BIKRI-HEUTHIBA-TUSU-MURTI

ମୟୂରଭଞ୍ଜର ଅନନ୍ୟ ପରମ୍ପରା ‘ଟୁସୁ’

278

ବଡ଼ସାହି (ବି. ଶଙ୍କର ମିଶ୍ର): ମୟୂରଭଞ୍ଜର ମକରପର୍ବ ପାଇଁ ସମସ୍ତ ହାଟବଜାର ଏବେ ରଙ୍ଗୀନ ବେଶରେ ସଜେଇ ହେଲାଣି । ହାଟଗୁଡିକ ରଙ୍ଗବେରଙ୍ଗ ଶାଢୀ ଓ ଡ୍ରେସ୍ରେ ନୂଆଢଙ୍ଗରେ ରୂପ ବଦଳାଇ ଗ୍ରାହକଙ୍କୁ ଆକୃଷ୍ଟ କଲାଣି । ମକରପର୍ବ ପାଇଁ ବଡ ବଡ ଲୁଗା ଦୋକାନୀ ମାନଙ୍କର ଅଫର୍ ପ୍ରଚାର ଗାଡ଼ିି ଗାଁଗହଳିରେ ଡାକ ଛାଡ଼ିଲାଣି । ମାଦଳବାଜା ଠିକ୍ ଅଛି କି ନାହିଁ ବୋଲି ଗାଁ ଗାଁରେ ପରଖା ଗଲାଣି । ଚିନି, ଗୁଡ଼, ଖସା ଓ ଚାଉଳଚୂନାରେ ପ୍ରସ୍ତୁତ ତିଳଉ, ଆଖୁ, କନ୍ଦମୂ ଳ, ଚିନିଆଳୁ, ଫଳ ଦୋକାନ ଇତ୍ୟାଦିର ଦାମ୍ ଅନ୍ୟଦିନ ତୁଳନାରେ ଅଧିକ ଥିଲେ ବି ଗ୍ରାହକଙ୍କ ଲମ୍ବାଧାଡ଼ି ମକରପର୍ବକୁ ସୂଚାଇ ଦେଉଛି । ତେବେ ଏକ ଅନନ୍ୟ ପରମ୍ପରା ଭାବେ ଆକର୍ଷଣ କରେ ‘ଟୁସୁ ମୂର୍ତ୍ତି’ ଓ ମାଦଳର ତାଳେ ତାଳେ ଗାଁ ଗହଳିରେ ଛୁଟୁଥିବା ଟୁସୁଗୀତ । କାଁ ଭାଁ ସ୍ଥାନରୁ ଢିଙ୍କି ଦ୍ୱାରା ଚାଉଳରୁ ଚୂନା, ଚୁଡ଼ା ପ୍ରସ୍ତୁତିର ଶବ୍ଦ ଶୁଭିଲାଣି । ପୌଷ ଓ ମାଘ ମାସର ମଧ୍ୟବର୍ତ୍ତୀ ଦିନରେ ପଡୁଥିବା ମକର ସଂକ୍ରାନ୍ତି ଦିନରୁ ମୟୂରଭଞ୍ଜର କୁଡୁମୀ ଲୋକ ଧୂମ୍ଧାମରେ ପାଳୁଥିବା ପର୍ବ ‘ମକର ପର୍ବ’ ଭାବେ ଖ୍ୟାତି ଅର୍ଜନ କରିଛି । ସଂକ୍ରାନ୍ତି ଦିନ ବଡିଭୋର୍ରୁ କୁଡୁମୀ ସମ୍ପ୍ରଦାୟ ଲୋକେ ନିକଟସ୍ଥ ନଦୀ ବା ପୋଖରୀରେ ବୁଡ ପକାନ୍ତି । ପ୍ରଥାନୁକ୍ରମେ ନଦୀ ପଠା ବା ପୋଖରୀ ହୁଡାରେ ପୂର୍ବରୁ ଡାଳପତ୍ର ଓ କୁଟାରେ ନିର୍ମିତ ହୋଇଥିବା ପଲାରେ ନିଆଁ ଜାଳି ଥଣ୍ଡା ଦାଉରୁ ନିଜକୁ ରକ୍ଷା କରନ୍ତି । ଘରକୁ ଫେରି ପରିବାରର ସମସ୍ତ ଲୋକ ନୂଆଲୁଗା ପରିଧାନ କରି ‘ଟୁସୁ ଦେବୀ’ଙ୍କୁ ପୂଜା କରିଥାନ୍ତି । ଲୋକକଥା ଅନୁସାରେ “ଟୁସୁ” କୁଡ଼ମୀ ସମ୍ପ୍ରଦାୟର ଜଣେ ରାଜକୁମାରୀ । ବହୁ ବର୍ଷ ପୂର୍ବେ ରାଜକୁମାରୀ ଟୁସୁ ସଂକ୍ରାନ୍ତି ଦିନ ନିକଟରେ ଥିବା ଗ୍ରାମ ଗୁଡିକୁ ବୁଲି ବାହାରିଲେ । ରାସ୍ତାରେ କିଛି କୁଚିନ୍ତାଧାରୀ ଲୋକ ମନ୍ଦ ଉଦେ୍ଦଶ୍ୟ ନେଇ ତାଙ୍କୁ ପଛରେ ଗୋଡାଇବା ଯୋଗୁ ଟୁସୁ ନିଜକୁ ରକ୍ଷା କରିବାକୁ ଯାଇ ଆଦିବାସୀ ଗାଁକୁ ପଶିଗଲେ । ଆଦିବାସୀ ମାନେ ସେଦିନ ଜାହିରା ପୂଜା ପାଇଁ ଏକତ୍ରିତ ହୋଇଥିବା ସ୍ଥାନରେ ଟୁସୁ ଲୁଚିଗଲେ । ପଛରେ ଗୋଡାଇଥିବା ମନ୍ଦଲୋକେ ତାଙ୍କୁ ନପାଇ ସେସ୍ଥାନରୁ ଫେରିଗଲେ । ଟୁସୁ ନିଜକୁ ସୁରକ୍ଷିତ ନମଣି, ସମାଜରେ କଳଙ୍କିତ ନହେବା ପାଇଁ ନିକଟସ୍ଥ ନଦୀରେ ଝାସ ଦେଇଥିଲେ । ତାଙ୍କ ସ୍ମୃତି ଉଦେ୍ଦଶ୍ୟରେ ସେଦିନ ଠାରୁ ସଂକ୍ରାନ୍ତି ଦିନ ତାଙ୍କୁ ପୂଜାର୍ଚ୍ଚନା କରିବାର ବିଧି ପାଳନ ହୋଇଆସୁଛି । କେତେକ ରୋଗ ବ୍ୟାଧିରୁ ରକ୍ଷା ପାଇବା ପାଇଁ ଟୁସୁ ଦେବୀଙ୍କୁ ପୂଜା କରାଯାଏ ବୋଲି ମଧ୍ୟ ମତ ଦିଅନ୍ତି । ପୂଜା ସରିବା ପରେ ଟୁସୁ ଦେବୀଙ୍କୁ ସ୍ତ୍ରୀ ଲୋକମାନେ ହଳଦୀ ଲଗାଇ ପାରମ୍ପରିକ ମାଦଳବାଜା ସହ ଗୀତ ଗାଇ ଗାଁ ଦାଣ୍ଡ ବୁଲାନ୍ତି ଓ ପାଣିରେ ବିସର୍ଜନ କରନ୍ତି । ଆଜିକାଲି ଟୁସୁ ମେଢ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହ ପୁରସ୍କାର ବିତରଣ ଉସôବ ବହୁ ସ୍ଥାନରେ ଅନୁଷ୍ଠିତ ହେଉଛି । ମୂର୍ତ୍ତିର ଦାମ୍ ୨୦୦ରୁ ଆରମ୍ଭ ହୋଇ ୧ହଜାର ପର୍ଯ୍ୟନ୍ତ ଯାଏ । ତାଳପଦାର କାରିଗର ଜଳଧର ନାଥ ଓ ଦିଲ୍ଲୀପ ବେହେରା ପ୍ରକାଶ କରି କହନ୍ତି ମୂର୍ତ୍ତି ଗଢିବାରେ ପରିଶ୍ରମାନୁସାରେ ବିଗତବର୍ଷମାନଙ୍କ ଭଳି ଫାଇଦା ମିଳୁନାହିଁ । ୪୦ବର୍ଷ ଧରି ଟୁସୁ ବନାଉଥିବା ଜଳଧର ଏବେ ଏହି ପରମ୍ପରାର ଟୁସୁ ମୂର୍ତ୍ତିବିକ୍ରିରେ ଅନେକ ତଫାତ୍ ଅନୁଭବ କରିଛନ୍ତି । ବ୍ଲକର ଛେଳିଆ, ଧାନପୋତା, ଶାମକୁଳା, ଖୁଂଟାପାଳ ଆଦି ଗ୍ରାମର କୁଡୁମୀ ମାନେ ପର୍ବକୁ ପାଳନ କରୁଥିବା ବେଳେ ବଡଯୋଡ ବଂଧ ଓ କଇଁଫୁଲିଆରେ ବଡ ମକରମେଳା ହୁଏ । ଏହି ମେଳାରେ ଟୁସୁ ପ୍ରତିଯୋଗିତା ବ୍ୟତୀତ ବିଭିନ୍ନ ଖେଳକୁଦ, ନାଚ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୁଏ । ଛେଳିଆ ଅନୁଷ୍ଠାନ ତରଫରୁ ୧୪ ଓ ୧୫ ତାରିଖ ଟୁସୁ ପ୍ରତିଯୋଗିତା ସହ ଝିଅପିଲାଙ୍କ ଦ୍ୱାରା ଝୁମରନାଚ ପରିବେଷଣ, ଖେଳକୁଦ ପ୍ରତିଯୋଗିତା ସହ ଝୁମର ମେଲୋଡିର ଆୟୋଜନ ରହିଛି ବୋଲି ସଭାପତି ସାଗର ମହାନ୍ତ ପ୍ରକାଶ କରିଛନ୍ତି ।
ଏହି ପର୍ବରେ ଘରେ ଘରେ ବନ୍ଧୁ ସମାଗମ ସହ ନୂଆଲୁଗା, ଆରିସା, କାକରା, ମଣ୍ଡା ଓ ମାଂସରେ ପ୍ରସ୍ତୁତ ପିଠା ପ୍ରଭୃତି ପରସା ହୁଏ । ତିଳଉ ବ୍ୟତୀତ ଚୂନା, କ୍ଷୀର, ଚିନିଆଳୁ, କନ୍ଦମୂଳ, ଆଖୁ ତଥା ଫଳ ମିଶାଇ ମକର ଚାଉଳ ପ୍ରସ୍ତୁତ କରି ଭୋଗ ଲଗାଯାଏ । ଚାଷୀଘରେ ଚାଷ ଉପକରଣକୁ ଧୁଆପୋଛା କରି ପୂଜାର୍ଚ୍ଚନା କରାଯାଏ । ଆଦିବାସୀମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି । ନଦୀରେ ବୁଡ ପକାଇ ତିଳତର୍ପଣ, ଚୂଳ ମଣ୍ଡନ, କଂସା ପିତଳ ଇତ୍ୟାଦି ଦାନ କରନ୍ତି । ‘ଦାମୋଦର’ ନାମିତ କାର୍ଯ୍ୟରେ ‘ହରିବୋଲ ହରି’ ନାମ ଧରି ନିକଟସ୍ଥ ନଦୀପଠାକୁ ଯାଇଥାନ୍ତି । ପର୍ବ ଉପଲକ୍ଷେ ପ୍ରଶାସନିକ କଟକଣା ସତ୍ତ୍ୱେ୍ୱ ବିଭିନ୍ନ ସ୍ଥାନରେ କୁକୁଡା ଲଢେଇ ଓ ଜୁଆଖେଳ ଚାଲେ, ଯାହାକି ମୟୂରଭଞ୍ଜର ଏକ ବହୁପୁରାତନ ପରମ୍ପରା । ସର୍ବାଧିକ କୁକୁଡା ଜିତିଥିବା ଲୋକକୁ ମେଳାରେ କମିଟି ତରଫରୁ ପୁରସ୍କୃତ କରାଯାଏ । ଗାଁ ଗହଳି ଓ ସହରରେ ଏହି ବଡପର୍ବ ପାଳନରେ ସମସ୍ତେ ମସଗୁଲ ରହୁୁଥିବାରୁ ସରକାରୀ ସ୍ତରରେ ପ୍ରାୟତଃ ଗୋଟିଏ ଦିନ ଅଧିକା ଛୁଟି ମିଳେ ।




Powered by odothemes.com