କଳିଙ୍ଗରେ ସାଫଲ୍ୟର ପୁନରାବୃତ୍ତି

india

ହକି ବିଶ୍ୱ ଲିଗ୍ ଫାଇନାଲ୍
ଭୁବନେଶ୍ୱର, ୬ା୧୨ (ବିଶ୍ୱଜିତ୍ ମହାନ୍ତି): ସଫଳତାର ପୁନରାବୃତ୍ତି ଘଟିଛି କଳିଙ୍ଗ ଷ୍ଟାଡିୟମ୍ରେ । ତିନିବର୍ଷ ତଳେ ଏଭଳି ଏକ ଶୀତ ସନ୍ଧ୍ୟାରେ ଏହି ଗ୍ରାଉଣ୍ଡରେ ଏକ ବିଶ୍ୱସ୍ତରୀୟ (ହକି ଚାମ୍ପିଅନ୍ସ ଟ୍ରଫି) ପ୍ରତିଯୋଗିତାର କ୍ୱାର୍ଟର୍-ଫାଇନାଲ୍ରେ ବେଲ୍ଜିୟମ୍କୁ ପରାଜିତ କରିଥିଲା ଭାରତ । ଆୟୋଜକ ଦଳର ବୁଧବାରର ବିଜୟ ଏକ ସ୍ୱାଭାବିକ ସଫଳତା ନ ଥିଲା । ଅନ୍ତତଃପକ୍ଷେ ବେଲ୍ଜିୟମ୍ ପାଇଁ ଏହା ଅପ୍ରତ୍ୟାଶିତ ପରାଜୟ ଥିଲା, ଯେଉଁ ଦଳ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତିଥିଲା; କିନ୍ତୁ ଶେଷରେ ପରିସ୍ଥିତି ଏଭଳି ହେଲା ଯେ ରିଓରେ ରୌପ୍ୟ ଜିତିଥିବା ଦଳ ପଦକ ଦୌଡ଼ରୁ ବାଦ୍ ପଡ଼ିଲା । ଭାରତୀୟ ଦଳ ବେଲ୍ଜିୟମ୍କୁ ସଡନ୍ ଡେଥ୍ରେ ହରାଇ କେବଳ ସଫଳତାର ପୁନରାବୃତ୍ତି କରିନାହିଁ, ରିଓ ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି । ହକି ବିଶ୍ୱ ଲିଗ୍ ଫାଇନାଲ୍ରେ ଭାରତ ଦ୍ୱିତୀୟ ଥର ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛି । ଦର୍ଶକଭର୍ତ୍ତି କଳିଙ୍ଗ ଗ୍ରାଉଣ୍ଡର ଦ୍ୱିତୀୟ କ୍ୱାର୍ଟର୍ରେ ଆଜି ରୋମାଞ୍ଚ ସୀମାତିକ୍ରାନ୍ତ କରିଥିଲା । ଲିଗ୍ ପର୍ଯ୍ୟାୟରେ ବିଜୟର ସ୍ୱାଦ ଚାଖି ନ ପାରି ପୁଲ୍-ବି’ରେ ସର୍ବନିମ୍ନରେ ଥିବା ମନପ୍ରୀତ ସିଂହଙ୍କ ଦଳ ଏଯାବତ୍ ସବୁଠାରୁ ଶକ୍ତିଶାଳୀ ଦଳ ପୁଲ୍-ଏ’ ଟପ୍ପର ବିପକ୍ଷରେ ବିଜୟ ହାସଲ କରିବା କଳ୍ପନାତୀତ ଥିଲା । ଯଦିଓ ବିଜୟ ରେକର୍ଡ ଦୃଷ୍ଟିରୁ ଭାରତ ଯଥେଷ୍ଟ ଆଗରେ ଥିଲା ଓ ଘରୋଇ ଦର୍ଶକଙ୍କ ଭରପୁର ସମର୍ଥନ ରହିଥିଲା, ଏହାସତ୍ତ୍ୱେ ସବୁ ଦୃଷ୍ଟିକୋଣରୁ ଭଲ ପ୍ରଦର୍ଶନ କରୁଥିବା ଥୋମାସ୍ ବ୍ରାଏଲ୍ସଙ୍କ ଦଳକୁ କଡ଼ା ଟକ୍କର୍ ଦେଇ ପରାଜିତ କରିବା ଏକ ବଡ଼ ଉପଲବ୍ଧି ଥିଲା ଭାରତ ପାଇଁ । ଉଭୟ ଦେଶ ମଧ୍ୟରେ ଏଯାବତ୍ (ଆଜିକୁ ମିଶାଇ) ୭୩ଟି ମ୍ୟାଚ୍ ଖେଳାଗଲାଣି । ତନ୍ମଧ୍ୟରୁ ଭାରତ ୪୬ଟି ବିଜୟ ହାସଲ କରିଛି ।
ଦ୍ୱିତୀୟ କ୍ୱାର୍ଟର୍-ଫାଇନାଲ୍ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୩-୩ ସମାନ ସ୍ଥିତିରେ ରହିଥିଲା । ଭାରତ ପକ୍ଷରୁ ଗୁରଜନ୍ତ ସିଂହ (୩୧ତମ), ହରମନପ୍ରୀତ ସିଂହ (୩୫ତମ) ଓ ରୂପିନ୍ଦର ପାଲ୍ ସିଂହ (୪୬ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ବେଲ୍ଜିୟମ୍ ପକ୍ଷରୁ ଲୋଇକ୍ ଲୁଏପାର୍ଟ (୩୯ତମ, ୪୬ତମ) ଦୁଇଟି ଓ ଆମୌରୀ କିଉଷ୍ଟର୍ସ (୫୩ତମ) ଗୋଟିଏ ଗୋଲ୍ ଦେଇଥିଲେ ।
ଏହାପରେ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା । ଏହା ମଧ୍ୟ ୨-୨ରେ ରହିଥିଲା । ବେଲ୍ଜିୟମ୍ ପକ୍ଷରୁ ଫ୍ଲୋରେଣ୍ଟ ଭାନ୍ ଅଉବେଲ୍ ଓ ଆର୍ଥର୍ ଭାନ୍ ଡୋରେନ୍ ଗୋଲ୍ ଦେଇଥିବାବେଳେ ଭାରତ ପକ୍ଷରୁ ଲଳିତ ଉପାଧ୍ୟାୟ ଓ ରୂପିନ୍ଦର ସିଂହ ଯଥାକ୍ରମେ ଦଳର ଦ୍ୱିତୀୟ ଓ ତୃତୀୟ ପ୍ରୟାସରେ ଗୋଲ୍ କରିଥିଲେ । ଏହାପରେ ସଡନ୍ ଡେଥ୍ରେ ଫଳାଫଳ ବାହାରିଥିଲା । ହରମନପ୍ରୀତ ସିଂହ ସ୍କୋର୍ କରିବା ପରେ ଭାରତୀୟ ଗୋଲ୍ରକ୍ଷକ ଆକାଶ ଚିକ୍ତେ ବେଲ୍ଜିୟମ୍(ଆର୍ଥର)ର ପ୍ରୟାସକୁ ବିଫଳ କରିଦେଇଥିଲେ । ଏହାଫଳରେ ହରମନପ୍ରୀତଙ୍କ ସ୍କୋର୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା ।
ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମକ୍ପ୍ରଦ ପ୍ରଦର୍ଶନ କରିବା ପରେ ଇଂଲଣ୍ଡ ଓ ଜର୍ମାନୀ ବିପକ୍ଷରେ ସାଧାରଣ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଆଜି କୋଚ୍ ସୋଏର୍ଡ ମାରିନ୍ଙ୍କ ମାର୍ଗଦର୍ଶନରେ ଦୃଢ଼ ମନୋବଳ ନେଇ ମଇଦାନକୁ ଓହ୍ଲାଇଥିଲା । ପ୍ରଥମରୁ ଆୟୋଜକ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ପଞ୍ଚମ ମିନିଟ୍ରେ ହିଁ ଭାରତ ପେନାଲ୍ଟି କର୍ଣ୍ଣର୍ ପାଇଥିଲା । ତେବେ ଏହା କାମରେ ଆସି ନ ଥିଲା । ୧୧ତମ ମିନିଟ୍ରେ ବେଲ୍ଜିୟମ୍ ଏକ ଗୋଲ୍ କରିଥିଲା, ହେଲେ ଭିଡିଓ ରେଫରାଲ୍ରେ ଏହା ନାକଚ ହୋଇଯାଇଥିଲା । ଉଭୟ ଦଳ ମଧ୍ୟରେ ଅଗ୍ରଣୀ ହାସଲ ପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଥିଲା । କିନ୍ତୁ ପ୍ରଥମ କ୍ୱାର୍ଟର୍ ଗୋଲ୍ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟର୍ରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଦଳ କଡ଼ା ଚାଲେଞ୍ଜ୍ ଦେଉଥିବାବେଳେ ବେଲ୍ଜିୟମ୍ର ପ୍ରଦର୍ଶନ ସାଧାରଣ ଥିଲା । ମିଡ୍ଫିଲ୍ଡରୁ ଭାରତୀୟ ଅଧିନାୟକ ମନପ୍ରୀତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ୩୦ତମ ମିନିଟ୍ରେ ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା, ହେଲେ ଏହା ବି ନିଷ୍ଫଳ ହୋଇଥିଲା । ଅନ୍ୟପଟେ ବେଲ୍ଜିୟମ୍ ସେଯାଏ କୌଣସି ପିସି ପାଇ ନ ଥିଲା । ମଧ୍ୟାନ୍ତର ସୁଦ୍ଧା କେହି ଖାତା ଖୋଲିପାରି ନ ଥିଲେ ।