SECRETERIAT--Chief-Minister-Shri-Naveen-Patnaik-with-His-Excellency-Mr

ଜାପାନୀ ପୁଞ୍ଜିବିନିଯୋଗ ଲାଗି ପ୍ରସ୍ତାବ

18

ମୁଖ୍ୟମନ୍ତ୍ରୀ-ଜାପାନ ରାଷ୍ଟ୍ରଦୂତ ଆଲୋଚନା
ଭୁବନେଶ୍ୱର (ବୁ୍ୟରୋ): ଜାପାନ ରାଷ୍ଟ୍ରଦୂତ କେଞ୍ଜି ହିରାମାସୁ ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ପ୍ରସାର ଓ ପୁଞ୍ଜି ବିନିଯୋଗ ପାଇଁ ଥିବା ଅନୁକୂଳ ପରିବେଶ ସମ୍ପର୍କରେ ଶ୍ରୀ ହିରାମାସୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ଅକ୍ଟୋବରରେ ଜାପାନ ଗସ୍ତରେ ଯାଇଥିବା ଓଡ଼ିଶାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ସଫଳ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଧିକ ଜାପାନୀ ପୁଞ୍ଜି ବିନିଯୋଗ ପାଇଁ ପ୍ରସ୍ତାବ ଦେଇଥିଲେ । ଖାଦ୍ୟ ପ୍ରକି୍ରୟାକରଣ, ଇସ୍ପାତ, ପେଟ୍ରୋ କେମିକାଲ୍ସ୍, ଇସ୍ପାତ, ଷ୍ଟେନ୍ଲେସ୍ ଷ୍ଟିଲ୍, ମୋଟର ଶିଳ୍ପ ଓ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି । ତେଣୁ ଆଗାମୀ ନଭେମ୍ବର ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୧୮ରେ ଜାପାନକୁ ସହଯୋଗୀ ରାଷ୍ଟ୍ର ଭାବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।  ଓଡ଼ିଶାରେ ବ୍ୟବସାୟ ଅନୁକୂଳ ପରିବେଶର ହିରାମାସୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଜାପାନ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ସହିତ ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରାଯିବ ବୋଲି କହିଥିଲେ । ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ଜାପାନ ପ୍ରତିନିଧିମାନେ ଯୋଗ ଦେଇଥିଲେ ।




Powered by odothemes.com