ମହାନଦୀ, ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

23

ଭୁବନେଶ୍ୱର,୧୨ା୧୨(ବୁ୍ୟରୋ): ଏଫ୍ଏକୁ୍ୟମାନ ଆଳରେ ଚାଷୀଙ୍କଠାରୁ ମଣ୍ଡିରେ ଧାନ କାଟି ରଖିବା ଓ ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାରଙ୍କ ମନମୁଖି କାରବାର ପ୍ରତିବାଦରେ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ଫଳରେ ପୂର୍ବାହ୍ଣ ଅଧିବେଶନ ମାତ୍ର ୪ମିନିଟ୍ ଚାଲିବା ସମ୍ଭବପର ହୋଇଛି । ଆଜି ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ମଣ୍ଡିରେ ଏଫ୍ଏକୁ୍ୟମାନ ଆଳରେ କ୍ୱିଣ୍ଟାଲ ପିଛା ୩ ରୁ ୪କେଜି ଧାନ କଟାଯାଉଛି । ଗତକାଲି ଏ ପ୍ରସଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଉଠାଇଥିଲେ ଓ ରୁଲିଂ ଦାବି କରିଥିଲେ । ଆଜି ପ୍ରଶ୍ନୋତ୍ତରକାଳକୁ ବାତିଲ କରି ଏହା ଆଲୋଚନା କରାଯାଉ ବୋଲି ଶ୍ରୀ ବାହିନୀପତି କହିଥିଲେ । ହେଲେ ବାଚସ୍ପତି ପ୍ରଶ୍ନୋତ୍ତରକାଳ ଜାରି ରଖିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ତୁମୁଳ ହଟ୍ଟଗୋଳ କରିଥିଲେ । ବିଜେପି ବିଧାୟକମାନେ ଅଦିନିଆ ବର୍ଷା, ଚକଡା, ପୋକ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନରେ ତ୍ରୁଟି ହୋଇଥିବା ଅଭିଯୋଗ କରିଛନ୍ତି । ଫଳରେ ରାଜ୍ୟ ସରକାର ୧୦୦କୋଟି ଟଙ୍କା ହରାଇବେ ବୋଲି ସେମାନେ ଅଭିଯୋଗ କରିବା ସହ କୀଟନାଶକ କିିଣିବାରେ ୫ଶହ କୋଟି ଟଙ୍କାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଥିଲେ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ପୂର୍ବାହ୍ଣ ୧୦.୩୧ମିନଟ୍ରେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ମଧ୍ୟାହ୍ନ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଜେଡି ବିଧାୟକ ସଞ୍ଜୟ ଦାଶବର୍ମା କହିଥିଲେ ଯେ ଛତିଶଗଡ ସରକାର ମନମୁଖି ଭାବେ ମହାନଦୀ ପାଣି ରୋକିବାକୁ ଚାହୁଁଛି । କେନ୍ଦ୍ର ସରକାର ଏନେଇ ସହଯୋଗ କରୁଛନ୍ତି । ନଦୀ ସଂଯୋଗୀକରଣ କରି ମହାନଦୀକୁ ଶୁଷ୍କ କରିଦେବାକୁ ଚାହୁଁଛି । ଟ୍ରିବୁ୍ୟନାଲ ଗଠନକୁ ଜାଣିଶୁଣି ବିରୋଧ କରାଯାଉଛି । କେନ୍ଦ୍ର ସରକାରଙ୍କର ଏହି ମନମୁଖି ନୀତି ବିରୋଧରେ ଗୃହରେ ଆଲୋଚନା କରିବାକୁ ସେ ଦାବି କରିଥିଲେ । ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଠିଆହୋଇ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ । ଅପରପକ୍ଷରେ ବିଜେପି ଓ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଠିଆହୋଇ ସ୍ଲୋଗାନ ବାଜି କରିବାରୁ ଗୃହର କାର୍ଯ୍ୟକୁ ୧୨.୦୩ ମିନିଟ୍ ମିନଟ୍ରେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।




Powered by odothemes.com