ବିବାହ ଜାଲରେ ଫସାଇ ଯୁବତୀ ଚାଲାଣ ଅଭିଯୋଗ

32

ଥାନାରେ ଅଟକ ଅଣଓଡ଼ିଆ ଯୁବକ
ବେତନଟୀ, ୧୪ ।୫(ଆପ୍ର): ବେତନଟୀ ବ୍ଲକ ଉଦିପୁରା ଗ୍ରାମର ଅଚୁ୍ୟତାନନ୍ଦ ବେହେରାଙ୍କ କନ୍ୟା ସୁକାନ୍ତି ବେହେରାଙ୍କୁ ଉତ୍ତରପ୍ରଦେଶ ଫିରୋଜାବାଦ ଜିଲ୍ଲାର ନଙ୍ଗଲାସିଂହି ଥାନା ଅଧିନ ଧୀରପୁର ଜସରାଣାର ଛୋଟଲାଲଙ୍କ ପୁଅ ମୁକେଶ ଚନ୍ଦ ଗୌତମ ବିବାହ ଜାଲରେ ଫସାଇ ଉତ୍ତରପ୍ରଦେଶ ନେଇଯିବାକୁ ଉଦ୍ୟମ କରୁ ଥିବାବେଳେ ଗ୍ରାମବାସୀମାନେ ଖବର ପାଇଥିଲେ । ସିବିଆଇ ନଜରରେ ଥିବା ବିରୋଳା ମୌଜାସ୍ଥିତ ସିସୋର ହନୁମାନ ମନ୍ଦିର ପୂଜକ ଓ ଅନ୍ୟମାନେ ମୁକେଶଙ୍କ ପରିଚୟ ପତ୍ର ନଦେଖି ବିବାହ କରାଉଥିବା ଉପରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା । ଅନ୍ୟପକ୍ଷରେ କନ୍ୟାପିତା ଅଚୁ୍ୟତାନନ୍ଦ ମଧ୍ୟ ଗ୍ରାମବାସୀଙ୍କ ଅଗୋଚରରେ ବିବାହ ସମ୍ପନ୍ନ କରାଇବାକୁ ଉତ୍ସାହୀ ଥିଲେ । କିଛି ବିଶ୍ୱସ୍ତ ଲୋକ ଅଚୁ୍ୟତାନନ୍ଦଙ୍କଠାରୁ ଜାଣିବାକୁ ପାଇଥିଲେ ଯେ ୩୦ ହଜାର ଟଙ୍କା ନେଇ ଅଚୁ୍ୟତାନନ୍ଦ ନିଜ ଦ୍ୱିତୀୟ ସ୍ତ୍ରୀଆଡ଼ୁ ଜନ୍ମିତ ବଡ଼ଝିଅକୁ ଉତ୍ତରପ୍ରଦେଶ ଯୁବକ ମୁକେଶ ସହ ବିବାହ ପାଇଁ ରାଜି ହୋଇଥିଲେ । ଅଚୁ୍ୟତ ଅତ୍ୟନ୍ତ ଗରିବ ଓ ଶାନ୍ତସ୍ୱଭାବର ହୋଇଥିବାରୁ ତାଙ୍କୁ ପ୍ରଭାବିତ କରିବାରେ ମୁକେଶ ସମର୍ଥ ହୋଇଥିଲା । ଇତିମଧ୍ୟରେ କନ୍ୟାର ପରିବାର ଲୋକେ ବିବାହ ପରେ କନ୍ୟାକୁ ଉତ୍ତରପ୍ରଦେଶ ଛାଡିବେ ନାହିଁ ବୋଲି ଜିଦ ଧରିବାରୁ ମୁକେଶ ଏଠାରେ ଜମି ଓ ଘର କିଣିବ ବୋଲି ମତ ଦେଇଥିଲା । ଏହି ପରିପ୍ରେକ୍ଷୀରେ ଜମି ଓ ଘର ଦେଖା ଯାଇଥିଲା । ହେଲେ ଏବେ ନ କିଣି ପରେ କିଣିବା ବୋଲି କହି ବିବାହ ତାରିଖ ସ୍ଥିର କରିବାକୁ ପରାମର୍ଶ ଦେଇଥିଲା । ଗତକାଲି ବିବାହ ଶେଷ ହେବାପରେ ବୋହୂକୁ ନେବାପାଇଁ ଫିରୋଜାବାଦ ଜିଲ୍ଲାର ନାରଗୀ ଥାନା ଅଧିନ ଗନ୍ଦେଇର ଶ୍ରୀହରି ସିଂଙ୍କ ପୁଅ ହରକେଶବ ଓ ମୁକେଶର ଭାଇ ସୁନିଲ ଆସି ଅଚୁ୍ୟତାନନ୍ଦଙ୍କ ଘରେ ପହଞ୍ଚିଛନ୍ତି । ହରକେଶବ ମୁକେଶର ଭିଣୋଇ ବୋଲି ପରିଚୟ ଦେଉଥିଲେ ମଧ୍ୟ ମୁକେଶର ପରିବାର ବାବଦରେ ତଥ୍ୟ ଦେବାକୁ ଅସମର୍ଥ ହୋଇଛି । ଗ୍ରାମର ମନୋଜ କୁମାର ପାତ୍ର, ଶତ୍ରୁଘ୍ନ ବେହେରା, ଚିତ୍ତରଞ୍ଜନ ବେହେରା, ତପନ କୁମାର ବେହେରା, ତାପସ କୁମାର ବେହେରା ପ୍ରମୁଖ ଏହି ଘଟଣା ଜାଣିବା ପରେ ସିସୋର ମନ୍ଦିର ତନାଘନା କରି ପୁଲିସକୁ ଖବର ଦେଇଥିଲେ । ବୈଶିଙ୍ଗା ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଧେଶକ୍ରମେ ଥାନା ଏଏସ୍ଆଇ ଏସ୍ଏନ୍ ବାରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୁକେଶକୁ ଥାନାରେ ଅଟକ ରଖିଥିବାର ଜଣାପଡିଛି । ମାନବାଧିକାର ସୁରକ୍ଷା ସେଲ୍ ଡିଏସ୍ପି ଭୁବନାନନ୍ଦ ଜେନା ଖବର ପାଇ ଘଟଣା ସମ୍ପର୍କରେ ବୁଝାସୁଝା କରୁଛନ୍ତି । ଖବର ପାଇ ବେତନଟୀ ଏସ୍ଡିପିଓ ଧୀରେନଚନ୍ଦ୍ର ନନ୍ଦ ବିବାହ ବାବଦରେ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେବା ସହିତ ମୁକେଶ ଓ ତା’ ପରିବାର ବାବଦରେ ତଥ୍ୟ ସଂଗ୍ରହ କରିବାକୁ ବୈଶିଙ୍ଗା ପୁଲିସକୁ ନିର୍ଦ୍ଧେଶ ଦେଇଛନ୍ତି । ଦରକାର ପଡିଲେ ବିବାହ ପଞ୍ଜିକରଣ କରିବାକୁ ଉଦ୍ୟମ ହେବ ବୋଲି ଶ୍ରୀ ନନ୍ଦ କହିଛନ୍ତି । ମୁକେଶ ଏଠାକୁ ଜଣେ ଓଡିଆ ଯୁବକ ମାଧ୍ୟମରେ ଆସିଥିବାର ଜଣାପଡିଛି । ଅନ୍ୟ କେତେକ ଯୁବକ ଆସି ଆଗ୍ରିଆ, ବେତନଟୀ, ସଠିଲୋ, ଜୁଗଳ ଓ ମୁକ୍ତାପୁର ପ୍ରଭୃତି ଅଞ୍ଚଳରେ ବୁଲି ଗରିବ ପରିବାରକୁ ଟାର୍ଗେଟ୍ କରିଥିବାର ଜଣାପଡ଼ିଛି । ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ ବୋଲି ପୁଲିସ୍ କହିଛି ।

ସେଆର କରନ୍ତୁ:



Powered by odothemes.com