yuzvendra-sportzpics-december-international-celebrates-2017photo-tharanga_687d2d60-e59f-11e7-b094-c21f82b60b0b

ବାରବାଟୀରେ ବିଜୟ ଉତ୍ସବ

38

କଟକ, ୨୦ା୧୨ (ବିଶ୍ୱଜିତ୍ ମହାନ୍ତି): ଏଗାର ବର୍ଷ ତଳେ ଏମିତି ଏକ ଡିସେମ୍ବର ସନ୍ଧ୍ୟାରେ ସୁଦୂର ଜୋହାନସ୍ବର୍ଗ (ଦକ୍ଷିଣ ଆଫ୍ରିକା) ଠାରେ ଆନ୍ତର୍ଜାତିକ ଟି-୨୦ କ୍ରିକେଟ୍ରେ ପଦାର୍ପଣ କରିଥିଲା ଭାରତ । ୟା’ ଭିତରେ ହେଲାଣି ଅନେକ ପରିବର୍ତ୍ତନ । ବଦଳିଲାଣି ନେତୃତ୍ୱ । ବିସିସିଆଇ ଓ ଅନ୍ୟମାନେ ବୁଝିସାରିଲେଣି ଏହି ଫର୍ମାଟ୍ର ଚାହିଦା, ଅର୍ଥ ଆୟ ସାମର୍ଥ୍ୟ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ । ବାରବାଟୀ ମଧ୍ୟ ଏହାର ରୋମାଞ୍ଚ ବଢ଼ାଇବାରେ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିଛି । ଫଟାଫଟ୍ ଫର୍ମାଟ୍ ପାଇଁ ଭାରତୀୟ କ୍ରିକେଟ୍ରେ ପରୀକ୍ଷାନିରୀକ୍ଷା ହେବା ଓ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦିଆଯିବାସ୍ଥଳେ ସେଦିନ ଭାରତୀୟ ଦଳରେ ଥିବା ଦୁଇଜଣ ଖେଳାଳି ଆଜି ବି ଥିଲେ । ତନ୍ମଧ୍ୟରୁ ଜଣେ ହେଲେ ମହେନ୍ଦ୍ର ସିଂ ଧୋନି, ଅନ୍ୟଜଣେ ଦିନେଶ କାର୍ତ୍ତିକ । ସେମାନଙ୍କ ପ୍ରଦର୍ଶନ ଅପେକ୍ଷା ଯୁବ ଖେଳାଳିଙ୍କୁ ସେମାନଙ୍କ ମାର୍ଗଦର୍ଶନ ଅଧିକ ଗୁରୁତ୍ୱ ରଖୁଥିଲା । କାର୍ତ୍ତିକ ଅବଶ୍ୟ ଆଜି ବ୍ୟାଟିଂ କରିବାକୁ ସୁଯୋଗ ପାଇ ନ ଥିଲେ, ହେଲେ ଧୋନି ଆଜି ବାରବାଟୀରେ ନିଜ ଫିଟ୍ନେସ୍ ଓ ପ୍ରଦର୍ଶନର ଆଉ ଏକ ଝଲକ ଦେଖାଇଥିଲେ । ବ୍ୟାଟିଂରେ ସେ ୨୨ ବଲ୍ରୁ ୩୯ ରନ୍ କରିଥିଲେ । ୱିକେଟ୍ ପଛରେ ତାଙ୍କର ତୁଳନା ନ ଥିଲା । ସେ ତିନିଟି ଷ୍ଟମ୍ପିଂ କରିଥିଲେ । ଧୋନିଙ୍କ ବ୍ୟତୀତ ଲୋକେଶ ରାହୁଲ୍ଙ୍କ ଦମ୍ଦାର ଅର୍ଦ୍ଧଶତକ, ୟୁଜବେନ୍ଦ୍ର ଚହଲ୍ଙ୍କ ନେତୃତ୍ୱରେ ବୋଲର୍ଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଭାରତ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୯୩ ରନ୍ର ବୃହତ୍ ବ୍ୟବଧାନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦମ୍ଦାର ଅଭିଯାନ ଆରମ୍ଭ କରିଛି । ଚହଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଆନ୍ତର୍ଜାତିକ ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ଏହା ଭାରତର ଅଷ୍ଟମ ତଥା କ୍ରମାଗତ ପଞ୍ଚମ ବିଜୟ । ବାରବାଟୀ ଗ୍ରାଉଣ୍ଡରେ ଏହା ଆୟୋଜକ ଦଳର ପ୍ରଥମ ଟି-୨୦ ସଫଳତା । ଆଜିର ବିଜୟ ୨୦୧୫ରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜୟକୁ ପାସୋରି ଦେଇଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଥିବା ରୋହିତ୍ ଶର୍ମାଙ୍କ ପାଇଁ ଏହା ଆଉ ଏକ ସଫଳତା ।
˜ ଶ୍ରୀଲଙ୍କାର ଟସ୍ ବିଜୟ
ଶ୍ରୀଲଙ୍କା ଦଳର ଅଧିନାୟକ ତିସାରା ପରେରା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଭ୍ରମଣକାରୀ ଦଳରେ ଚାରିଟି ପରିବର୍ତ୍ତନ କରାଯାଇଥିଲା । ଦୁଷ୍ମନ୍ତ ଚମୀରା, ଦାସୁନ୍ ଶନକା, ବିଶ୍ୱ ଫର୍ଣ୍ଣାଣ୍ଡୋ ଓ କୁଶଲ ପରେରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । ବାମହାତୀ ସିମର୍ ଫର୍ଣ୍ଣାଣ୍ଡୋ ଶ୍ରୀଲଙ୍କା ପକ୍ଷରୁ ଟି-୨୦ କ୍ରିକେଟ୍ରେ ପଦାର୍ପଣ କରିଥିଲେ । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା । ଶିଖର ଧାବନ୍ଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଲୋକେଶ ରାହୁଲ୍ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସେହିପରି ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଜୟଦେବ ଉନାଦକଟ ସୁଯୋଗ ପାଇଥିଲେ ।
˜ କାହାକୁ ମିଳିଲାନି ପଦାର୍ପଣ ସୁଯୋଗ
ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ରହିଛନ୍ତି । ତନ୍ମଧ୍ୟରେ ତିନିଜଣ – ବାସିଲ୍ ଥାମ୍ପି, ୱାଶିଂଟନ୍ ସୁନ୍ଦର ଓ ଦୀପକ ହୁଡ଼ା ଆନ୍ତର୍ଜାତିକ ଟି-୨୦ରେ ପଦାର୍ପଣ ଅପେକ୍ଷାରେ ଅଛନ୍ତି । ସେହି ତିନିଜଣଙ୍କ ମଧ୍ୟରୁ କାହାରିକୁ ଆଜି ପଦାର୍ପଣ ସୁଯୋଗ ମିଳି ନ ଥିଲା । ଅନ୍ୟପଟେ ପେସର୍ ଜୟଦେବ ଉନାଦକଟଙ୍କୁ ଦଳରେ ସୁଯୋଗ ମିଳିଥିଲା ।
˜ ରୋହିତ୍ ବିଫଳ
ଅଧିନାୟକ ରୋହିତ୍ ଓ ଲୋକେଶ ରାହୁଲ୍ ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ । ଏହି ଯୋଡ଼ି ପ୍ରଥମରୁ ଭଲ ଖେଳିଥିଲେହେଁ ରୋହିତ୍ ବଡ଼ ଇନିଂସ୍ ଖେଳିବାରେ ସଫଳ ହୋଇ ନ ଥିଲେ । ଦଳୀୟ ସ୍କୋର୍ ୩୮ ହୋଇଥିବାବେଳେ ରୋହିତ୍ ବ୍ୟକ୍ତିଗତ ୧୭ ରନ୍ରେ ଆଞ୍ଜେଲୋ ମାଥୁ୍ୟସ୍ଙ୍କ ବଲ୍ରେ ଚମୀରାଙ୍କୁ କ୍ୟାଚ୍ ଦେଇଥିଲେ । ରୋହିତ୍ଙ୍କ ବିଫଳତା ଦର୍ଶକଙ୍କୁ କିଛିଟା ନିରାଶ କରିଥିଲା । ଏହାପରେ ରାହୁଲ୍ ନୂଆ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟରଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ ।
˜ ରିଭୁ୍ୟ ସଫଳତା ଓ ରାହୁଲ୍ଙ୍କ ଅର୍ଦ୍ଧଶତକ
ସପ୍ତମ ଓଭର୍ରେ ରାହୁଲ୍ ବ୍ୟାଟିଂ କରୁଥିବାବେଳେ ବିପକ୍ଷ ବୋଲର୍ ଆଞ୍ଜେଲୋ ମାଥୁ୍ୟସ୍ ଏଲ୍ବିଡବ୍ଲୁ୍ୟ ଅପିଲ୍ କରିଥିଲେ । ଅମ୍ପାୟାର ନୀତିନ୍ ମେନନ୍ ମଧ୍ୟ ଆଉଟ୍ ଦେଇଥିଲେ । ଭାରତ ରିଭୁ୍ୟ ନେଇଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ସେତେବେଳକୁ ଭାରତର ସ୍କୋର୍ ୫୦/୧ ହୋଇଥିଲା ।
ଏହି ଜୀବନଦାନରୁ ପୂରା ଫାଇଦା ଉଠାଇଥିଲେ ରାହୁଲ୍ । ଅଧିନାୟକ ଆଉଟ୍ ହେବାପରେ ଯେଉଁ ଦାୟିତ୍ୱ ତାଙ୍କ ଉପରେ ସ୍ୱତଃ ନ୍ୟସ୍ତ ହୋଇଥିଲା, ତାହାକୁ ସୁଚାରୁରୂପେ ନିର୍ବାହ କରିଥିଲେ । ସେ ଶ୍ରେୟାସ ଆୟରଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ୧୦ମ ଓଭର୍ର ଶେଷ ବଲ୍ରେ ୧ ରନ୍ ନେଇ ଅର୍ଦ୍ଧଶତକ ପୂରଣ କରିଥିଲେ ରାହୁଲ୍ (୩୪ ବଲ୍ରୁ) । ଏହା ତାଙ୍କ ଆନ୍ତର୍ଜାତିକ ଟି-୨୦ କ୍ୟାରିଅର୍ର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା । ଏହି ଯୋଡ଼ି ଇନିଂସ୍କୁ ୧୦୦ ପାରି କରାଇଥିଲେ ।
୧୩ତମ ଓଭର୍ରେ ଏହି ଯୋଡ଼ି ଭାଙ୍ଗିଥିଲେ ନୁୱାନ୍ ପ୍ରଦୀପ । ଆୟର ୨୪ ରନ୍ କରି ୱିକେଟ୍କିପର୍ ନିରୋଶାନ୍ ଡିକ୍ୱେଲାଙ୍କୁ କ୍ୟାଚ୍ ଦେଇଥିଲେ । ଦ୍ୱିତୀୟ ୱିକେଟ୍ରେ ୬୩ ରନ୍ର ଭାଗୀଦାରୀ ହୋଇଥିଲା । ଏହାପରେ ରାହୁଲ୍ଙ୍କ ସହ ଯୋଗ ଦେଇଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ ରାହୁଲ୍ଙ୍କ ଦୃଢ଼ ଇନିଂସ୍ ବେଶୀ ବାଟ ଯାଇପାରି ନ ଥିଲା । ପରେରା ଏହି ଓପ୍ନର୍୍ଙ୍କୁ ଆଉଟ୍ କରିଥିଲେ । ରାହୁଲ୍ ୪୮ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୧ ରନ୍ କରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ମନୀଷ ପାଣ୍ଡେ ।
˜ ଶେଷ ୪ ଓଭର୍ରେ ୬୧ ରନ୍
କିଛି ସମୟ ମଧ୍ୟରେ କ୍ରିଜ୍ରେ ଜମିଯାଇଥିଲେ ଧୋନି ଓ ପାଣ୍ଡେ । ଶେଷ ଚାରି ଓଭର୍ରେ ଉଭୟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ ଇନିଂସ୍ ମଜଭୁତ ସ୍ଥିତିରେ ପହଞ୍ଚିଥିଲା । ଏହି ଚାରି ଓଭର୍ରେ ୬୧ ରନ୍ ହୋଇଥିଲା । ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୩ ୱିକେଟ୍ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲା । ଧୋନି ୩୯ (୨୨ ବଲ୍ରୁ ୪ ଚୌକା ଓ ୧ ଛକା ସହାୟତାରେ) ଓ ମନୀଷ ପାଣ୍ଡେ ୩୨ (୧୮ ବଲ୍ରୁ ୨ଟି ଲେଖାଏଁ ଚୌକା ଓ ଛକା ସହାୟତାରେ) ରନ୍ କରି କ୍ରିଜ୍ରେ ଥିଲେ । ଶେଷ ବଲ୍ରେ ଧୋନି ଏକ ଆକର୍ଷଣୀୟ ଛକା ଲଗାଇଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଥୁ୍ୟସ୍, ପରେରା ଓ ପ୍ରଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଚମୀରା ସବୁଠାରୁ ମହଙ୍ଗା ବୋଲର୍ ସାବ୍ୟସ୍ତ ହୋଇଥିଲେ । ସେ ୩ ଓଭର୍ରେ ୩୮ ରନ୍ ଦେଇଥିଲେ ।
˜ ୮୭ରେ ଭୁଶୁଡ଼ିଲା ଶ୍ରୀଲଙ୍କା ଇନିଂସ୍
୧୮୧ ରନ୍ର ବଡ଼ ବିଜୟଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ଦଳ କୌଣସି ସମୟରେ ଭଲସ୍ଥିତିରେ ନ ଥିଲା । ଅଳ୍ପ ରନ୍ ବ୍ୟବଧାନରେ ୱିକେଟ୍ ପତନ ଜାରି ରହିଥିଲା । ଭାରତୀୟ ବୋଲର୍ଙ୍କ ସାମ୍ନା କରି ନ ପାରି ଭ୍ରମଣକାରୀ ଦଳ ଶେଷରେ ୧୬ ଓଭର୍ରେ ମାତ୍ର ୮୭ ରନ୍ କରି ଭୁଶୁଡ଼ି ପଡ଼ିଥିଲା ।
ନିରୋଶାନ୍ ଡିକ୍ୱେଲା ଓ ଉପୁଲ ତରଙ୍ଗାଙ୍କ ଓପନିଂ ଯୋଡ଼ି ମାତ୍ର ୧୫ ରନ୍ରେ ଭାଙ୍ଗିଥିଲା । ଡିକ୍ୱେଲା ୧୩ ରନ୍ କରି ଉନାଦକଟଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ତରଙ୍ଗା ବ୍ୟକ୍ତିଗତ ୨୩ ରନ୍ରେ ଚହଲଙ୍କ ବଲ୍ରେ ପ୍ୟାଭିଲିଅନ୍ ଫେରିଥିଲେ । ତିନି ନମ୍ବର ବ୍ୟାଟ୍ସମ୍ୟାନ୍ କୁଶଲ ପରେରା ୧୯ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଚମୀରା ୧୨ ରନ୍ କରିଥିଲେ । ଏହି ଚାରିଜଣଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇଅଙ୍କ ଛୁଇଁପାରି ନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥୁ୍ୟସ୍ ୧, ଅସେଲା ଗୁଣରତ୍ନେ ୪, ଶନକା ୧, ଅଧିନାୟକ ପରେରା ୩, ଅକିଲା ଧନଞ୍ଜୟ ୭, ଫର୍ଣ୍ଣାଣ୍ଡୋ ୨ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, କୁଲଦୀପ ଯାଦବ ୨ଟି ଓ ଜୟଦେବ ଗୋଟିଏ ୱିକେଟ୍ ପାଇଥିଲେ ।




Powered by odothemes.com