ପାଣିରେ ଶୋଇଛି ପାଚିଲା ଧାନ

KHYATI-GRASTA-CHASHAJAMI

ନିଶ୍ଚିନ୍ତକୋଇଲି (ଆପ୍ର): ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୪୧ଟି ପଞ୍ଚାୟତରେ ବ୍ୟାପକ ଫସଲହାନୀ ହୋଇଛି । ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଗତକାଲି ସଂଧ୍ୟା ଠାରୁ ନିଶ୍ଚିନ୍ତକୋଇଲି, ନତକାଇ, ବଡକ୍ଷିର, ରାମ କୃଷ୍ଣପୁର, ଫଗୋଳ, ଜୟରାମ ପୁର, ଜିଗ୍ନିପୁର, ବରାଦୋ, କୋଲଣ ପୁର, କେନ୍ଦୁପାଟଣା, ବୁହାଳୋ, ସରପଡା, ବାଲିଆପଦା, କଟରପଡା, ସୁକରପଡା, କଟିକଟା, ଅସୁରେଶ୍ୱର, କେଣ୍ଟାଳୋ, ତରତ ଶାସନ, କେରିଲୋ, ଓରତି, ଜମରା, ଝାଡେଶ୍ୱର ପୁର, ଦାଉଦ ପୁର, ନରେନ୍ଦ୍ର ପୁର, ମହମ୍ମଦ ପୁର, ଉତ୍ତରକୂଳ, ମଣିଜଙ୍ଗ, ତିଳକଣା, ବନ୍ଧକଟିଆ, ଜନାର୍ଦ୍ଦନ ପୁର ପ୍ରଭୃତି ୪୧ଟି ପଞ୍ଚାୟତରେ ଲଘୁଚାପ ଜନିତ ମୁଷଳ ଧାରାରେ ଲଗାଣ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଚାଷୀ ମାନେ ଆଉ ଅଳ୍ପଦିନ ପରେ ଧାନ ଅମଳ କରିଥାନ୍ତେ । ଅଧିକାଂଶ ବିଲରେ ଧାନ ପାଚିଯାଇଥିଲା ବେଳେ ଆଉ କେତେକ ବିଲରେ ଧାନ ପାଚିବା ଆରମ୍ଭ କରିଛି । ଏପରି ସ୍ଥଳେ ଧାନ ଚାଷୀଙ୍କ ପାଇଁ ଏହି ଲଘୁଚାପ ବର୍ଷା ଦାଉ ସାଜିଛି । ଅଧିକାଂଶ ବିଲରେ ଧାନ ଗଛ ଗୁଡିକ ଭାଙ୍ଗି ଯାଇ ଶୋଇପଡିଥିଲା ବେଳେ ଏହି ଧାନ ଗଛ ଉପରେ ପାଣି ଲହଡି ଖେଳୁଛି । ଅପରପକ୍ଷେ ଶୀତ ଦିନିଆ ପନିପରିବା ମୁଖ୍ୟତଃ କୋବି, ବନ୍ଧାକୋବି, ବିଲାତି ବାଇଗଣ, ବାଇଗଣ, ଆଳୁ, ମୂଳା, ବିନ, ଝୁଡଙ୍ଗ, କଲରା, ଗାଜର ପନି ପରିବା ଆଦି ଚାଷ କରାଯାଇଥିବା ବେଳେ ବର୍ଷା ଯୋଗୁ ପରିବା ଫସଲରେ ପୋକ ଲାଗିବା ଆରମ୍ଭ ହେଲାଣି । ଚାଷୀ ମାନେ ବର୍ଷକର ଆହାର କିପରି ପାଇବେ, ତାଙ୍କର ପରିବାରକୁ କିପରି ପ୍ରତିପୋଷଣ କରିବେ ସେଥି ନେଇ ଚିନ୍ତିତ ହୋଇଛନ୍ତି । କଳିଙ୍ଗନଗର: ସମଗ୍ର ଯାଜପୁର ଜିଲ୍ଲାରେ ଗୁରୁବାର ରାତିରୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ଶୁକ୍ରବାର ବର୍ଷାର ପରିମାଣ ବଢ଼ବାରେ ଲାଗିଥିବା ବେଳେ ଏନେଇ ଯାଜପୁର କୃଷି ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ଫଳରେ ଫସଲ ବିଲରେ ପଡ଼ି ରହି ନଷ୍ଟ ହେବାର ଆଶଙ୍କାରେ ଚାଷୀ ବ୍ୟତିବ୍ୟସ୍ତ ହୋଇପଡ଼ିଛି । ପୂର୍ବ ଲଗାଣ ବର୍ଷାର ପାଣି ବିଲରେ ଜମି ରହିଥିବା ବେଳେ ପୁଣି ଏହି ବର୍ଷା ସମସ୍ତ ଫସଲ ନଷ୍ଟ କରିଦେବ ବୋଲି ଚାଷୀମାନେ କହିଛନ୍ତି । ପ୍ରଥମେ ମରୁଡ଼ି ତା’ପରେ ଚକଡ଼ା ପୋକ ଓ ପରେପରେ ଲଗାଣ ବର୍ଷା । ପୁଣି ଏବେ ଲଘୁଚାପ ବର୍ଷା ଚାଷିକୂଳର ଅଣ୍ଟା ଭାଙ୍ଗି ଦେଇଛି । ଜମିରେ ୨୦ଭାଗ ଫସଲ ଖଳାକୁ ଆସିଥିବା ବେଳେ ୪୦ଭାଗ ଫସଲ କଟା ହୋଇ ବିଲରେ ପଡ଼ିଛି । ଧାନକଟା ମେସିନ୍ ବିଲରେ ପାଇ ନପାରିବାରୁ ଅମଳ ବାଧାପ୍ରାପ୍ତ ହୋଇଛି । କେବଳ ଚେନପୁଲି ଧାନକଟା ମେସିନ୍ ବିଲରେ ପଶୁଥିବା ବେଳେ ଏହି ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ପୂର୍ବରୁ ସୂଚନା ଥିବା ଜିଲ୍ଲା ଗୁଡ଼ିକରେ ସର୍ତକତା ଅବଲମ୍ବନ ସହ ଅମଳ ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ବର୍ଷାର ସୂଚନା ଦିଆଯାଇ ନଥିବାରୁ ଚାଷୀ ଭୟଭିତ ହୋଇପଡ଼ିଛନ୍ତି ।
କେନ୍ଦ୍ରାପଡ଼ା: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୁରୁବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି । ଶୁକ୍ରବାର ବର୍ଷାର ମାତ୍ରା ଅଧିକ ହୋଇଥିବା ବେଳେ କୋହଲା ପବନ ଯୋଗୁ ସମଗ୍ର ଜିଲ୍ଲାରେ ଶୀତର ଲହରୀ ଖେଳିଯାଇଛି । ଏହି ଲଘୁଚାପ ଜନିତ ବର୍ଷା ଓ ପବନ ଫଳରେ ଚାଷୀ ମାନଙ୍କ ଅମଳ ବାଧାପ୍ରାପ୍ତ ହୋଇଛି । ବର୍ଷାର ପୂର୍ବାନୁମାନ କରି କେତେକ ଚାଷୀ ଅଧା ପାଚିଲା ଧାନ କାଟି ନେଇଥିବା ବେଳେ ଅନେକ ଚାଷୀଙ୍କ ଜମିରେ ଧାନ କଟା ନହୋଇ ଜମିରେ ରହିଥିବା ଦେଖିବାକୁ ମିଳିଛି ।