ଯୋଗଦେବେ ୨୫ ରାଜ୍ୟର ୩୫ଠ କାରିଗର

28

୧୫ରୁ ଦ୍ୱାଦଶ ତୋଷାଳୀ କ୍ରାପ୍ଟସ୍ ମେଳା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଡିସେମ୍ବର ୧୫ରୁ ୨୭ ପର୍ଯ୍ୟନ୍ତ ଜନତା ମଇଦାନରେ ଦ୍ୱାଦଶ ତୋଷାଳି ଜାତୀୟ କ୍ରାପ୍ଟ ମେଳା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅଂଶଗ୍ରହଣ କରିବେ ୩୫୦ରୁ ଉଦ୍ଧ୍ୱର୍ କାରିଗର ଓ ବୁଣାକାର । ଓଡ଼ିଶା ସମେତ ୨୫ଟି ରାଜ୍ୟ ଅଂଶଗ୍ରହଣ କରିବେ । ତନ୍ମଧ୍ୟରୁ କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ ଏବଂ ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ଦ୍ୱାରା ପ୍ରଯୋଜିତ ୧୦୦ଜଣ ହସ୍ତଶିଳ୍ପୀ ଓ ୫୦ଜଣ ବୁଣାକାର ଅଂଶଗ୍ରହଣ କରିବାବେଳେ ଓଡ଼ିଶାରୁ ୨୦୦ ବୁଣାକାର ଓ କାରିଗର ଅଂଶଗ୍ରହଣ କରିବେ । ଚଳିତ ବର୍ଷ ‘ପ୍ରକୃତି’ ପରିକଳ୍ପନା ଆଧାରରେ ଥିମ ପ୍ୟାଭିଲିୟନ ନିର୍ମାଣ କରାଯାଉଛି । ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପରେ ପ୍ରକୃତିର ପ୍ରଦର୍ଶନ ଓ ବର୍ଣ୍ଣନାକୁ ନିଖୁଣ ଭାବରେ ପ୍ରଦର୍ଶନ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛୁରିଆ କହିଥିଲେ, ଗତବର୍ଷ ମେଳାରେ ୧୫କୋଟି ୬୦ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିଲା । ବିମୁଦ୍ରାୟନ ପାଇଁ ବ୍ୟବସାୟ ମାନ୍ଦା ରହିଥିବା ବେଳେ କାରିଗର ମଧ୍ୟ କମ୍ ଆସିଥିଲେ । ତେବେ ଚଳିତ ବର୍ଷ ସେହି ସ୍ଥିତି ନଥିବାରୁ ଅଧିକ କାରିଗର ଆସିବା ସହ ୨୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ମେଳାରେ ସମୁଦାୟ ୪୦୦ଟି ଷ୍ଟଲ ଖୋଲାଯିବାକୁ ଥିବା ବେଳେ ତନ୍ମଧ୍ୟରୁ ୨୪୦ଟି ହସ୍ତଶିଳ୍ପ, ୩୦ଟି ଫୁଡ୍ କୋର୍ଟ ଷ୍ଟଲ ସହ ୧୨ଟି ଶିକ୍ଷାନୁଷ୍ଠାନ ଷ୍ଟଲ ଏବଂ ବୟନ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ପର୍ଯ୍ୟଟନ ବିଭାଗ ତଥା ଭାରତ ସରକାରଙ୍କ ହସ୍ତଶିଳ୍ପ ଓ ହସ୍ତତନ୍ତ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଅନୁଷ୍ଠାନମାନ ଭାଗ ନେବେ । ସିଡାକ୍ ତରଫରୁ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପର ଲାଇଭ ଡେମୋନଷ୍ଟେସନ କରାଯିବ ।ତୋଷାଳୀ ମେଳା ଆୟୋଜନ ସମ୍ପର୍କରେ ସୂଚନା ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା କହିଥିଲେ, ଚଳିତ ବର୍ଷ ମେଳା ପାଇଁ ୨ କୋଟି ୯୧ ଲକ୍ଷ ଟଙ୍କାର ଅର୍ଥ ବ୍ୟବସ୍ଥା ହୋଇଛି । କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତଙ୍କ ତରଫରୁ ୧୮ ଲକ୍ଷ ଟଙ୍କା ଏବଂ ହସ୍ତତନ୍ତ ଆୟୁକ୍ତଙ୍କ ତରଫରୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଗତବର୍ଷ ମେଳାକୁ ୧୬ ଲକ୍ଷ ଲୋକ ପରିଦର୍ଶନ କରିଥିବା ବେଳେ ଏଥର ୨୦ଲକ୍ଷ ଲୋକଙ୍କ ସମାଗମ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଓଡ଼ିଶୀ ନୃତ୍ୟ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ସହ ଦେଶର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ । ଚଳିତବର୍ଷ ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ ଡିସେମ୍ବର ୨୪ରେ ସଂଗୀତ ପରିବେଷଣ କରିବେ । ମେଳା ପରିସରରେ ଏଟିଏମ୍ ସେବା, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାର ଆଦିର ବ୍ୟବସ୍ଥା କରାଯିବ । ମେଳା ପ୍ରତ୍ୟେହ ଦିନ ୨ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବୟନ ଶିଳ୍ପ ନିଦେ୍ର୍ଦଶକ ସୁଶାନ୍ତ କୁମାର ବାରିକ, ହସ୍ତଶିଳ୍ପ ବିଭାଗ ନିଦେ୍ର୍ଦଶକ ଇଂ ସୀତିକାନ୍ତ ଷଡଙ୍ଗୀ, ବୟନିକାର ପରିଚାଳନା ନିଦେ୍ର୍ଦଶକ ବିଷ୍ଣୁ ପ୍ରସାଦ ମିଶ୍ର, ଉତ୍କଳିକାର ପରିଚାଳନା ନିଦେ୍ର୍ଦଶକ ସତ୍ୟରଞ୍ଜନ ସାହୁ, ସିଡାକ୍ର ସଦସ୍ୟ ସଚିବ ବାବାଜୀ ଚରଣ ଦାଶ, ବିଭାଗୀୟ ଉପଶାସନ ସଚିବ ଅଞ୍ଜନା ପଣ୍ଡା ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com