ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ରାଜ୍ୟ ଦେବ ହଜାରେ କୋଟି

77

ଭୁବନେଶ୍ୱର, ୧୬ା୫ (ବୁ୍ୟରୋ): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ରାଜ୍ୟ ସରକାର ଓ ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ଖୁବଶୀଘ୍ର ବୁଝାମଣା ପତ୍ର (ଏମଓୟୁ) କରାଯିବ । ଏମଓୟୁର ଚିଠା ପ୍ରସ୍ତାବ ରେଳମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ପଠାଯାଇଛି ଏବଂ ସରକାର ଏହାକୁ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ଏହି ରେଳପଥ ନିର୍ମାଣ ପାଇଁ ଯେିତିକି ଅର୍ଥ ଖର୍ଚ୍ଚ ହେବ ତାହାର ୫୦% ରାଜ୍ୟ ବହନ କରିବ ଓ ମାଗାଣାରେ ଜମି ରେଳବାଇକୁ ଯୋଗାଇଦେବ ବୋଲି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଘୋଷଣା କରିଥିଲେ । ସରକାର ତାଙ୍କ ଘୋଷଣାକୁ ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୧୯୯୪ରୁ ଆରମ୍ଭ ହୋଇଥିବା ଏହି ରେଳପଥର ନିର୍ମାଣ ମାତ୍ର ୩୬ କିଲୋମିଟର ପର୍ଯ୍ୟନ୍ତ ଶେଷ ହୋଇଛି । ୩୬ ରୁ ୧୧୨ କିଲୋମିଟର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ କେବଳ ମାଟିକାମ ସରିଛି । ତେବେ ରେଳବାଇ ୧୧୨ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ରେଳପଥର ଖର୍ଚ୍ଚ ରେଳବାଇ ଭରଣା କରିବ । ୧୧୨ରୁ ୨୮୯ କିଲୋମିଟର; ଯାହା ଦଶପଲ୍ଲାରୁ ବଲାଙ୍ଗୀର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ଯେତିକି ଅର୍ଥ ବ୍ୟୟ ହେବ ସେଥିରୁ ରାଜ୍ୟ ସରକାର ୫୦% ବହନ କରିବେ । ଏଥପାଇଁ ୨୦୦୦ କୋଟିଟଙ୍କା ଖର୍ଚ୍ଚ ହେବ । ସରକାର ତାଙ୍କ ଅଂଶ ବାବଦରେ ୧୦୦୦ କୋଟିଟଙ୍କା ସହ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ରାଶିକୁ ମଧ୍ୟ ବହନ କରିବେ । ଜମି ଅଧିଗ୍ରହଣ ବାବଦରେ ପ୍ରାୟ ୩୦୦ କୋଟିଟଙ୍କା ଖର୍ଚ୍ଚ ହେବ । ଚିଠା ଏମଓୟୁ ଅନୁଯାୟୀ ଦୁଇବର୍ଷ ମଧ୍ୟରେ ଜମି ଅଧିଗ୍ରହଣ ସରିବ ଓ ୪ବର୍ଷରେ ନିର୍ମାଣ ଶେଷ ହେବ । ଏମଓୟୁ ସ୍ୱାକ୍ଷରଲାଗି ତାରିଖ ସ୍ଥିର କରିବାକୁ ରେଳବାଇ ମନ୍ତ୍ରଣାଳୟକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି । ଏହି ଏମଓୟୁ ସ୍ୱାକ୍ଷର ପରେ ଜୟପୁର- ମାଲକାନାଗିରି ଓ ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ ମଧ୍ୟ ଏସ୍ପିଭି ମାଧ୍ୟମରେ କରିିବା ପାଇଁ ରେଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି । ସେ ସଂପର୍କରେ ରେଳବାଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସୂଚନା ଆସିନାହିଁ ।

ସେଆର କରନ୍ତୁ:



Powered by odothemes.com