୫୦ହଜାର ଛାତ୍ରଛାତ୍ରୀ ଗାଇଲେ ‘ବନେ୍ଦ ମାତରମ୍’

13

ପାକିସ୍ଥାନକୁ ଖଣ୍ଡଖଣ୍ଡ କରିଦେବାର କ୍ଷମତା ଭାରତର ଅଛି: ଜେନେରାଲ ବକ୍ସି
ଭୁବନେଶ୍ୱର, (ବୁ୍ୟରୋ): ଆଇଏମ୍ସିଟି ପକ୍ଷରୁ ଓୟୁଏଟି ଷ୍ଟାଡିୟମ୍ରେ ‘ଭଏସ୍ ଅଫ୍ ୟୁନିଟ୍’ ବା ଏକତାର ସ୍ୱର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ୫୦ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସମବେତ କଣ୍ଠରେ ରାଷ୍ଟ୍ରୀୟ ଗୀତ ‘ବନେ୍ଦ ମାତରମ୍’ ଗାନ କରାଯାଇଥିଲା । କଳାକାର ଅଶ୍ରୁମୋଚନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତକାର ମନ୍ମଥ ମିଶ୍ର ଓ ତାଙ୍କ ସାଥିମାନେ ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ଜେନେରାଲ ଧଳସାମନ୍ତ ଉପସ୍ଥିତ ସଭାସଦ୍ଙ୍କୁ ଦେଶପ୍ରେମର ଶପଥ ପାଠ କରାଇଥିଲେ । ସମାରୋହରେ ଅତିଥି ଭାବେ ଯୋଗଦେଇ ମେଜର ଜେନେରାଲ ଗଗନଦୀପ ବକ୍ସି ୧୯୭୧ ଯୁଦ୍ଧ ବିଷୟରେ ବର୍ଣ୍ଣନା କରି ପାକିସ୍ଥାନର ଦୟନୀୟ ପରିସ୍ଥିତି ସଂପର୍କରେ ପ୍ରକାଶ କରିଥିଲେ । ଆଜି ସେହି ପାକିସ୍ଥାନ ଭାରତ ବିରୋଧରେ ମୁଣ୍ଡ ଟେକିବାକୁ ଅପଚେଷ୍ଟା କରୁଛି । ସେହି ପାକିସ୍ଥାନକୁ ଉଚିତ ଶିକ୍ଷା ଦେବାର କ୍ଷମତା ଭାରତୀୟ ଯବାନମାନଙ୍କର ରହିଛି । ଖରା, ବରଫକୁ ନଡରି ଦେଶମାତୃକାର ସେବା ପାଇଁ ଆଜିର ଯୁବପିଢି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଆମ ଭିତରେ ଦେଶପ୍ରେମ ଓ ଏକତାର ଆବଶ୍ୟକତା ରହିଛି । ଦେଶ ବିରୋଧରେ କହୁଥିବା ବ୍ୟକ୍ତିକୁ ବରଦାସ୍ତ କରାଯିବ ନାହିଁ । ପାକିସ୍ଥାନକୁ ଖଣ୍ଡ ଖଣ୍ଡ କରିଦେବାର କ୍ଷମତା ଆଜିର ଭାରତ ଓ ଭାରତୀୟମାନଙ୍କର ଅଛି ବୋଲି ଜେନେରାଲ ବକ୍ସି ପ୍ରକାଶ କରିଥିଲେ ।ଜନନୀ ଜନ୍ମଭୂମୀ ସ୍ୱର୍ଗଠାରୁ ମହାନ । ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ବିଶେଷତା । ଏଥିପାଇଁ ଭାରତ ବିଶ୍ୱଗୁରୁ । ବିଶ୍ୱରେ ଯେଉଁ ସବୁ ସମସ୍ୟା ଦେଖାଦେଇଛି ତାହାର ନିରାକରଣ କେବଳ ଭାରତ ହିଁ କରିପାରିବ । ମୂଲ୍ୟବୋଧର ନିର୍ମାଣ ହିଁ ରାଷ୍ଟ୍ର ନିର୍ମାଣ । ଭାରତୀୟ ଯୁବବର୍ଗ ଭିତରେ ରାଷ୍ଟ୍ରଭକ୍ତି ଜାଗରଣ ଦିଗରେ ଏହି କାର୍ଯ୍ୟକ୍ରମ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ହିନ୍ଦୁ ଆଧ୍ୟାତ୍ମ ଓ ସେବାମେଳାର ଅଖିଳ ଭାରତୀୟ ସଭାପତି ଗୁଣବନ୍ତ ସିଂ କହିଥିଲେ ।ଆଇଏମ୍ସିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ମୂରଲୀ ମନୋହର ଶର୍ମା କହିଲେ, ଦେଶରେ ଦେଶପ୍ରେମକୁ ନେଇ କିଛି ଲୋକ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଆଗାମୀ ପିଢିଙ୍କ ଭିତରେ ଦେଶପ୍ରେମ ଭାବ ପୁନଃ ଜାଗ୍ରତ କରିବାକୁ ପଡିବ । ଆସନ୍ତା ୧୯ରୁ ୨୨ ପର୍ଯ୍ୟନ୍ତ ଚାରିଦିନ ଧରି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆଧ୍ୟାତ୍ମ ଓ ସେବା ମେଳା ଅନୁଷ୍ଠିତ ହେବ । ଜଗନ୍ନାଥଙ୍କ ଆଜ୍ଞାମାଳ ଆସିବା ପରେ ମେଳା ଉଦ୍ଘାଟିତ ହେବ । ୨୦ ତାରିଖରେ କନ୍ୟା ପୂଜନ, ୨୧ ତାରିଖ ଦିନ ଆଚାର୍ଯ୍ୟ ବନ୍ଦନ, ପୁରସ୍କାର ବିତରଣ, ୨୨ରେ ପରମବୀର ବନ୍ଦନ ଏବଂ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏଚ୍ଏସ୍ଏସ୍ଏଫ୍ର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ସଭାପତି ତଥା ଶିକ୍ଷାବିତ୍ ଡକ୍ଟର ବିମଳେନ୍ଦୁ ମହାନ୍ତି, ଉପସଭାପତି ଚକ୍ରଧର ତ୍ରିପାଠୀ, ଫାଉଣ୍ଡେସନର ସାଧାରଣ ସଂପାଦକ ଅନୀଲ ଧିର, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com