bidhana-sabhha

ଗଠନ ହେଲା ଦୁଇ କମିଟି

41

ଭୁବନେଶ୍ୱର, (ବୁ୍ୟରୋ): ମହାନଦୀ ପ୍ରସଙ୍ଗ ଗୁରୁବାର ବିଧାନସଭାରେ ଦୁଇଟି କମିଟି ଗଠନ ହୋଇଛି । ଏନେଇ ବାଚସ୍ପତି ଗୃହରେ ଘୋଷଣା କରିଛନ୍ତି । କମିଟି ଗଠନକୁ ନେଇ ଶାସକ ଦଳ ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ଦୁଇଟି ପ୍ରସ୍ତାବ ଆଗତ କରିଥିଲେ । ଗୋଟିଏ ପ୍ରସ୍ତାବ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ଓ ଅନ୍ୟଟି ସର୍ବଦଳୀୟ କମିଟି ଗଠନ କରାଯିବା । ଏହି ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ଗୃହର ସମସ୍ତ ସଦସ୍ୟଙ୍କ ସହମତିରେ ଉଭୟ ପ୍ରସ୍ତାବ ଗୃହିତ ହେବାପରେ ବାଚସ୍ପତି ଏହି ଦୁଇ କମିଟିର ଘୋଷଣା କରିଛନ୍ତି । ଗୁରୁବାର ବିଧାନସଭାରେ ମହାନଦୀ ପ୍ରସଙ୍ଗ ନେଇ ଦୁଇଟି କମିଟି ଗଠନ ହୋଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଥିବାବେଳେ ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ୍, ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ, ଶାସକ ଦଳ ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀଙ୍କ ସମେତ ୧୭ଜଣ ଏହି କମିଟିର ସଦସ୍ୟ ରହିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବଦଳୀୟ କମିଟିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ୍, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପଦ୍ମନାଭ ବେହେରା, ନୀତିଶ ଗଙ୍ଗଦେବ, ଜର୍ଜ ତିର୍କୀ, ଲକ୍ଷ୍ମଣ ମୁଣ୍ଡା ଓ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଭଳି ୧୬ଜଣ ଏହି କମିଟିର ସଦସ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗୃହ କମିଟି ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ଲାଗି ଦିନ ଓ ସମୟ ମାଗିବ । ଦିନ ଧାର୍ଯ୍ୟ ହେବା ପରେ ଏହି କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ମହାନଦୀ ବିବାଦର ସମାଧାନ ଲାଗି ତୁରନ୍ତ ଟି୍ରବୁ୍ୟନାଲ୍ ଗଠନ କରିବାକୁ ଦାବି କରିବ । ପରବର୍ତ୍ତୀ ମୁହୂର୍ତ୍ତରେ ଗୃହ କମିଟି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ମହାନଦୀ ଦ୍ୱାରା କିଭଳି ୧୫ ଜିଲ୍ଲାର ଜନସାଧାରଣ ଓ ଜୈବ ବିବିଧତା କିଭଳି ପ୍ରଭାବିତ ହୋଇଛି, ସେନେଇ ଅବଗତ କରାଇବ ବୋଲି ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀ ଶତପଥୀ କହିଛନ୍ତି । ସେହିଭଳି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମହାନଦୀକୁ ନେଇ କମିଟି ଗଠନ ବିଧାନସଭା ଇତିହାସରେ ବିରଳ ଘଟଣା । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ୍ ହୋଇ ସମର୍ଥନ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସର୍ବଦଳୀୟ କମିଟି ଗଠନ ହୋଇଛି । ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ବିଶ୍ୱାସକୁ ନେଇଛନ୍ତି ଓ ତାଙ୍କ ନେତୃତ୍ୱରେ ମହାନଦୀ ଟି୍ରବୁ୍ୟନାଲ୍ ଗଠନ ପାଇଁ ଉଦ୍ୟମ ଜାରି ରଖିଥିବାରୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଦଳମତ ନିର୍ବିଶେଷରେ ମହାନଦୀ ପ୍ରସଙ୍ଗରେ କମିଟି ଗଠନକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଛନ୍ତି । ମହାନଦୀ ପାଇଁ ବିଜେପି ସାଲିସ୍ବିହୀନ ଲଢ଼େଇ ଜାରି ରଖିଛି । ଆଗତକୁ ମଧ୍ୟ ତାହା ଜାରି ରହିବ ବୋଲି ସେ କହିଛନ୍ତି ।
ମହାନଦୀ ଜଳବିବାଦ ପ୍ରସଙ୍ଗର ସମାଧାନ ଲାଗି କେନ୍ଦ୍ରସରକାରଙ୍କ ଛତିଶଗଡ଼କୁ ନିରବ ସମର୍ଥନ ଓ ଏକପାଖିଆ ନିଷ୍ପତ୍ତିକୁ ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଥିଲା । ମହାନଦୀ ଓଡ଼ିଶାର ଜୀବନରେଖା । ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ସରକାର ବେଆଇନ୍ ବ୍ୟାରେଜ୍ ନିର୍ମାଣ କରିଛନ୍ତି । ଫଳରେ ନନ୍ମନ୍ସୁନ୍ ସମୟରେ ଜଳସ୍ତର ପ୍ରଭାବିତ ହୋଇଛି । ଆଗକୁ ପରିସ୍ଥିତି ଭୟାବହ ଆଶଙ୍କା ଦେଖାଦେଇଛି । ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ଟି୍ରବୁ୍ୟନାଲ୍ ଗଠନ ପାଇଁ ଦାବି କରିଥିବା ସତ୍ତ୍ୱେ କେନ୍ଦ୍ର ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରି ଟିବୁ୍ୟନାଲ୍ ଗଠନ ସମ୍ଭବ ନୁହେଁ ବୋଲି କହିଛନ୍ତି । ଯାହାକୁ ନେଇ ଗୃହରେ ଉଦ୍ବେଗ ପ୍ରକାଶ ପାଇବା ସହ ମହାନଦୀ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com