ELECTRIC-OFFICE-RU-LKOOT-NEWS-PHOTO

ଟଙ୍କା ସହ ୩ ଲକ୍ଷ ମୂଲ୍ୟର ସାମଗ୍ରୀ ଲୁଟ୍

31

ବିଦୁ୍ୟତ୍ ଏସ୍ଡିଓଙ୍କୁ ବାନ୍ଧି କଳାକନା ବୁଲାଇଲେ
ଉଦଳା/ବାରିପଦା(ଆପ୍ର): ଫିଲ୍ମ ଷ୍ଟାଇଲ୍ରେ ଘରେ ରାତିରେ ପଶିଲେ । ମୁଖା ପିନ୍ଧି ଅଧିକାରୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ବାନ୍ଧି ଦେଲେ । କାର୍ଯ୍ୟାଳୟ ତାଲା ଭାଙ୍ଗି ଆଇରନ୍ ଚେଷ୍ଟ୍ କାଟି ନେଇଗଲେ । ପରେ ଚେଷ୍ଟ ତାଡ଼ି ସେଥିରୁ ପ୍ରାୟ ୩ଲକ୍ଷ ମୂଲ୍ୟର ସମ୍ପତ୍ତି ଓ ନଗଦ ଟଙ୍କା ନେଇ ନିକଟସ୍ଥ ଏକ ବିଲରେ ଚେଷ୍ଟ ଫୋପାଡ଼ି ପଳେଇଲେ । ଖବର ପାଇ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଖୋଜାଖୋଜି କରି ମଧ୍ୟ ହାତ ଖାଲିରେ ଫେରି ଗଲେ । ଏପରି ଏକ ଘଟଣା ଘଟିଛି ଖୁଣ୍ଟା ଥାନା ଅନ୍ତର୍ଗତ ଖୁଣ୍ଟା ବିଦୁ୍ୟତ୍ ଏସ୍ଡିଓଙ୍କ କାର୍ଯ୍ୟାଳୟରେ । ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ୫ଜଣ ଦୁର୍ବୃତ୍ତ ଏସ୍ଡିଓ କାର୍ଯ୍ୟାଳୟର କାନ୍ଥ ଭାଙ୍ଗି ପଶିଥିଲେ । କାର୍ଯ୍ୟାଳୟରେ ରହୁଥିବା ବିଭାଗୀୟ ଏସ୍ଡିଓ ପ୍ରଶାନ୍ତ କୁମାର ମାନ୍ନାଙ୍କ ରୁମ୍ ଭିତରେ ପଶି ତାଙ୍କୁ ମାଡ଼ ମାରିବା ସହ ତାଙ୍କୁ ବାନ୍ଧି ଦେଇଥିଲେ । ପରେ କାର୍ଯ୍ୟାଳୟର ଚେଷ୍ଟ୍ ରୁମ୍କୁ ପଶି ଚେଷ୍ଟ୍ ସହ ଏସ୍ଡିଓଙ୍କ ଲାପ୍ଟପ୍ ଓ କିଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଲୁଟ୍ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ତେବେ ତଳ ମହଲାରେ ରହୁଥିବା ଘର ମାଲିକ କିଛି ଶବ୍ଦ ଶୁଣି ଉପରକୁ ଆସିବାରେ ଶ୍ରୀ ମାନ୍ନା ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ । ଶ୍ରୀ ମାନ୍ନାଙ୍କୁ ଖୋଲିବା ସହ ଖୁଣ୍ଟା ଥାନାକୁ ଖବର ଦେଇଥିଲେ । ଖବରପାଇ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ବାରିପଦା ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ଟେର୍ ନପାଇ ଫେରି ଯାଇଥିବା ଜଣାପଡ଼ିଛି । ତେବେ ଆଇରନ୍ ଚେଷ୍ଟ ମଧ୍ୟରେ ପ୍ରାୟ ୨ଲକ୍ଷ ଟଙ୍କା ନଗଦ ସହ ପ୍ରାୟ ୧ଲକ୍ଷ ଟଙ୍କାର ସାମଗ୍ରୀ ରହିଥିବା ଜଣାପଡ଼ିଛି । ଅପର ପକ୍ଷେ ଆଇରନ୍ ଚେଷ୍ଟ୍ଟି ଶନିବାର ପୂର୍ବାହ୍ନରେ ପୁଲିସ ନିକଟସ୍ଥ ଏକ ବିଲରୁ ଉଦ୍ଧାର କରିଛି । ମାତ୍ର ଚେଷ୍ଟ କାଟି ଦୁର୍ବୃତ୍ତମାନେ ଟଙ୍କା ସହ ସାମଗ୍ରୀ ନେଇଯାଇଛନ୍ତି । ପ୍ରକାଶଯୋଗ୍ୟ ଯେ, ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟରେ ପ୍ରତ୍ୟେହ ଟଙ୍କା ରଖାଯାଏ ନାହିଁ । ମାତ୍ର ଶୁକ୍ରବାର ଖୁଣ୍ଟା ବିଦୁ୍ୟତ୍ ବିଭାଗ ପକ୍ଷରୁ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରୁ ଆଦାୟ ହୋଇଥିବା ଟଙ୍କା କାର୍ଯ୍ୟାଳୟର ଚେଷ୍ଟ୍ରେ ରଖା ଯାଇଥିଲା । ତେଣୁ ଏହି ଲୁଟ୍ ମାମଲାରେ କୌଣସି କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ସ୍ଥାନୀୟ ମହଲରେ ସନେ୍ଦହ ପ୍ରକଟ ହୋଇଛି । ଏନେଇ ଉପଖଣ୍ଡ ପୁଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ଯଥାଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।




Powered by odothemes.com