ଦୁଇ ଦଶନ୍ଧି ସଂଘର୍ଷର ସ୍ମୃତି ସାଉଁଟିବ ବିଜେଡି

19

୨୬ରେ ପ୍ରତିନିଧି ସମ୍ମିଳନୀ
ସାମିଲ ହେବେ ୩୦ ହଜାର ଦଳୀୟ କର୍ମକର୍ତ୍ତା
ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ୨୬ରେ ବିଜେଡିର ୨୦ବର୍ଷ ପୁର୍ତି ଅବସରରେ ପାଳନ ହେବାକୁ ଯାଉଛି ପ୍ରତିନିଧି ସମ୍ମିଳନୀ । ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ସାକାର କରିବା ପାଇଁ ପ୍ରବାଦ ପୁରୁଷ ବିଜୁବାବୁଙ୍କର ନୀତି ଏବଂ ଆଦର୍ଶକୁ ପାଥେୟ କରି ବିଜେଡି ଏହି ୨୦ ବର୍ଷର ଯାତ୍ରାରେ ଗାଁଠୁ ସହର ପର୍ଯ୍ୟନ୍ତ ଅଗଣିତ ରାଜ୍ୟବାସୀଙ୍କ ସଦ୍ଦିଚ୍ଛା ଏବଂ ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦରେ ରାଜ୍ୟର ସବୁସ୍ତରରେ ଅଭିବୃଦ୍ଧି ପାଇଁ ସଫଳତାର ସହିତ କାର୍ଯ୍ୟ କରିଛି । ଅନେକ ବାଧାବିଘ୍ନ ଓ ପକ୍ଷପାତିତା ସତ୍ତ୍ୱେ ବିଜେଡି ସରକାର ନିଜର ବିକାଶ ଯାତ୍ରା ଉଲ୍ଲେଖନୀୟ ଭାବେ ଜାରି ରଖିଛି ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି । ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଦାସବର୍ମା କହିଛନ୍ତି, ଏହି ଦୁଇ ଦଶନ୍ଧିର ଉପଲବ୍ଧିକୁ ପାଳନ କରିବା ପାଇଁ ବିଜେଡି ଦଳ ୨୬ ତାରିଖ ମଙ୍ଗଳବାର ପୂର୍ବାହ୍ଣ ୧୦ଟାରେ ତାଳବଣିଆ ଠାରେ ଏକ ରାଜ୍ୟସ୍ତରୀୟ ପ୍ରତିନିଧି ସମ୍ମିଳନୀର ଆୟୋଜନ କରିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ମର୍ମରେ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା, ସାଂସଦ, ବିଧାୟିକା, ବିଧାୟକପ୍ରାର୍ଥୀ, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ନଗର ଓ ବ୍ଲକ ସଭାପତି, ଜିଲ୍ଲା କର୍ମକର୍ତ୍ତା, ଯୁବ, ଛାତ୍ର, ମହିଳା, କୃଷକ ଓ ଶ୍ରମିକ ଭଳି ବିଭିନ୍ନ ଛାମୁଆ ସଂଗଠନ ଏବଂ ସଂଖ୍ୟାଲଘୁ, ଆଇନ, ସମବାୟ ଭଳି ପ୍ରମୁଖ ବିଭିନ୍ନ ସେଲ୍‌ର ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା, ପଞ୍ଚାୟତ ସଭାପତି, ଆବାହକ, ନିର୍ବାଚିତ ଓ ପ୍ରାର୍ଥୀ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ-ପୌରପାଳିକା ଅଧ୍ୟକ୍ଷ, ଉପାଧ୍ୟକ୍ଷ, ମେୟର ଓ କର୍ପୋରେଟର, ଜିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ସଭ୍ୟ, ବ୍ଲକ ବିଜେଡି କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ପୂର୍ବାହ୍ଣ ୯ଟାରେ ଏହି ସମ୍ମିଳନୀର ପଞ୍ଜିକରଣ ଆରମ୍ଭ ହେବ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାରୁ ଭୁବନେଶ୍ୱର ଠାରୁ ପୁରୀ ରାସ୍ତାର ୨୦ ଟି ପ୍ରମ୍ମୁଖ ସ୍ଥାନରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନର ପ୍ରତିଛବି ତୋରଣ ନିର୍ମାଣ କରାଯିବ । ଏଥିସହ ଭୁବନେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି ।
୧୯୯୯ ମହାବାତ୍ୟାରେ ଓଡ଼ିଶାର ଅର୍ଥନୀତି ସମ୍ପୁର୍ଣ୍ଣ ଦୋହଲି ଯାଇଥିଲା । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଦାୟିତ୍ୱ ଗ୍ରହଣ କରିଥିଲା । ଇତି ମଧ୍ୟରେ ୧୭ ବର୍ଷ ବିତିଯାଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶ ଧାରା ବଜାୟ ରହିଛି । ଗତ ୨୦ବର୍ଷ ମଧ୍ୟରେ ଦଳର ଉତ୍ତର ଦାୟିତ୍ୱ ବଢ଼ିଯାଇଛି । ତେଣୁ ‘ଆଗାମୀ ଓଡ଼ିଶାର ବିକାଶ ଯାତ୍ରା’ରେ ସଭିଏଁ ଏକମନ ଏକପ୍ରାଣରେ ସଂକଳ୍ପ କରିବାର ବେଳ ଆସିଛି ବୋଲି ଶ୍ରୀ ଦାସବର୍ମା ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । ସେହିଭଳି ଆସନ୍ତା ୨୬ରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିନିଧି ସମ୍ମିଳନୀର ପ୍ରସ୍ତୁତି ଚଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ।




Powered by odothemes.com