ଆଇନ ପରାମର୍ଶ ଲୋଡ଼ିଲେ ସରକାର

ଘାରିଲା କୋଟିଆ ଚିନ୍ତା
ଭୁବନେଶ୍ୱର, ୧୧ା୧(ବୁ୍ୟରୋ): ଆନ୍ଧ୍ର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆପୁଞ୍ଜକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିଛି । ଏହି ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକରେ ଆନ୍ଧ୍ର ପକ୍ଷରୁ ଅନୁପ୍ରବେଶ କରାଯାଇ ବିଭିନ୍ନ ଯୋଜନାରେ ଲୋକମାନଙ୍କୁ କମଳ ଓ ଭତ୍ତା ବଣ୍ଟା ଯାଉଛି । ଏ ସମ୍ପର୍କରେ ଅନୁଧ୍ୟାନ ପାଇଁ ଆସିଥିବା ରିପୋର୍ଟ କୋରାପୁଟ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ଦେଇଛନ୍ତି । ଖୁବ୍ଶୀଘ୍ର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ କୋଟିଆ ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି । ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଥିବା ବୈଠକରେ ଆଲୋଚନା କରାଯିବ । ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଆଇନଗତ ପଦକ୍ଷେପ ମଧ୍ୟ ନିଆଯାଇ ବିଭିନ୍ନ ସମସ୍ୟାର ସମଧାନ କରାଯିବ । ଏଥିଲାଗି ଆଇନ ବିଭାଗ ଓ ଆଡ୍ଭୋକେଟ୍ ଜେନେରାଲ୍ଙ୍କ ସହ ଆଲୋଚନା ଚାଲିଛି । କୋଟିଆ ପଞ୍ଚାୟତରେ ମୋଟ୍ ୨୮ ପଡ଼ାଗ୍ରାମ ରହିଛି । ସେଥିରୁ ୨୧ ଗ୍ରାମକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦ ୧୯୬୮ ମସିହାରୁ ଲାଗିଥିଲାବେଳେ ସୁପ୍ରିମ୍କୋର୍ଟରେ ମାମଲା ବିଚାରାଧୀନ ଥିଲା । ୨ଠଠ୬ ମସିହାରେ ରାଜ୍ୟ ସରକାର ମାମଲା ହାରିଯିବା ପରେ ଆନ୍ଧ୍ରର ମନୋବଳ ବୃଦ୍ଧି ଘଟିଛି । କୋଟିଆ ଗ୍ରାମବାସୀଙ୍କୁ ପ୍ରଭାବିତ କରିବା ଲାଗି ସେମାନେ ବାରମ୍ବାର ଅନୁପ୍ରବେଶ କରୁଛନ୍ତି । ତେବେ ଜିଲ୍ଲାପାଳଙ୍କ ରିପୋର୍ଟକୁ ତର୍ଜମା କରିବା ଲାଗି ଆଇନ୍ ବିଭାଗର ପରାମର୍ଶ ଲୋଡ଼ାଯାଇଛି ଓ ଏ ସମ୍ପର୍କରେ ଖୁବ୍ଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଅପରପକ୍ଷରେ କୋଟିଆପୁଞ୍ଜରେ ଥିବା ବକ୍ସାଇଟ୍ ଖଣି ଉପରେ ଆନ୍ଧ୍ର ଆଖି ରଖିଛି ବୋଲି ଅଭିଯୋଗ ହେଉଛି । ଆନ୍ଧ୍ର ସରକାର ଏହି ବକ୍ସାଇଟ୍କୁ ନିଜ ଅକ୍ତିଆରକୁ ନେବାଲାଗି ସେହି ଅଞ୍ଚଳର ବାସିନ୍ଦାମାନଙ୍କୁ ପ୍ରଲୋଭନ ଦେଖାଉଥିବା ସୂଚନା ମିଳିଛି । ରାଜ୍ୟ ସରକାର ଏବେଠାରୁ ଏ ବାବଦରେ ପଦକ୍ଷେପ ନେବାଲାଗି ଆଲୋଚନା ହେଉଛି । ଏହି ସୀମାନ୍ତ ଗ୍ରାମରେ ବାସ କରୁଥିବା ଲୋକେ ଉଭୟ ଆନ୍ଧ୍ର ଓ ଓଡ଼ିଶାର ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ନାମ ଉଭୟ ରାଜ୍ୟର ଭୋଟର ତାଲିକାରେ ଅଛି । ଓଡ଼ିଶା ସରକାରଙ୍କ ରାଜସ୍ୱ ନଥିରେ ଯେପରି ଏହି ଗାଁର ଖାତା ଖତିଆନା ଅଛି ସେହିପରି ଉକ୍ତ ଜମିର ଖାତା ଖତିଆନା ବି ଆନ୍ଧ୍ର ସରକାରଙ୍କ ନଥିରେ ରହିଛି । ସାମାଜିକ ନିରାପତ୍ତା ଯୋଜନାରେ ଏ ଅଞ୍ଚଳର ଲୋକ ଉଭୟ ରାଜ୍ୟ ପାଇଁ ଥିବା ବ୍ୟବସ୍ଥାରୁ ଫାଇଦା ନେଉଛନ୍ତି । ତେବେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତାମାନେ ଏହି ଅଞ୍ଚଳକୁ ଅଧିକ ଧାଁ ଧଉଡ଼ କରି ଲୋକଙ୍କ ମନ କିଣିବାକୁ ଉଦ୍ୟମ ଅବ୍ୟାହତ ରଖିଥିବା ଦେଖିବାକୁ ମିଳୁଛି ।ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଘେନି ଓଡ଼ିଶା ସରକାର ସୁପ୍ରିମ୍କୋର୍ଟରେ ରୁଜୁ କରିଥିବା ଦୁଇଟି ମାମଲା ଦୀର୍ଘଦିନ ତଳୁ ଖାରଜ ହୋଇସାରିଛି । ଆନ୍ତଃରାଜ୍ୟ ସୀମା କମିଟିର ତଦନ୍ତ ରିପୋର୍ଟ ଲାଗି ସୁପ୍ରିମ୍କୋର୍ଟ ନିଦେ୍ର୍ଦଶ ଦେଇ ସ୍ଥିତାବସ୍ଥା ଜାରି ରଖିବାବୁ କହିଥିଲାବେଳେ ଏହି କମିଟି ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ତଥ୍ୟ ମିଳିନାହିଁ । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା କୋରାପୁଟ ଜିଲ୍ଲାର କୋଟିଆ, ଗଞ୍ଜେଇପଦର, ପୋନିକି ସମେତ ୨୧ଟି ଗାଁକୁ ଘେନି ଆନ୍ଧ୍ର ସରକାର ମାଲିକାନା ଜାହିର କରିବା ପରିପ୍ରେକ୍ଷୀରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଉପୁଜିଥିଲା । କେବଳ ସେତିକି ନୁହେଁ କୋରାପୁଟ ଜିଲ୍ଲାର ବୋରମୁଥା ଓ ଅନ୍ୟ ୧୨ଟି ଗାଁ ଉପରେ ମଧ୍ୟ ଆନ୍ଧ୍ରର ଅଧିକାର ଦାବି ଘେନି ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଆପୋଷ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିନଥିବାରୁ ଓଡିଶା ସରକାର ୧୯୬୮ମସିହାରେ ସୁପ୍ରିମ୍‌କୋର୍ଟରେ ଦୁଇଟି ଆନ୍ତଃରାଜ୍ୟ ସୀମା ବିବାଦ ମାମଲା ରୁଜୁ କରିଥିଲେ । କୋଟିଆ ଗ୍ରାମପୁଞ୍ଜକୁ ନେଇ ସୁପ୍ରିମ୍‌କୋର୍ଟରେ ରୁଜୁ ହୋଇଥିବା ମାମଲାର ନମ୍ବର ୧୦/୧୯୬୮ ଥିବାବେଳେ ବୋରମୁଥା ଗ୍ରାମପୁଞ୍ଜ ସଂକ୍ରାନ୍ତୀୟ ଆନ୍ତଃରାଜ୍ୟ ସୀମା ବିବାଦ ମାମଲାର ନମ୍ବର ଥିଲା ୧୧/୧୯୬୮ା
୧୯୬୮ ମସିହା ଡିସେମ୍ବର ୨ ତାରିଖରେ ସୁପ୍ରିମ୍‌କୋର୍ଟ ଉଭୟ ରାଜ୍ୟର ସୀମାନ୍ତ ଗ୍ରାମ ଗୁଡିକରେ ଜାରିଥିବା ସ୍ଥିତାବସ୍ଥାକୁ ବଜାୟ ରଖିବାପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ କୋଟିଆ ଗ୍ରାମପୁଞ୍ଜ ମାମଲାର ଶୁଣାଣି ପରେ ସୁପ୍ରିମ୍‌କୋର୍ଟ ୨୦୦୬ ମାର୍ଚ୍ଚ ୩ ତାରିଖରେ ଏହାକୁ ଖାରଜ କରିଦେଇଥିଲେ । ଓଡିଶା ସରକାର ଏହି ମାମଲାରେ ହାରିବାପରେ ୨୦୦୬ ମାର୍ଚ୍ଚ ୧୨ରେ ଏକ ରିଭୁ୍ୟ ପିଟିସନ ଦାଖଲ କରିଥିଲେ ଓ ତାହା ୨୦୦୬ ଅଗଷ୍ଟ ୨୯ରେ ଖାରଜ ହୋଇଯିବାରୁ ପୁର୍ନବାର ଆଉଏକ କୁ୍ୟରେଟିଭ ପିଟିସନ ଦାଖଲ କରିଥିଲେ । ଦୁର୍ଭାଗ୍ୟକୁ ଏହି କୁ୍ୟରେଟିଭ ପିଟିସନଟି ମଧ୍ୟ ୨୦୦୭ ଡିସେମ୍ବର ୨୨ରେ ଖାରଜ ହୋଇଯାଇଥିଲା । ବୋରମୁଥା ଗ୍ରାମପୁଞ୍ଜ ସଂକ୍ରାନ୍ତୀୟ ଓଡ଼ିଶା ସରକାରଙ୍କ ମାମଲାଟି ସୁପ୍ରିମ୍କୋର୍ଟରେ ୨ଠ୧ଠ ମେ’ ୫ ତାରିଖରେ ଖାରଜ ହୋଇଥିଲା । ଓଡ଼ିଶା ସରକାର ରିଭୁ୍ୟ ପିଟିସନ୍ ଦାଖଲ କରିଥିଲେ ହେଁ ତାହା ମଧ୍ୟ ଖାରଜ ହୋଇଯାଇଥିଲା । ଆନ୍ତଃରାଜ୍ୟ ସୀମା କମିଟିର ସର୍ଜମିନ୍ ତଦନ୍ତ ରିପୋର୍ଟ ଦେବାଲାଗି କୁହାଯାଇଥିଲା ।