PMI--JARAJIRNA--ALAVA-POLA-&-JOGAJOGA-BICHHINA

ଅଳଭା ପୋଲ ଭୁଶୁଡ଼ିବ!

76

ସଂଯୋଗୀକରଣ ରାସ୍ତା ଦବି ଯୋଗାଯୋଗ ବିଚ୍ଛିନ୍ନ
ପଟ୍ଟାମୁଣ୍ଡାଇ(ଆପ୍ର): ବ୍ରିଟିଶ ଅମଳରୁ ନିର୍ମିତ ଅଳଭା ପୋଲଟି ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି । କୌଣସି ମୂହୁର୍ତ୍ତରେ ଭୁଶୁଡ଼ି ପଡିବ ତାହା କହିବା ଅସମ୍ଭବ । ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ ଅଧୀନରେ ଥିବା ଏହି ପୋଲର ପୁନନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷପ ନିଆଯାଇନାହିଁ । ପୋଲର ଉଭୟ ପାଶ୍ୱର୍ରେ ଥିବା ବାଡ଼ ଦୁଇଟି ଭାଙ୍ଗିଯିବାରୁ ଏକାଧିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ନାମକୁ ମାତ୍ର ବାଡ଼ ମରାମତି କରାଯାଇଥିଲା । ମାତ୍ର ପୋଲର ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ । ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟରାସ୍ତାର ଅଳଭା ଠାରେ ଥିବା ଏହି ପୋଲ ଉପରେ ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡା ସମେତ ବିଭିନ୍ନ ବ୍ଲକ୍ର ଲକ୍ଷାଧିକ ଲୋକ ଯାତାୟାତ ପାଇଁ ନିର୍ଭରଶୀଳ । ସଂପ୍ରତି ବିଶ୍ୱ ପ୍ରସିଦ୍ଧ ଭିତରକନିକା ପର୍ଯ୍ୟଟନସ୍ଥଳୀକୁ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ଥା ପ୍ରଶସ୍ତିକରଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଳଭା ପୋଲର ଶୋଚନୀୟ ଅବସ୍ଥା ସରକାରୀ ବ୍ୟବସ୍ଥାକୁ ବିଦ୍ରୁପ କରୁଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳ ବହୁଳ ଭାବରେ ବୃଦ୍ଧି ପାଇଥିବାରୁ ଏହି ଜରାଜୀର୍ଣ୍ଣ ପୋଲ ଉପରେ ଯାତାୟାତ କରିବା ବିପଜ୍ଜନକ ହୋଇପଡିଛି । ଏହି ପୋଲ ଉପରେ ଭାରୀଯାନ ଚଳାଚଳ ବିପଜ୍ଜନକ ହୋଇଥିବାରୁ ପୋଲ ନିକଟରେ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇ ଭାରୀଜାନ ସମେତ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଥିଲା । କିନ୍ତୁ ସଂଯୋଗୀକରଣ ରାସ୍ତାଟି ଦବି ଯିବାରୁ ଯାନବାହାନ ଚଳାଚଳ ବ୍ୟାହତ ହୋଇ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା । ଆଜି ଗାଁର ଲୋକମାନଙ୍କ ସହାୟତାରେ ସଂଯୋଗୀକରଣ ରାସ୍ତା ମରାମତି କରାଯିବାରୁ ଯାନବାହାନ ଚଳାଚଳ ସମ୍ଭବ ହୋଇଛି । ଅଳଭା ୧୫ ନଂ ୱାର୍ଡ କାଉନସିଲର ମାଳତୀ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ କେନ୍ଦ୍ରାପଡା ଜଳସଂପଦ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ଅଳଭା ଠାରେ ନୂତନ ପୋଲ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ହେଲେ ପଦକ୍ଷେପ ଶୂନ । ରାଜ୍ୟ ଜଳସଂପଦ ମନ୍ତ୍ରୀ ତଥା ଜଳସଂପଦ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ଅଳଭା ଠାରେ ନୂତନ ପୋଲ ନିର୍ମାଣ କରିବାକୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com