ରାଜଧାନୀ ନାକତଳେ ବନ୍ଧୁକ କାରଖାନା

70

ଭୁବନେଶ୍ୱର,୧୬ା୫(ବୁ୍ୟରୋ): କମିଶନ୍ରେଟ୍ ପୁଲିସ୍ର କୁଇକ୍ ଆକ୍ସନ୍ ଟିମ୍ (କୁ୍ୟଏଟି) ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ପାଣିଛତ୍ର ଗାଁରେ ଚଢ଼ାଉ କରି ବନ୍ଧୁକ କାରଖାନାକୁ ଠାବ କରିଛି । ବନ୍ଧୁକ ତିଆରି କରୁଥିବା ୨ ଜଣ କାରିଗରଙ୍କ ସମେତ ୪ ଜଣଙ୍କୁ ପୁଲିସ୍ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୩୬ ରାଉଣ୍ଡ ଗୁଳି, ଗୋଟିଏ ପଲ୍ସର୍ ବାଇକ୍, ଗନ୍ ପାଉଡର ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରାଯାଇଥିବା ପୁଲିସ୍ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ, ପାଣିଛତ୍ର ଗାଁର କାରିଗର ବାବୁଲି ମହାରଣା (୬୦), ତା’ର ସହଯୋଗୀ ଅଧିକାରୀ ମହାରଣା (୪୩), ବାବୁଲି ଠାରୁ ବନ୍ଧୁକ କିଣିଥିବା ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ସ୍ଥିତ ଜଗନ୍ନାଥପ୍ରସାଦ ଗାଁର ସନାତନ ବଳିୟାରସିଂ (୨୪) ଓ ରଣେନ୍ଦ୍ର ପ୍ରତାପ ଦାଶ (୧୮) ।  ପୁଲିସ୍ ସୂଚନାଅନୁଯାୟୀ, ରାଜଧାନୀ ଅପରାଧୀଙ୍କ ହାତରେ ବନ୍ଧୁକ । କଥା କଥାକେ ଗୁଳି ଫୁଟୁଛି । ବନ୍ଧୁକଧାରୀ ଅପରାଧୀଙ୍କୁ ରୋକିବା ପାଇଁ କମିଶନ୍ରେଟ୍ ପୁଲିସ୍ ଅପରେସନ୍ “ବ୍ଲାକ୍ ସ୍ମୋକ୍’ ଆରମ୍ଭ କରିଥିଲା । କୁ୍ୟଏଟିକୁ ଏହି ଅପରେସନ୍ ଦାୟିତ୍ୱ ଦିଆଯାଇଥିଲା । କାଲି ରାତିରେ କଳିଙ୍ଗନଗର- ଘାଟିକିଆ ରାସ୍ତାର ଟାଟା ଛକ ନିକଟରେ ଦୁଇଜଣ ବନ୍ଧୁକଧାରୀ ଯୁବକ ବୁଲୁଥିବା କୁ୍ୟଏଟିକୁ ଖବର ମିଳିଥିଲା । ତମାଣ୍ଡୋ ଥାନା ପୁଲିସ୍ ଓ କୁ୍ୟଏଟି ଉପରୋକ୍ତ ଛକରେ ଚଢ଼ାଉ କରି ସନାତନ ଓ ରଣେନ୍ଦ୍ରକୁ କାବୁ କରିଥିଲେ । ସେମାନଙ୍କୁ ଯାଞ୍ଚ କରିବା ପରେ ସନାତନ ଅଣ୍ଟାରୁ ଗୋଟିଏ ୭.୫୬ ଏମ୍ଏମ୍ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଏବଂ ରଣେନ୍ଦ୍ର ପ୍ୟାଣ୍ଟ୍ ପକେଟରୁ ଗୋଟିଏ ରିଭଲ୍ଭର ସହ ୫ ରାଉଣ୍ଡ ଗୁଳି ମିଳିଥିଲା । ପଚରାଉଚରା କରିବା ପରେ ସେମାନେ ବାବୁଲି ଠାରୁ ଉକ୍ତ ପିସ୍ତଲ କିଣିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଥିଲେ । ସନାତନ ଓ ରଣେନ୍ଦ୍ରଙ୍କ ଠାରୁ ପୁଲିସ୍ ସୂଚନା ପାଇଁ ବାବୁଲିଙ୍କ ପାଣିଛତ୍ର ସ୍ଥିତ ଘରେ ଚଢ଼ାଉ କରିଥିଲା । ସେଠାରେ ବାବୁଲିକୁ ଗିରଫ କରିଥିଲା । ତା’ ଘରୁ ୨ଟି ରିଭଲ୍ଭର, ୧୧ ରାଉଣ୍ଡ ଗୁଳି ଓ ବନ୍ଧୁକ ତିଆରି ସରଞ୍ଜାମ ପୁଲିସ୍ ଜବତ କରିଥିଲା । ସେହିପରି ଅଧିକାରୀକୁ ଗିରଫ କରି ତା’ ନିକଟରୁ ଗୋଟିଏ ପିସ୍ତଲ, ୧୭ ରାଉଣ୍ଡ ଗୁଳି, ୩ଟି ଅଧାତିଆରୀ ରିଭଲ୍ଭର, ୭ଟି ଖୋକା ଓ ୧୦୦ ଗ୍ରାମ୍ ଓଜନର ଗନ୍ ପାଉଡର ଜବତ କରିଥିଲା । ଗିରଫ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ କାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ କହିଛି ।
୧୯୯୦ ମସିହାରେ ବାବୁଲି ତା’ ଘରେ ବନ୍ଧୁକ ତିଆରି ଆରମ୍ଭ କରିଥିଲା । ଦୀର୍ଘ ୨୫ ବର୍ଷ ହେବ ସେ ସିଙ୍ଗଲ୍ସଟ୍ ଓ ରିଭଲ୍ଭର ତିଆରି କରି ଅପରାଧୀଙ୍କୁ ବିକ୍ରି କରୁଥିଲା । କେବଳ ବନ୍ଧୁକ ନୁହେଁ ସେ ଗୁଳି ବି ତିଆରି କରୁଥିଲା । ଗୋଟିଏ ସିଙ୍ଗଲସଟ୍କୁ ୫ରୁ ୭ ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ରିଭଲ୍ଭରକୁ ୧୦ରୁ ୧୨ ହଜାର ଟଙ୍କା ବିକୁଥିଲା ।

ସେଆର କରନ୍ତୁ:



Powered by odothemes.com