ଆଇଓସିଏଲ୍ରୁ ତେଲ ଚୋରି: ୫ ଗିରଫ | ସର୍ବସାଧାରଣ ଖବରକାଗଜ
paradeep-tela-chora

ଆଇଓସିଏଲ୍ରୁ ତେଲ ଚୋରି: ୫ ଗିରଫ

21

ପାରାଦୀପ(ଆପ୍ର): ବହୁବର୍ଷ ଧରି ଆଇଓସିଏଲ୍ ପାଇପ୍ ଲାଇନରୁ ତେଲ ଚୋରିକରି ଆସୁଥିବା ଏକ ବୃହତ୍ ର୍ୟାକେଟ ପାରାଦୀପ ପୁଲିସ ଜାଲରେ ପଡ଼ିଛି । କିନ୍ତୁ ର୍ୟାକେଟ୍ର ଅନ୍ୟତମ ମୁଖ୍ୟ ବଳିଆ ଫେରାର୍ ହୋଇଯାଇଛି । ସ୍ଥାନୀୟ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ବିଷ୍ଣୁ ଚରଣ ମିଶ୍ର ଓ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇ କହିଛନ୍ତି, ଏହି ର୍ୟାକେଟ୍ ବର୍ଷ ବର୍ଷ ଧରି ପାଇପ୍ ଲାଇନରୁ ତେଲ ଚୋରି କରୁଥିଲେ । ବନ୍ଦରରୁ ଆଇଓସିଏଲକୁ ସଂଯୋଗ କରୁଥିବା ପାଇପ୍ ଲାଇନରେ ଏହି ଚୋର ଦଳ ଡ୍ରିିଲ କରି ରଖିଛନ୍ତି । ବନ୍ଦରରେ ତେଲ ଜାହାଜ ଲାଗିବା ବେଳେ ପୂର୍ବରୁ କରିଥିବା କଣାରେ ପାଇପ୍ ସଂଯୋଗ କରି ତେଲ ଡଙ୍ଗିକୁ ସଂଯୋଗ କରିଥାନ୍ତି । ଏକାଥରକେ ଗୋଟିଏ ଡଙ୍ଗିରେ ପ୍ରାୟ ୧୦/୧୨ ହଜାର ଲିଟର ଡିଜେଲ/କିରୋସିନ ନେଇ ପଳାନ୍ତି । ଚୋରା ତେଲକୁ ସେମାନେ ନେଇ ସମୁଦ୍ର ଭିତରେ ବୋଟବାଲା କିମ୍ବା ଟ୍ରକ ମାଲିକଙ୍କୁ ବିକ୍ରି କରିଥାଆନ୍ତି । ଅଭିଯୁକ୍ତ ନିର୍ମଳ ହାଲଦାର, ଚଣ୍ଡିଆ ବର୍ମନ, ସପନ୍ ବର୍ମନ, ବିଷ୍ଣୁ ସରକାର ଓ ବଳରାମ ଦାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କଠାରୁ ତେଲ ଚୋରିରେ ବ୍ୟବହୃତ ବିଭିନ୍ନ ସମାଗ୍ରୀ ଏବଂ କିଛି ତେଲ ଭର୍ତ୍ତି ବ୍ୟାରେଲ ଜବତ କରାଯାଇଛି । ତେଲ ଚୋରିରେ ବ୍ୟବହୃତ ଗୋଟିଏ ଡଙ୍ଗିକୁ ପୁଲିସ୍ ଜବତ କରିଥିବାବେଳେ ଆହୁରି ଅନେକ ଡଙ୍ଗିର ପତ୍ତା ମିଳିନି ।




Powered by odothemes.com