ଆଜିଠୁ ବଢ଼ିବ ବର୍ଷା

ADINIA-BARSA-BHAYA--bhubaneswar-nikatasta-dhauli-goan-re-barsabhaya-jogu-chasi-dhana-kati-khalaku-neuchanti-(4)

ଭୁବନେଶ୍ୱର, ୭ା୧୨(ବୁ୍ୟରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଘନୀଭୂତ ହେଉଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ଅବପାତ ରୂପ ନେଇପାରେ । ଏହାର ପ୍ରଭାବରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟର କେତେକ ସ୍ଥାନରେ ଝିପିଝିପ ବର୍ଷା ଆରମ୍ଭ ହୋଇଛି । ଅବପାତ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି । ଗୁରୁବାର ସନ୍ଧ୍ୟା ସାଢ଼େ ୫ଟା ବେଳେ ମଚ୍ଛଲିପଟ୍ଟନମ୍ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ୮୦୦ କିମି ଦୂରରେ ଏବଂ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହି ଅବପାତ ୦୯ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ପ୍ରଦେଶର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ବେଳକୁ ସାମାନ୍ୟ ଦୁର୍ବଳ ହୋଇଯିବ ବୋଲି ଅଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତିି । ତେବେ ପାରାଦ୍ୱୀପ ଓ ଗୋପାଳପୁର ବନ୍ଦରରେ ୧ ନମ୍ବର ସତର୍କ ସୂଚନା ଜାରି କରାଯାଇଛି । ଅପରପକ୍ଷରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ ଫାଇଲିନ୍ ଓ ହୁଡୁହୁଡୁ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ସଫଳତାର ସହ ମୁକାବିଲା କରିଛୁ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । ଚାଷୀମାନେ ଭୟଭୀତ ହେବାର କାରଣ ନାହିଁ । କ୍ଷୟକ୍ଷତି ହେଲେ କ୍ଷତିପୂରଣ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ୮ ରୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ଏବଂ ୯-୧୦ରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ କୋହଲା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି । ଉପକୂଳରେ ପହଞ୍ଚିବା ପରେ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ । ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଅଶାନ୍ତ ସମୁଦ୍ର ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ ଜାରି କରାଯାଇଛି ।
ଆସନ୍ତାକାଲି କେରାପୁଟ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ଜିଲ୍ଲାର ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା,ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୧ ତରିଖ ପରେ ବର୍ଷାର ପରିମାଣ ହା୍ରସ ପାଇବ ବଲୋ ପୂର୍ବାନୁମାନ କରାଯାଇଛି ।
ରାଜ୍ୟରେ ଗୁରୁବାର ଶୀତ ସାମାନ୍ୟ ହ୍ରାସ ପାଇଛି । ଗତକାଲି ରାତିରେ ପାରଦ ୦.୫ରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ବଢିଯାଇଛି । ଆଜି ସନ୍ଧ୍ୟାରେ ମଧ୍ୟ କମ୍ ଶୀତ ଅନୁଭୂତ ହେଉଛି । ତାପମାତ୍ରା କିଛି ମାତ୍ରାରେ ବଢ଼ିଲେ ବି ଶୀତର ପ୍ରକୋପ କମିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପାମତ୍ରା ୮.୫ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର, କଟକ, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବାରିପଦା ଆଦି ସହରରେ ତାପମାତ୍ରା ବୃଦ୍ଧି ପାଇଛି । ଆଗାମୀ ତିନିଦିନ ଯାଏ ଏଭଳି ପାଗ ଲାଗି ରହିବ ।