ବନ କର୍ମଚାରୀଙ୍କ ଅପାରଗତାରୁ ଧ୍ୱଂସ ପାଇବ

raghunathpur1

ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଧଳତଙ୍ଗଗଡ଼ ଜଙ୍ଗଲ
ରଘୁନାଥପୁର (ଆପ୍ର): ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ପୁରୁଣା ବସନ୍ତ ପଞ୍ଚାୟତରେ ଥିବା ଧଳତଙ୍ଗଗଡ ଜଙ୍ଗଲ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇନାହିଁ । ଏଥିସହ ବନଖଣ୍ଡ କର୍ମଚାରୀଙ୍କ ଅପାରଗତା କାରଣରୁ ଏହା ଧ୍ୱଂସ ହେବାକୁ ବସିଥିବା ଅଭିଯୋଗ ହେଉଛି । ପ୍ରକାଶଯୋଗ୍ୟ, ମୁଖ୍ୟତଃ ଏହା ଜିଲ୍ଲାର ଏକମାତ୍ର ଜଙ୍ଗଲ ହୋଇଥିବାବେଳେ ଏହାର ପରିଧି ୨୭୯ ଏକର ୦୩ ଡିସିମିଲି । ହଂସୁଆ କୁଳେ କୁଳେ ଲମ୍ବିଥିବା ଏହି ଜଙ୍ଗଲଟି କଟକ ବନଖଣ୍ଡ ଅଧିକାରୀ ଓ ଜଗତ୍ସିଂହପୁର ରେଞ୍ଜର୍ ଅଫିସ ଅଧୀନରେ ରହିଛି । ଏତେବଡ ଜଙ୍ଗଲକୁ ଜଗିବା ପାଇଁ ଜଣେ ଫରେଷ୍ଟର୍ ଗାର୍ଡ ଓ ୪ଜଣ ପାରା ଫରେଷ୍ଟର୍ ଗାର୍ଡ ନିୟୋଜିତ ଥିବାବେଳେ ଅଫିସ୍ରେ କାହାରିକୁ ଦେଖିବାକୁ ମିଳେନାହିଁ । ରକ୍ଷଣାବେକ୍ଷଣ ଅଭାବ ଓ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ପୁରୁଣା ବସନ୍ତ, ଛପଡା, ଏରଡଙ୍ଗା, ରେଢୁଆ ଆଦି ପଞ୍ଚାୟତର ବିଭିନ୍ନ ବ୍ଲକ୍ରେ ଶତାଧିକ ଲୋକ ଧାରଣା ଦେବାସହ ରାଜ୍ୟ ସରକାର, ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ । ମା’ ଶାରଳା ଓ ପ୍ରଭୁ ଗୋରେଖନାଥଙ୍କ ପୀଠ ନିକଟରେ ଥିବା ଏହି ଜଙ୍ଗଲକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଲେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିବେ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ପ୍ରକାଶ ପାଇଛି । ମାତ୍ର ବନବିଭାଗର ଅବହେଳା ଓ ମନମୁଖୀ କାର୍ଯ୍ୟ ପାଇଁ ଜଙ୍ଗଲ ଧ୍ୱଂସ ପାଇବାକୁ ବସିଛି । ତେବେ ଜଙ୍ଗଲରେ ବହୁ ମୂଲ୍ୟବାନ୍ ଗଛଗୁଡିକର କାଠକୁ ମାଫିଆମାନେ ଜଗୁଆଳଙ୍କୁ ହାତକରି କାଟିନେଉଛନ୍ତି । ଫଳରେ ଜଙ୍ଗଲ ନିଜ ଅସ୍ତିତ୍ୱ ହରାଇବାକୁ ବସିଛି । ଏହା ଚାରିପାଖରେ ତାରବାଡ ନରହିବାରୁ ହରିଣ, ଠେକୁଆ, ଝିଙ୍କ, ହେଟା ଓ ସାପମାନେ ବାହାରକୁ ଚାଲିଆସୁଛନ୍ତି । ଯଦ୍ୱାରା ସ୍ଥାନୀୟ ଲୋକେ ହରିଣଗୁଡିକୁ ମାରିଦେଉଛନ୍ତି । ଜଙ୍ଗଲରେ ଥିବା ପୋଖରୀ ଶୁଖିଲା ପଡିଥିବାରୁ ଜନ୍ତୁମାନେ ପାଣି ପିଇବାକୁ ହସୁଂଆ ଆସନ୍ତି । ସେହିପରି ଶାଗୁଆନ, ଆମ୍ବ, ପଣସ, ମେହେରାନ, କେନ୍ଦୁପତ୍ର ଓ ଘନ ବାଉଂଶବୁଦା ସହ ଅନ୍ୟ ସମସ୍ତ ଗଛ ଲୋପ ପାଇଗଲାଣି । ଜଙ୍ଗଲ ପରିଧି ମଧ୍ୟରୁ ଚତୃପାଶ୍ୱର୍ରେ ଥିବା ଜମି ମାଲିକମାନେ ନିଜ ଜମିର ପରିଧି ବଢ଼ାଇ ଏହାକୁ ଜବରଦଖଲ କରିଛନ୍ତି । ଜଙ୍ଗଲ ମଧ୍ୟସ୍ଥଳରେ ଏକ ବଙ୍ଗଳା ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ପାଇଁ କେହି ନାହାନ୍ତି । ବଙ୍ଗଳାକୁ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ଥିବା ରାସ୍ତା ଦେଇ ଯିବାକୁ ହୁଏ । ଅଫିସ୍ ଘର କଥା କହିଲେ ନ’ସରେ । ଗତ ନଭେମ୍ବରରୁ ପର୍ଯ୍ୟଟକଙ୍କ ଯାତାୟାତ ଆରମ୍ଭ ହୋଇଥିଲେ ମଧ୍ୟ ଜଙ୍ଗଲକୁ ଯିବା ପାଇଁ ମୁଖ୍ୟ ରାସ୍ତାଟିଏ ନାହିଁ । କେତେକ ସରପଞ୍ଚ ଓ ସମିତି ସଭ୍ୟ ଜଙ୍ଗଲ ପୁନରୁଦ୍ଧାର ଦାବି କରିବାରୁ ଆମ ପ୍ରତିନିଧି ତଦନ୍ତରେ ଯାଇଥିଲେ । ହେଲେ ଅଫିସ୍ରେ କୌଣସି ଗାଡର୍୍ଙ୍କୁ ପାଇନଥିଲେ । ଜଙ୍ଗଲ ଚତୁପାଶ୍ୱର୍ ପରିଦର୍ଶନ କରି ଫେରୁଥିବାବେଳେ ପାରା ଫରେଷ୍ଟର ଗୁରୁଚରଣ ବାରିକ ସେଠାରେ ପହଞ୍ଚିଥିଲେ । ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ଗାଡର୍୍ ଭାବେ ମହାଦେବ ମୁଳିଆ ଓ ପାରା ଫରେଷ୍ଟର ଭାବେ ସୁକାନ୍ତ ଜେନା, ରଞ୍ଜନ ଭୋଇ, ଗୁରୁଚରଣ ବାରିକ, ସୁରେନ୍ଦ୍ର ଗୁରୁ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଥିବା ସେ କହିଥିଲେ । ତେବେ ସମସ୍ତ କର୍ମୀ ଜଙ୍ଗଲ ମଧ୍ୟକୁ ନିଜ ଡିୟୁଟିରେ ଯାଇଥିବା ଗୁରୁଚରଣ ବାରିକ କହିଥିଲେ । ହେଲେ ଜଙ୍ଗଲ ମଧ୍ୟରେ କେହି ନଥିବା ଜଣାପଡିଛି । ତେଣୁ ବନବିଭାଗ ମନ୍ତ୍ରୀ, ଜିଲ୍ଲାପାଳ, ବିଭାଗୀୟ ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କଲେ ଜଙ୍ଗଲ ରକ୍ଷା ପାଇବା ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବ ବୋଲି କୁହାଯାଇଛି ।