Chief-Minister-Shri-Naveen-Patnaik-at-the-Business-Standard-Odisha-Round-Table-Conclave-at-Hotel-Swosti-Premium=-(1)

ଦକ୍ଷିଣ ଏସିଆର ବିନିର୍ମାଣ ହବ୍ ହେବ ଓଡ଼ିଶା

41

ଚତୁର୍ଥ ଓଡ଼ିଶା ରାଉଣ୍ଡ ଟେବୁଲ୍ କନ୍କ୍ଲେଭ୍
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ । ଗତ ୧୭ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ୪ଗୁଣା ବୃଦ୍ଧି ପାଇଛି । ରାଜ୍ୟର ଦ୍ରୁତ ଅଭିବୃଦ୍ଧିରେ ଶିଳ୍ପ ବିକାଶର ଏକ ବଡ଼ ଅବଦାନ ରହିଛି । ଦେଶରେ ବିନିର୍ମାଣ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ୩ରାଜ୍ୟରେ ରହିଆସୁଛି । ରାଜ୍ୟକୁ ଦକ୍ଷିଣ ଏସିଆର ବିନିର୍ମାଣ ହବ୍ରେ ପରିଣତ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଇଂରାଜୀ ଦୈନିକ ବିଜ୍ନେସ୍ ଷ୍ଟାଣ୍ଡାର୍ଡ ପକ୍ଷରୁ ଆୟୋଜିତ ୪ର୍ଥ ଓଡ଼ିଶା ରାଉଣ୍ଡ ଟେବୁଲ କନ୍କ୍ଲେଭ୍କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ତ୍ରି-ଟି ଫର୍ମୁଲା (ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି ଓ ଟିମ୍ ୱାର୍କ) ଆପଣାଇ ରାଜ୍ୟ ଅଭିବୃଦ୍ଧି ଓ ଦ୍ରୁତ ଶିଳ୍ପ ବିକାଶ ଦିଗରେ କାର୍ଯ୍ୟ କରୁଛି । ଶିଳ୍ପ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସହିତ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଶିଳ୍ପ କ୍ଷେତ୍ର ସମେତ କର୍ପୋରେଟ ଏବଂ ବିଭିନ୍ନ କ୍ଷେତ୍ରରେ ତ୍ରି-ଟିକୁ ଆପଣାଇ ସମସ୍ତ ଅଂଶୀଦାର କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶାବାଦୀ ଥିବା ପ୍ରକାଶ କରିଥିଲେ । ଆଇଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ନିକଟରେ ‘ଇଜ୍ ଅଫ୍ ଡୁଇଂ ବିଜିନେସ୍’ ପାଇଁ ସରକାର ଶିଳ୍ପ କ୍ଷେତ୍ରରେ ‘ଗୋ ସ୍ୱିଫ୍ଟ୍’ ପୋର୍ଟାଲ ଆଣିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ସ୍ୱଚ୍ଛ ପ୍ରକ୍ରିୟାରେ, କମ୍ ସମୟ ସୀମା ମଧ୍ୟରେ, କମ୍ କାଗଜ ଖର୍ଚ୍ଚରେ ସମସ୍ତ ନିବେଶକଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରୁଛି । ଓଡ଼ିଶାର ଯୁବକ ହେଉଛନ୍ତି ଭବିଷ୍ୟତର ସ୍ଥପତି । ତେଣୁ ସେମାନଙ୍କ ପାଇଁ କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି ନକରି, ସେହି ସୁଯୋଗକୁ କିପରି ଉତ୍ତମ ଦିଗରେ ବିନିଯୋଗ କରିପାରିବେ ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାର ସ୍କିଲ୍ ଇନ୍ ଓଡ଼ିଶା ଓ ଷ୍ଟାଟ୍ ଅପ୍ ଓଡ଼ିଶା ଆଣିଛନ୍ତି । ଓଡ଼ିଶାର ଯୁବକମାନେ ଏଥିରୁ ଲାଭ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୧୬ର ସଫଳତା ପରେ ଚଳିଳ ବର୍ଷ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ବିଜ୍ନେସ୍ ଷ୍ଟାଣ୍ଡାର୍ଡର ଏଡିଟର୍ ଶ୍ୟାମଳ ମୁଖାର୍ଜୀ ଉପସ୍ଥିତ ଥିଲେ । ପରେ ଆୟୋଜିତ ଅଧିବେଶନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, ଇସ୍ପାତ ଓ ଖଣି ସଚିବ ରାଜକିଶୋର ଶର୍ମା, ଶିଳ୍ପସଚିବ ସଞ୍ଜୀବ ଚୋପ୍ରା, ଟାଟାଷ୍ଟିଲ୍ର ଏମ୍ଡି ଅରୁଣ ମିଶ୍ର, ଜେଏସ୍ଡବ୍ଲୁ୍ୟର ଡେପୁଟି ଏମ୍ଡି ଡ.ବିନୋଦ ନୱାଲ୍ ଉପସ୍ଥିତ ଥିଲେ । ବିଜିନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର୍ ଦିଲ୍ଲୀପ ଶତପଥୀ ଅଧିବେଶନକୁ ପରିଚାଳନା କରିଥିଲେ । ପରେ ଶେଷ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com