ସିଙ୍ଗାପୁର ଚମ୍ପଟ୍‍ ପୂର୍ବରୁ “ଭିଷ୍ଟା’ ସିଏମ୍ଡି ଗିରଫ

Crimebranch EOW dwara 50koti tanka hadapare giraf  chitfund cmd dev kumar panda o jabat visa.passport

ଭୁବନେଶ୍ୱର,୧୭ା୫(ବୁ୍ୟରୋ): ଚିଟ୍ଫଣ୍ଡ ସଂସ୍ଥା “ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିଃ.’ର ସିଏମ୍ଡି ଦେବ କୁମାର ପଣ୍ଡାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ଆଜି ଗିରଫ କରିଛି । ସାଧାରଣ ଜମାକାରୀଙ୍କ ଠାରୁ ପ୍ରାୟ ୫୦ କୋଟି ଟଙ୍କା ଠକି ଦେବ ଦୀର୍ଘଦିନରୁ ଆତ୍ମଗୋପନ କରିଥିଲେ । ଆଜି ସେ ସିଙ୍ଗାପୁର ପଳାଇଯିବାକୁ ମଧ୍ୟାହ୍ନ ୧୨ଟାରେ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଛକି ରହିଥିବା କ୍ରାଇମ୍ ବ୍ରାଞ୍ଚ୍ ଅଫିସରମାନେ ତାଙ୍କୁ ଗିରଫ କରିଥିଲେ । ତାଙ୍କ ନିକଟରୁ ପାସ୍ପୋର୍ଟ, ଭିସା, ହୋଟେଲ୍ ବୁକିଂ ଟିକେଟ୍, ଆମେରିକା ଓ ସିଙ୍ଗାପୁର ମୁଦ୍ରାକୁ କ୍ରାଇମ୍ ବ୍ରାଞ୍ଚ୍ ଜବତ କରିଛି । ଦେବଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଇଓଡବ୍ଲୁ୍ୟ ଏସ୍ପି ରାଜେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ କ୍ରାଇମ୍ ବ୍ରାଞ୍ଚ୍ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆଣି ଜେରା କରିବା ପରେ “ଭିଷ୍ଟା’ ଠକେଇରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ଦେବଙ୍କ ଘର । ସେ ୨୦୦୮-୨୦୦୯ରେ “ଭିଷ୍ଟା’ ସଂସ୍ଥା ଖୋଲି ଚିଟ୍ଫଣ୍ଡ ବ୍ୟବସାୟ ଆରମ୍ଭ କରିଥିଲେ । ୨୦୧୦ରେ ଭୁବନେଶ୍ୱରର କଟକରୋଡ୍ରେ ଅଫିସ୍ ଖୋଲିଥିଲେ । କମ୍ ଦିନରେ ଜମା ଟଙ୍କାର ଦୁଇଗୁଣ ଅର୍ଥ ଫେରସ୍ତ ମିଳିବ ବୋଲି ପ୍ରଚାର କରି ସେ ସାଧାରଣ ଜମାକାରୀଙ୍କୁ ପ୍ରଲୋଭିତ କରିଥିଲେ । ଏହି ଉପାୟରେ ସେ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ୧୫ରୁ ଅଧିକ ଅଫିସ୍ ଖୋଲି ସାଧାରଣ ଲୋକଙ୍କଠାରୁ ଜମା ଟଙ୍କା ଅସୁଲ କରିଥିଲେ । ବିଶେଷକରି ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ “ଭିଷ୍ଟା’ କାୟା ବିସ୍ତାର କରିଥିଲା । ଲୋକଙ୍କ ଠାରୁ ପ୍ରାୟ ୫୦ କୋଟି ଟଙ୍କା ସଂଗ୍ରହ କରିବା ପରେ ୨୦୧୪ରେ ଭିଷ୍ଟାର ଅଫିସ୍‍ଗୁଡିକ ବନ୍ଦ ହୋଇଯାଇଥିଲା । ଜମା ଟଙ୍କା ଫେରିପାଇବାକୁ ଜମାକାରୀମାନେ ବାରମ୍ବାର ଦୌଡି ନିରାଶ ହେବା ପରେ ଇଓଡବ୍ଲୁ୍ୟରେ ଅଭିଯୋଗ କରିଥିଲେ । ୨୦୧୫ ଏପ୍ରିଲ୍ ୨୩ରେ ଇଓଡବ୍ଲୁ୍ୟ ଭିଷ୍ଟା ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଫେରାର ଦେବକୁ ଗିରଫ କରିବା ପାଇଁ ଇଓଡବ୍ଲୁ୍ୟ ଜାଲ ବିଛାଇଥିଲା । ସେ ଟ୍ରେନ୍ ଯୋଗେ ଭାଇଜାକ୍ ଯିବା ପରେ ସେଠାରୁ ବିମାନରେ ସିଙ୍ଗାପୁର ଯିବାକୁ ଯୋଜନା କରିଥିଲେ । ତିରୁପତି ଏକ୍ସପ୍ରେସ୍ରେ ଯିବା ପାଇଁ ଷ୍ଟେସନ୍ରେ ପହଞ୍ଚିବା ମାତ୍ରେ ସାଧାପୋଷାକରେ ଛକି ରହିଥିବା କ୍ରାଇମ୍ ବ୍ରାଞ୍ଚ୍ ଅଫିସରମାନେ ତାଙ୍କୁ କାବୁ କରିଥିଲେ ।