kamala

ଜଣେ ଓଡ଼ିଆଙ୍କ ସମେତ ୧୪ମୃତ

38

ମୁମ୍ବାଇ କମଳା ମିଲ୍ସରେ ଭୟାବହ ଅଗ୍ନିକାଣ୍ଡ
ମୁମ୍ବାଇ,୨୯ା୧୨: ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ କମଳା ମିଲ୍ସ କମ୍ପାଉଣ୍ଡସ୍ଥିତ ରେଷ୍ଟୋରାଣ୍ଟରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୪ଜଣଙ୍କର ପ୍ରାଣହାନୀ ଘଟିଛି । ୧୬ରୁ ଊଦ୍ଧ୍ୱର୍ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ଏଡ୍ୱାର୍ଡ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ସମଗ୍ର ସହରରେ ସୁରକ୍ଷାଜନିତ ଅଡିଟ୍ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏଭଳି ବେଆଇନ ନିର୍ମାଣ ଥିବା ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ କୁହାଯାଇଛି । ଘଟଣାରେ ଦାୟୀ କରାଯାଇ ବିହାନମୁମ୍ବାଇ ମହାନଗର ନିଗମର ୫ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ସଂସଦରେ ହଟ୍ଟଗୋଳ ହୋଇଛି । ମୃତକମାନଙ୍କ ମଧ୍ୟରେ ଓଡ଼ିଶାର ସର୍ବଜିତ୍ ସମରେନ୍ଦ୍ର ପରିଡା ଅନ୍ତର୍ଭୁକ୍ତ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ବଡପାଟପୁର ଗାଁର ସରବଜିତ୍ ଉକ୍ତ କମ୍ପାଉଣ୍ଡର ଏକ ହୋଟେଲରେ ୱେଟର ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ୬ମାସ ହେବ ସେ ଏଠାରେ କାମ କରିଆସୁଥିବା ତାଙ୍କ ପରିବାର ସଦସ୍ୟଙ୍କ ସୂତ୍ରରୁ ପ୍ରକାଶ ।ଏଭଳି ଏକ ଦୁଃଖଦ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ ଯୋଗେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମ୍ବେଦନା ଜ୍ଞାପନ କରିଛନ୍ତି । ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହିର ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ୍ ପାଇଁ ବିଏମ୍ସିକୁ ନିଦେ୍ର୍ଦଶ ଦେବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ରେଷ୍ଟୁରାଣ୍ଟର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ । ପ୍ରାପ୍ତ ସୂଚନା ମୁତାବକ, ଗୁରୁବାର ରାତି ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ନିଆଁର ପରିମାଣ ଏତେ ତୀବ୍ର ଥିଲା ଯେ ଏହାକୁ ଆୟତ୍ତ କରିବା ସମ୍ଭବପର ନଥିଲା । ନିଆଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ୨ଘଣ୍ଟା ସମୟ ନେଇଥିଲା । ନିଆଁ ଲିଭା କାର୍ଯ୍ୟରେ ୮ଟି ଦମକଳ ଓ ୬ଟି ପାଣି ଟ୍ୟାଙ୍କର ମୁତୟନ କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ନିମନ୍ତେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ ପହଞ୍ଚିଥିଲେ । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମତରେ ରାତି ପ୍ରାୟ ୧୨.୩୦ମିନିଟ୍ ସରେ ସେନାପତି ବାପତ ମାର୍ଗରେ ଅବସ୍ଥିତ ୬ମହଲା କୋଠାର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗକୁ ପଠାଯାଇଥିଲେ ମଧ୍ୟ ଅଧଘଣ୍ଟାଏ ମଧ୍ୟରେ ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା । ୨୪ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା । ତେବେ ମୃତକଙ୍କ ମଧ୍ୟରେ ୧୧ଜଣ ମହିଳା ଓ ୩ଜଣ ପୁରୁଷ ଅନ୍ତର୍ଭୁକ୍ତ । କାରଣ କୋଠାର ଏକ ରେସ୍ତୋରାଁ ପାର୍ଟିରେ ମହିଳାମାନେ ଯୋଗ ଦେଇଥିଲେ । କମଳା ମିଲ୍ସ କମ୍ପାଉଣ୍ଡରେ କର୍ପୋରେଟ୍ ଅଫିସ୍ ଛଡା ନୁ୍ୟଜ୍ ଚ୍ୟାନେଲ ଅଫିସ୍ ମଧ୍ୟ ଥିଲା । ଅଗ୍ନିକାଣ୍ଡ ଯୋଗୁଁ ନୁ୍ୟଜ ଚ୍ୟାନେଲର ପ୍ରସାରଣକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା । ପୁଲିସ ରିପୋର୍ଟ ମୁତାବକ, ଦୁଇ ଦୁଇଟି ରେଷ୍ଟୁରାଣ୍ଟ ଯୋଗୁଁ କମଳା ମିଲ୍ସରେ ଭୟାବହ ଅଗ୍ନିକାଣ୍ଡ ହେଲା ବୋଲି ପୁଲିସ ସନେ୍ଦହ କରିଛି । ପ୍ରଥମତଃ ରେଷ୍ଟୁରାଷ୍ଟରେ ନିଆଁ ଲିଭା ଯନ୍ତ୍ର ନଥିଲା । ଦ୍ୱିତୀୟତଃ ଜରୁରୀକାଳୀନ ଫାଟକ ନିକଟରେ ଆସବାବପତ୍ର ରଖାଯାଇଥିବା ଯୋଗୁଁ ନିଆଁ ଲାଗିବା ସମୟରେ ଫାଟକଟି ଖୋଲି ନଥିଲା ।
ମହାରାଷ୍ଟ୍ର ନବନିର୍ମାଣ ସେନାର ଜଣେ କର୍ମକର୍ତ୍ତା ବାରମ୍ବାର ସମ୍ପୃକ୍ତ ମଲ୍ର ନିର୍ମାଣକୁ ବେଆଇନ ଦର୍ଶାଇ ବିଏମ୍ସିରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ବିଏମ୍ସି ପକ୍ଷରୁ କୌଣସି ବେଆଇନ ନିର୍ମାଣ ହୋଇନଥିବା କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com