ଆଭିମୁଖ୍ୟ ନିରପେକ୍ଷ ନୁହେଁ: ନବୀନ

all-party-meeting

କେନ୍ଦ୍ରର ନା ପରେ ମହାନଦୀ ଝଡ଼
ସର୍ବଦଳୀୟ ବୈଠକରେ ଏକାଠି ଲଢ଼େଇ ପାଇଁ ସହମତି
ଭୁବନେଶ୍ୱର, ୭ା୧୨(ବୁ୍ୟରୋ): ଟ୍ରିବୁ୍ୟନାଲ୍ ଗଠନ ନେଇ କେନ୍ଦ୍ରର ମନା କରିବା ପରେ ଆଜି ବିଧାନସଭାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବେ ଆମ ପାଇଁ ନିରପେକ୍ଷ ହୋଇନାହିଁ । ମହାନଦୀ ପ୍ରସଙ୍ଗରେ ଗୃହ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି ଓ ପରବର୍ତ୍ତୀ ପଦକ୍ଷେପ ଗୃହ କମିଟି ସ୍ଥିର କରିବ । ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡି ଲଢେଇ ଜାରି ରଖିବ । ଚାଷୀଙ୍କ ସ୍ୱାର୍ଥ ଲାଗି ସରକାର ସବୁବେଳେ ତତ୍ପର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସନ୍ଧ୍ୟା ୫ଟାରେ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ, ଅମର ପ୍ରସାଦ ଶତପଥୀ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ନୀତିଶ ଗଙ୍ଗଦେବ, ସଂଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଆଗକୁ କିପରି ଲଢେଇ କରାଯିବ, ତାହା ଗୃହ କମିଟି ସ୍ଥିର କରିବ । ଆସନ୍ତା ୧୧ ତାରିଖରେ ସୁପ୍ରିମ୍କୋର୍ଟରେ ମହାନଦୀ ମାମଲାର ଶୁଣାଣି ହେବ । ଏହି ଶୁଣାଣି ବେଳେ କୋର୍ଟ କ’ଣ କହୁଛନ୍ତି, ତାହାକୁ ଦେଖି କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ କେନ୍ଦ୍ର ସରକାର ମହାନଦୀ ସଂକ୍ରାନ୍ତରେ ଦାଖଲ କରିଥିବା ସତ୍ୟପାଠରେ ଟ୍ରିବୁ୍ୟନାଲ୍ ଗଠନକୁ ମନା କରିନାହାନ୍ତି । ଯେହେତୁ ନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି, ତେଣୁ ଟ୍ରିବୁ୍ୟନାଲ୍ ଗଠନ ବିଳମ୍ବ ହେଉଛି । ଏହି କଥା ସୁପ୍ରିମ୍କୋର୍ଟଙ୍କୁ ସରକାର ଜଣାଇଛନ୍ତି । ରାଜ୍ୟ ସ୍ୱାର୍ଥ ପାଇଁ ବିଜେପି ସରକାରଙ୍କୁ ସମର୍ଥ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।