photo---4

ସରକାର ଶୁଣୁନାହାନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ଦୁଃଖ

26

ଭତ୍ତା ପାଲଟିଛି ସ୍ୱପ୍ନ
ସିଂହପୁର(ଆପ୍ର): ଜଣେ ମୁକ୍ତିସଂଗ୍ରାମୀ ବଞ୍ଚିବା ପାଇଁ ସଂଘର୍ଷ କରିବା ଓ ଭତ୍ତା ଆବେଦନ ବାରମ୍ବାର ଅଗ୍ର୍ରାହ୍ୟ ହେବା ପରିପ୍ରେକ୍ଷୀରେ ସ୍ୱାଧୀନତାସଂଗ୍ରାମୀଙ୍କ ପ୍ରତି ସରକାରଙ୍କ ସମ୍ମାନବୋଧ କେତେ ତାହାର ପ୍ରମାଣ ମିଳିଛି । ଦେଶ ମାଟିକୁ ବିଦେଶୀ ଶାସନରୁ ମୁକ୍ତ କରିବା ତାଙ୍କ ପାଇଁ ଆଦର୍ଶ ପାଲଟିିଥିଲା । ସପ୍ତମଶ୍ରେଣୀରୁ ପାଠପଢାରେ ଡୋରି ବାନ୍ଧି ସେ ବାନରସେନାରେ ସାମିଲ ହେଲେ । ବରୀ ସ୍ୱରାଜ ଆଶ୍ରମ ସହିତ ଯୋଡ଼ି ହେବା ପରେ ବାର୍ତ୍ତା ବାହକ ଭାବରେ ନିଜକୁ ବିନିଯୋଗ କରିଥିଲେ । ଗାଁ ଗାଁରେ ବୁଲି କାଟି ପିନ୍ଧିବା ଓ କୁଟି ଖାଇବା ପାଇଁ ମହାତ୍ମା ଗାନ୍ଧୀ ଦେଇଥିବା ଆହ୍ୱାନ ପ୍ରତି ଲୋକ ମାନଙ୍କୁ ଅନୁପ୍ରାଣୀତ କରାଇବାରେ ଲାଗି ପଡ଼ିଲେ । ଏହି ଅଣବନ୍ଦୀ ସଂଗ୍ରାମୀ ହେଉଛନ୍ତି ବିଞ୍ଝାରପୁର ବ୍ଲକ ସିଂହପୁର ଗ୍ରାମର ସ୍ୱର୍ଗତ୍ ନବଘନ ସାହୁଙ୍କର ପୁଅ ଜଗନ୍ନାଥ ସାହୁ । ଜଗନ୍ନାଥଙ୍କ ଉଦ୍ୟମର ଫଳ ଫଳିଥିଲା । ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ପରେ ନିଜ ଗ୍ରାମ ଓ ଅଞ୍ଚଳର ଉନ୍ନତି କରିବାର ଆଶା ନେଇ ଜଗନ୍ନାଥ ଲାଗି ପଡିଥିଲେ । ପ୍ରତ୍ୟେକ୍ଷ ରାଜନୀତିରେ ସେ ବାନ୍ଧି ହୋଇଥିଲେ । ସିଂହପୁର ଭଳି ଏକ ସାମନ୍ତବାଦୀ ଅଞ୍ଚଳରେ ସେ ନିଜର ସେବା ଓ ମଧୁର ବ୍ୟବହାର ଯୋଗୁ ସରପଞ୍ଚ ଭାବରେ ଏକାଧିକବାର ନିର୍ବାଚିତ ହୋଇଥିଲେ । ଏବେ ବୟସର ସାୟାହ୍ନରେ ପହଞ୍ଚିଥିବା ଜଗନ୍ନାଥ ଅସହାୟ ଅବସ୍ଥାରେ ଗତି କରୁଥିବାବେଳେ ସଂଗ୍ରାମୀ ଭତ୍ତା ତାଙ୍କପାଇଁ ସାତସପନ ପାଲଟିଛି । ଦେଶପାଇଁ ଲଢ଼ିଥିବା ଏହି ସଂଗ୍ରାମୀ ଭତ୍ତା ପାଇଁ ବାରମ୍ବାର ଦଉଡି କ୍ଳାନ୍ତ ହୋଇ ପଡିଲେଣି । ମାତ୍ର ସରକାରୀ ସ୍ତରରେ ତାଙ୍କର ଗୁହାରି ଅଶୁଣା ହୋଇ ପଡି ରହିଛି । ଅସହାୟ ସଂଗ୍ରାମୀ ଜଗନ୍ନାଥ ବାଦ୍ଧକ୍ୟରେ ବଞ୍ଚିବାର ରାହା ଖୋଜୁଛନ୍ତି । ଔଷଧ ଟିକିଏ କି କ୍ଷୀର ଟୋପାଏ ପାଇଁ ଅଥ ନାହିଁ । ବାର୍ଦ୍ଧକ୍ୟଭତ୍ତା ମାସକୁ ୫ଶହ ଟଙ୍କା । ଏହି ଟଙ୍କା କେଇଟା ତାଙ୍କର ସାଧନ ପାଲଟିଛି । ଶତାୟୁର ଦ୍ୱାରଦେଶରେ ଥିବା ଜଗନ୍ନାଥ ସଂଗ୍ରାମୀଭତ୍ତା ପାଇଁ ବାରଦୁଆର ଘୁରି ବୁଲୁଛନ୍ତି । ସ୍ଥାନୀୟ ବିଧାୟକ, ସାଂସଦ, ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ସମସ୍ତଙ୍କୁ ସାକ୍ଷାତ୍ କଲାପରେ ସବୁଠି ଆଶ୍ୱାସନା ମିଳିଛି କିନ୍ତୁ କାମରେ କିଛି ନାହିଁ । ସମସ୍ତ ଆଶା ହରାଇବା ପରେ ଖବରକାଗଜ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ସେ ସବୁ କାଗଜପତ୍ର ପଠାଇଛନ୍ତି ବୋଲି କହିଛନ୍ତି । ତେବେ ସାମ୍ପ୍ରତିକ ପରିସ୍ଥିତିରେ ରାଜନେତାମାନେ ନିଜ ବେତନ, ଭତ୍ତା ବଢାଉଥିବା ବେଳେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ଗଣ୍ଡାକ ନପାଇ ହା ହତାଶ ଜୀବନ ବିତାଇବା କେତେଦୂର ଠିକ୍ ତାହା ବିଚାରର ବିଷୟ ।




Powered by odothemes.com