tata-steel-leterary-meet(1)

‘ଯନ୍ତ୍ରବନ୍ଦୀ ଯୋଗୁ ସୃଜନଶୀଳତା ହ୍ରାସ ପାଉଛି’

407

ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର,(ବୁ୍ୟରୋ): ଆଜିର ଯନ୍ତ୍ରପ୍ରଧାନ ଯୁଗରେ ପେସି ହୋଇଯାଇଛି ମଣିଷ । ସବୁକାର୍ଯ୍ୟକୁ ଏବେ ଯନ୍ତ୍ରଦ୍ୱାରା କରିବାକୁ ବେଶ୍ ଉତ୍ସାହ ଦେଖାଉଛନ୍ତି ସମସ୍ତେ । ହେଲେ ଯେଉଁ ଯନ୍ତ୍ର ମଣିଷ ଆବିଷ୍କାର କରିଛି, ସେହି ଯନ୍ତ୍ରରେ ନିଜେ ବନ୍ଦୀ ହୋଇ ରହିଯାଉଛି । ଫଳରେ ସୃଜନଶୀଳ କଳ୍ପନାଶକ୍ତି କ୍ରମାଗତ ହ୍ରାସ ପାଇବାରେ ଲାଗିଛି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ପ୍ରଖ୍ୟାତ ଗାଳ୍ପିକ, ସମ୍ଭକାର ପଦ୍ମଶ୍ରୀ ମନୋଜ ଦାସ । ଟାଟା ଷ୍ଟିଲ୍ ତୃତୀୟ ସଂସ୍କରଣ ଭୁବନେଶ୍ୱର ସାହିତ୍ୟ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ଦାସ ଯନ୍ତ୍ରବନ୍ଦୀରୁ ମୁକୁଳିବା ପାଇଁ ଦୃଢ଼ ଉଚ୍ଛାଶକ୍ତି, ମାନସିକ ସ୍ଥିରତା ଓ ବିଶ୍ୱାସର ଆବଶ୍ୟକତା ରହିଥିବା ମତ ଦେଇଥିଲେ । ସେହିପରି ଭାରତୀୟ ପ୍ରାଚୀନ ସଂସ୍କୃତି ପ୍ରସଙ୍ଗ ଉତ୍ଥାପନ କରି ସେ କହିଥିଲେ, ଦେଶ ବାହାରେ ଭାରତୀୟ ସଂସ୍କୃତିକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଥିବା ବେଳେ ଦେଶ ଭିତରେ କିଛି ଲୋକ ଆଧୁନିକତା ନାମରେ ଆକ୍ରମଣ କରି ଚାଲିଛନ୍ତି । ଆଧୁନିକତା ଜୀବନଶୈଳୀ ଆମର ନିରାପତ୍ତା କି ଭରସା ନୁହେଁ । ସେଇ ଆତ୍ମବିଶ୍ୱାସ ପୁଣିଥରେ ଆମକୁ ଫେରାଇ ଆଣିବାର ଆବଶ୍ୟକତା ରହିଥିବା ଶ୍ରୀ ଦାସ ବ୍ୟକ୍ତ କରିଥିଲେ । ଏହି ଅବସରରେ ‘ଗତ ୭ଦଶନ୍ଧୀରେ ଭାରତୀୟ ସାହିତ୍ୟରେ ପରିବର୍ତ୍ତନ ଓ ମନୋଜ ଦାସଙ୍କ ସାହିତ୍ୟର ପ୍ରତିଫଳନ’ ବିଷୟ ସମ୍ପର୍କରେ ମତରଖି ଶୀ ଦାସ କହିଲେ, ପୃଥିବୀ ଇତିହାସରେ ଭାରତର ସ୍ୱାଧୀନତା ପରବର୍ତ୍ତୀ ଘଟଣାବଳୀ କଦାପି ଘଟିନଥିଲା । ଦୁଇଟି ବିଶାଳ ମହାଯୁଦ୍ଧ, ଭାରତ ବିଭାଜନ, ସାମ୍ରାଜ୍ୟବାଦର ଅନ୍ତ, ରାଜତନ୍ତ୍ରର ଅନ୍ତ ଆଦି ସେତେବେଳର ପଟ୍ଟଭୂମି ଥିଲା । ମୋ ଗାଁ ସମୁଦ୍ରତଟରେ ହୋଇଥିବାରୁ ସେ ସମୟରେ ଜାପାନୀମାନେ ଯେକୌଣସି ମୁହୂର୍ତ୍ତରେ ପହଞ୍ଚିବାର ଆତଙ୍କ ଥାଏ । ପଶ୍ଚିମବଙ୍ଗର ଦୀଘାଠାରୁ ଆମ ଘର କମ୍ ଦୂରରେ । ସେଠାରେ ଏକ ସାମରିକ ଘାଟିରେ ଛୋଟଛୋଟ ବିମାନ ଅବତରଣ କରୁଥାଏ । ୧୯୪୭ ମସିହାରେ ମୋର ପ୍ରକାଶିତ ପ୍ରଥମ ଗଳ୍ପରେ ସମସ୍ତ ବାସ୍ତବ ଘଟଣା ଦର୍ଶାଯାଇଛି । ସେହିପରି ହାଇସ୍କୁଲ୍ରେ ପଢ଼ିବା ବେଳେ ଦିନେ ଗୋଟେ ବୁଢ଼ା ଓ ବୁଢ଼ି ହାମୁଡ଼ି ହାମୁଡ଼ି ସରକାରଙ୍କ ରିଲିଫ୍ ସେଣ୍ଟର ଆଡ଼କୁ ଯାଉଥିବା ଦେଖିଲି । ହେଲେ, ସ୍କୁଲ୍ରୁ ଫେରିବା ବେଳେ ଦେଖେତ ସେ ବୁଢ଼ା ବୁଢ଼ି ଆଉନାହାନ୍ତି । ତାଙ୍କ ଚାରିପାଖେ ଶାଗୁଣାମାନେ ଛକି ରହିଛନ୍ତି । ଆଜି ଏଇ ଅବସ୍ଥା ଅନେକ ଗଳ୍ପରେ ପରିଲକ୍ଷିତ ହେଉଛି । ମଣିଷର ଦୁଃଖ, ଯାତନା ଓ କଷ୍ଟ ଶିଶୁ ଅବସ୍ଥାରେ ପ୍ରଭାବ ପକାଇଥାଏ । ସେହି ପ୍ରଭାବରେ ମୋର ଅନେକ ଗଳ୍ପ ଲେଖାଯାଇଛି । ତେଣୁ ପାରିପାଶ୍ୱର୍ିକ ଘଟଣାବଳୀ ଲୋକଙ୍କୁ ପ୍ରଭାବିତ କରିବା ଅନିର୍ବାଯ୍ୟ । ବାହାର ଘଟଣା ଲେଖକଙ୍କୁ ପ୍ରଭାବିତ କରେ ଓ କରିବା ଉଚିତ୍ ମଧ୍ୟ । ଯାହାଦ୍ୱାରା ଲେଖକ ବାସ୍ତବବାଦୀ ହେବ । ହେଲେ, ସମସାମୟିକ ବାସ୍ତବବାଦର ଊଦ୍ଧ୍ୱର୍ରେ ଏକ ବୃହତ୍ତର ବାସ୍ତବବାଦ ରହିଛି ବୋଲି ମନେ ରଖିବା ଦରକାର ବୋଲି ସେ ପ୍ରକାଶ କରିବା ସହ ଯୁବ ସାହିତି୍ୟକଙ୍କୁ ପ୍ରେରଣା ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଥିଲେ ।ବିଶିଷ୍ଟ ଶିଶୁ ଲେଖକ ରସ୍କିନ୍ ବଣ୍ଡ ଅଜଣା ଲେଖକରୁ ଜଣାଶୁଣା ଲେଖକ ଭାବେ ପରିଚିତ ହୋବର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଉଦ୍ଘାଟନୀ ସମାରୋହରେ ଟାଟା ଷ୍ଟିଲ୍ କର୍ପୋରେଟ୍ ଯୋଗାଯୋଗର ଗ୍ରୁପ୍ ନିଦେ୍ର୍ଦଶକ ଚାଣକ୍ୟ ଚୌଧୁରୀ ଓ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ ।
ପରବର୍ତ୍ତୀ ଅଧିବେଶନରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ ରସ୍କିନ୍ ବଣ୍ଡ ଓ ପ୍ରଖ୍ୟାତ ସାମ୍ବାଦିକ ମାର୍କ ତୁଲିଙ୍କ ସହ ‘କ୍ରୋନିକ୍ଲିଙ୍ଗ୍ ଇଣ୍ଡିଆ, ଇମାଜିଙ୍ଗ୍ ଇଣ୍ଡିଆ’ ଶୀର୍ଷକରେ ଆଲୋଚନା କରିଥିଲେ । ଯେଉଁଥିରେ ରାଷ୍ଟ୍ରବାଦ ଓ ଦେଶପ୍ରେମ ମଧ୍ୟରେ ଥିବା ପାର୍ଥକ୍ୟକୁ ବର୍ଣ୍ଣନା କରାଯିବା ସହ ବିଭିନ୍ନ ବିଷୟ ଉପରେ ଉଭୟଙ୍କ ମତାମତ ଲୋଡ଼ାଯାଇଥିଲା । ମାର୍କ ତୁଲି ସାମ୍ବାଦିକ ହୋଇ କିପରି ଲେଖାଲେଖି ପ୍ରତି ଆଗ୍ରହ ପ୍ରକାଶ କଲେ, ତାହା ପ୍ରକାଶ କରିଥିଲେ । ସେହିପରି ନିଜର ଲେଖକୀୟ ଯାତ୍ରା ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଶ୍ରୀ ବଣ୍ଡ । ଶେଷରେ ସଙ୍ଗୀତ ଓ କବିତାର ଯୁଗଳବନ୍ଦୀ ମନଛୁଆଁ ହୋଇଥିଲା । ଐତିହାସିକ ୱିଲିୟମ୍ ଡାର୍ଲିମ୍ପ୍ଲିଙ୍କ ସହ ବିଦ୍ୟା ଶାହ ଏହାକୁ ପରିବେଷଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com