ଖଣିଜ ପରିବହନ ପାଇଁ ଇ-ଟେଣ୍ଡର

13

ଭୁବନେଶ୍ୱର, ୧୫ା୫ (ବୁ୍ୟରୋ): ଖଣିଜ ପଦାର୍ଥ ପରିବହନରେ ସ୍ଥାନୀୟ ଟ୍ରକ୍‍ ମାଲିକ ସଂଘ କିମ୍ବା ପରିବହନ ସଂସ୍ଥାଗୁଡିକ ଜାହିର କରିଆସୁଥିବା ମନମୁଖୀ କାରବାରରେ ଅଙ୍କୁଶ ଲାଗିବ । ଏଣିକି ଇ-ଟେଣ୍ଡର ଜରିଆରେ ସବୁ ଖଣିଜ ଦ୍ରବ୍ୟର ପରିବହନ ନିୟନ୍ତ୍ରିତ ହେବ । ସରକାର ପରିବହନ ଭଡା ଧାର୍ଯ୍ୟ କରିବେ । ଓଡ଼ିଶା ଖଣି ନିଗମ (ଓଏମ୍‍ସି) ଦୁଇମାସ ମଧ୍ୟରେ ଇ-ଟେଣ୍ଡର ପ୍ରକ୍ରିୟାର ଖସଡ଼ା ଚୂଡ଼ାନ୍ତ କରିବ । ଆସନ୍ତା ୧୫ଦିନ ମଧ୍ୟରେ ସରକାର ଖଣିଜ ପଦାର୍ଥ ପରିବହନର ମୂଲ୍ୟ ଧାର୍ଯ୍ୟ କରିବେ । ସରକାର ଧାର୍ଯ୍ୟ କରୁଥିବା ଭଡ଼ାରୁ ଯଦି କୌଣସି ପରିବହନ ସଂସ୍ଥା ଅଧିକ ଅର୍ଥ ଦାବି କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ଏସବୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଖଣି ନିର୍ଦ୍ଧେଶକ ଦୀପକ ମହାନ୍ତି କହିଲେ, ଖଣିଜ ଜିଲ୍ଲାରେ ଖଣିଜ ପଦାର୍ଥ ପରିବହନର ମୂଲ୍ୟ ସ୍ଥାନୀୟ ପରିବହନ ସଂସ୍ଥା କିମ୍ବା ଟ୍ରକ୍‍ ମାଲିକ ସଂଘ ଧାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କ ମନମୁଖୀ ନିଷ୍ପତ୍ତି ଯୋଗୁଁ ପରିବହନ ଭଡାରେ ବ୍ୟାପକ ତାରତମ୍ୟ ରହୁଛି । ପରିଣାମ ସ୍ୱରୂପ ଅନେକ ଶିଳ୍ପ ସଂସ୍ଥା ନିୟମିତଭାବେ ଖଣିଜ ଦ୍ରବ୍ୟ ପାଉନାହାନ୍ତି । ସ୍ଥାନୀୟ ସଂଘଗୁଡିକର ଦାଦାଗିରି ଯୋଗୁଁ ଯେଉଁ ଶିଳ୍ପସଂସ୍ଥାର ନିଜସ୍ୱ ଟ୍ରକ କିମ୍ବା ଟିପର୍ ଅଛି ସେମାନେ ଚାହିଁଲେ ବି ନିଜ ସଂସ୍ଥା ପାଇଁ ଖଣିଜପଦାର୍ଥ ପରିବହନ କରି ପାରୁନାହାଁନ୍ତି । ଏପରିକି ବାହାର ରାଜ୍ୟରୁ ଆସୁଥିବା ଟ୍ରକକୁ ମଧ୍ୟ ମାଲ ପରିବହନ ପାଇଁ ସୁଯୋଗ ଦିଆଯାଉ ନାହିଁ । ସ୍ଥାନୀୟ ପରିବହନ ସଂଘର ନିୟନ୍ତ୍ରଣରେ ସବୁକିଛି ଚାଲୁଛି ବୋଲି ଆଜିର ବୈଠକରେ ଯୋଗ ଦେଇଥିବା ଜିଲ୍ଲାପାଳ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ମତ ଦେଇଛନ୍ତି । ଏଭଳି ମନମୁଖୀ କାରବାର ଯୋଗୁଁ ଅନେକ ସମୟରେ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଖଣିଜ ପଦାର୍ଥ ପରିବହନର ମୂଲ୍ୟ ଧାର୍ଯ୍ୟ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରରେ କମିଟି ଗଠନ କରାଯିବ । ଏଥିରେ ଏସ୍‍ପି, ଆଞ୍ଚଳିକ ପରିବହନ ଅଧିକାରୀ, ଖଣି ଉପନିର୍ଦ୍ଧେଶକ ଓ ପରିବହନ ସଂସ୍ଥାର ଦୁଇଜଣ ପ୍ରତିନିଧି ସଦସ୍ୟ ରହିବେ । ଏହି କିମଟି ସର୍ବୋଚ୍ଚ ଓ ସର୍ବନିମ୍ନ ପରିବହନ ମୂଲ୍ୟ ଧାର୍ଯ୍ୟ କରି ସରକାରଙ୍କ ନିକଟକୁ ପଠାଇବେ । ସରକାର ସର୍ବାଧିକ ଭଡ଼ା ଧାର୍ଯ୍ୟ କରିବେ । ଇ-ଟେଣ୍ଡର ପ୍ରକିୟାରେ ଅଂଶ ଗ୍ରହଣ କରି ନଥିବା କୌଣସି ସଂସ୍ଥାକୁ ପରିବହନ ଅନୁମତି ମିଳିବ ନାହିଁ । ଏହାଛଡ଼ା ବାହାର ରାଜ୍ୟରୁ ଆସୁଥିବା ଟ୍ରକ ଯଦି ଖଣିଜ ପଦାର୍ଥ ସେମାନଙ୍କ ରାଜ୍ୟକୁ ପରିବହନ କରିବେ ତାହାଲେ ସେମାନଙ୍କୁ ଅସ୍ଥାୟୀ ରେଜିଷ୍ଟ୍ରସନ କରିବାକୁ ପଡ଼ିବ । ଖଣିଜ ପଦାର୍ଥ ଉପରେ ନିର୍ଭରଶୀଳ ଶିଳ୍ପ ସଂସ୍ଥା କିମ୍ବା ଖଣି ଲିଜ୍‍ଧାରୀ ନିଜ ଟ୍ରକ୍‍ରେ ଖଣିଜ ପରିବହନ କରିବାକୁ ଚାହିଁଲେ ସେମାନଙ୍କୁ ପଞ୍ଜିକୃତ ହେବାକୁ ପଡିବ । ଏହି ବୈଠକରେ ଖଣି ବିଭାଗର ଅଧିକାରୀ, ଶିଳ୍ପସଂସ୍ଥାର ପ୍ରତିନିଧି, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳାମାନେ ଉପସ୍ଥିତ ଥିଲେ ।




Powered by odothemes.com