4-1-2018=2

‘ପିଲାମାନେ ନେଇ ନଥିଲେ, ନବୀନ ବାବୁ ନେଲେ’

46

ବରିଷ୍ଠ ନାଗରିକ ତୀର୍ଥଯାତ୍ରାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ
ଭୁବନେଶ୍ୱର, ୪ା୧(ବୁ୍ୟରୋ): ସ୍ଥାନ ଥିଲା ବ୍ରହ୍ମପୁର ରେଳଷ୍ଟେସନ । ବ୍ରହ୍ମପୁରରୁ ତିରୁପତି ଓ ଭେଲୋରକୁ ତୀର୍ଥଯାତ୍ରାରେ ନେବାପାଇଁ ପ୍ରସ୍ତୁତ ହୋଇ ରହିଥିଲା ସ୍ୱତନ୍ତ୍ର ଟ୍ରେନ୍ । ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଦକ୍ଷିଣାଞ୍ଚଳ ଜୋନ୍ରୁ ପ୍ରାୟ ଏକହଜାର ଯାତ୍ରୀ ଥିଲେ ପ୍ରସ୍ତୁତ । ସଚିବାଳୟରେ ଉପସ୍ଥିତ ଥିଲେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଯାତ୍ରାର ଶୁଭାରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁର ରେଳଷ୍ଟେସନରେ ଉପସ୍ଥିତ ଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା । ଜନୈକ ଯାତ୍ରୀଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ଯାତ୍ରା ସଂପର୍କରେ କିଛି କହିବାକୁ ଅନୁରୋଧ କଲେ । ଯାତ୍ରୀ ଜଣଙ୍କ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଧନ୍ୟବାଦ । କିନ୍ତୁ ଆଜି ନବୀନ ବାବୁଙ୍କ ଯୋଗୁ ଆମେ ତିରୁପତି ଓ ଭେଲୋର ଯାଉଛୁ । ଆଉ ଜଣେ ବରିଷ୍ଠ ବ୍ୟକ୍ତି ତିରୁପତି ଯାତ୍ରାପାଇଁ ତାଙ୍କର ୩୫ ବର୍ଷର ମାନସିକ ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହିପରି ଜଣଙ୍କ ପରେ ଜଣେ ବରିଷ୍ଠ ତୀର୍ଥଯାତ୍ରୀ ଏହି କାର୍ଯ୍ୟକ୍ରମ ସଂପର୍କରେ ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାତ୍ରୀମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଜୟ ଜଗନ୍ନାଥ କହି ଯାତ୍ରୀମାନଙ୍କର ଶୁଭକାମନା କରିଥିଲେ । ୨୦୧୬ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଓଡ଼ିଶାର ବରିଷ୍ଠ ନାଗରିକମାନେ ଆହ୍ଲାବାଦ, ବାରଣାସୀ, ହରିଦ୍ୱାର, ପୁଷ୍କର ଓ ଆଜମେର ଆଦି ସ୍ଥାନକୁ ତୀର୍ଥଯାତ୍ରାରେ ଯାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଯାତ୍ରୀମାନେ ବ୍ରହ୍ମପୁରରୁ ତିରୁପତି ଓ ଭେଲୋର ଯାତ୍ରା ଆରମ୍ଭ କରିଛନ୍ତି । ସଚିବାଳୟଠାରେ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ପର୍ଯ୍ୟଟନ ବିଭାଗ ଶାସନ ସଚିବ ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ରହ୍ମପୁର ରେଳଷ୍ଟେସନ ଠାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com