞ୍ଚାୟତର ରୁଆଁ ଓ ବେଉଷଣ କାର୍ଯ୍ୟରେ ଚାଷୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ପାଣି ପଞ୍ଚାୟତ ଗଠିତ ହୋଇଥିଲେ ମଧ୍ୟ ସେମାନେ ଏ ଦିଗରେ ଦୃଷ୍ଟି ନଦେବା ଚାଷୀ ମାନଙ୍କୁ ଉପହାସ କରୁଛି । ବୋରିକିନା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଅନିଲ କୁମାର ରାଉତ ରାୟଙ୍କର ମତାମତ ନେବାରେ ସେ କୁହନ୍ତି ଏଥିରେ ଆମର କିଛି କହିବାର ନାହିଁ । ଏଡିବିରୁ ଟଙ୍କା ଆସିଛି, କାମ ଚାଲିଛି । ଆଗ ଢଳେଇ କାମ ସାରିଲେ ଶେଷ ମୁଣ୍ଡକୁ ପାଣି ଯିବା ପାଇଁ ଜୁନ୍ ମାସ ସୁଧା ସବୁ କେନାଲ ଖୋଳା ସରିବ ବୋଲି ସଫେଇ ଦେଇଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଦି ଏ ଦିଗରେ ତୁରନ୍ତ ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ ଚାଷୀ ଆନେ୍ଦାଳନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।




Powered by odothemes.com