mahanga-jungle

ଦୃଷ୍ଟି ଆଢୁଆଳରେ ରେଣ୍ଟା ଜଙ୍ଗଲ

36

ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକର ଏକମାତ୍ର ସାମାଜିକ ଜଙ୍ଗଲ ରେଣ୍ଟା ଏବେ ଜନସମୁଦ୍ର ପାଲଟିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଜଙ୍ଗଲକୁ ବହୁ ଅଞ୍ଚଳରୁ ପର୍ଯ୍ୟଟକମାନେ ବୁଲିବା ସହ ବଶଭୋଜି କରିବାକୁ ଆସୁଛନ୍ତି । ମାତ୍ର ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଥିବା ଏହି ଜଙ୍ଗଲକୁ ଏକ ରାସ୍ତା ନଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନି । ରେଣ୍ଟା ଜଙ୍ଗଲଟି ମାହାଙ୍ଗା ତହସିଲ୍ ଅଧିନରେ ଥିବା ଗୋତରା, ଉମର, ପଲ୍ଲୀସାହି, ଗୌଡ଼ଗୋପ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ରହିଛି । ଗୋଟିଏ ପଟେ ସାଲେପୁର-ଛତିଆ ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିଲା ବେଳେ ଅନ୍ୟପଟେ ନିଶ୍ଚିନ୍ତକୋଇଲି-ଲଳିତଗିରୀ ପୂର୍ତ୍ତ ବିଭାଗ ରାସ୍ତାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଉମର ହନୁମାନ ମନ୍ଦିରକୁ ସଂଯୋଗ କରୁଛି । ଏହାର ପଶ୍ଚିମପଟେ ମଇଜରା ନଦୀ ପ୍ରବାହିତ ହେଉଥିଲା ବେଳେ ପୂର୍ବ ଓ ଉତ୍ତର ଦିଗରେ ବିସ୍ତୀର୍ଣ୍ଣ ସବୁଜିମା ଚାଷ ଜମି । ପୂର୍ବ ପଟରେ ରହିଛି ପୌରାଣିକ ଖ୍ୟାତି ସଂପନ୍ନ ତାଳ ପୋଖରୀ । ୧୦୦ ହେକ୍ଟର ଜମିରୁ ଊଦ୍ଧ୍ୱର୍ ପରିମିତ ଏହି ରେଣ୍ଟା ଅଞ୍ଚଳରେ ଏବେ ୨୫ ଏକରରୁ ଉର୍ଦ୍ଧ ଜମିରେ ଆକାଶୀ, ଚାକୁଣ୍ଡା, ତେନ୍ତୁଳି ଆଦି ଗଛ ରହିଛି । ପ୍ରତିବର୍ଷ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବା ସହିତ ନିକଟରେ ଥିବା ଉମର ହନୁମାନ ପୀଠ, ଭଦ୍ରେଶ୍ୱର ମହାଦେବ ପୀଠ, ଐତିହାସିକ ମାଣିକେଶ୍ୱରୀ ମନ୍ଦିର, ଛତିଆ, ଓଳାଶୁଣୀ, ଲଳିତଗିରି ଓ ଅଚୁ୍ୟତାନନ୍ଦ ପୀଠକୁ ବୁଲି ଯାଇଥାଆନ୍ତି । କିନ୍ତୁ ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହି ଜଙ୍ଗଲଟି ସରକାରଙ୍କର ଦୃଷ୍ଟି ଗୋଚର ଆଢୁଆଳରେ ରହିଯାଇଛି । ଜଙ୍ଗଲ ଭିତରେ ପିଇବା ପାଣି ପାଇଁ ଏକମାତ୍ର ନଳକୂପ ରହିଛି । ଭୋଜି କରିବା ସହ ବସାଉଠା କରିବା ପାଇଁ ସିମେଣ୍ଟ ପିଣ୍ଡି ସହ ଉତ୍ତମ ବାତାବରଣ ନାହିଁ । ଅନ୍ୟ ପକ୍ଷରେ ଆଢ଼ୁଆଳରେ ରହିଥିବାରୁ ଅସାମାଜିକଙ୍କ ଭିଡ଼ ଜମୁଛି । ଏପରିକି ଜଙ୍ଗଲରୁ ପ୍ରତିଦିନ କାଠ ମାଫିଆମାନେ ଗଛ କାଟି ନେଇ ଯାଉଛନ୍ତି । ପତିତ ଜମିକୁ ଲୋକମାନେ ଅକ୍ତିଆର୍ କରି ଚାଷ କରୁଛନ୍ତି । ସରକାରଙ୍କ ପକ୍ଷରୁ ନୂତନ ଜଙ୍ଗଲ ସୃଷ୍ଟି କରବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରେଣ୍ଟା ମଧ୍ୟରେ ଥିବା ବହୁ ପରିମାଣର ପତିତ ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଏହାର ରକ୍ଷଣା ବେକ୍ଷଣ କରାଗଲେ, ଏହା ଏକ ଭଲ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇ ପାରିବ । ଏହା ସହ ଏହି ଜଙ୍ଗଲକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।




Powered by odothemes.com