କେନ୍ଦ୍ର ଉପରେ ଦୋଷ ଲଦିଲେ

bidhana-sabhha

ମହାନଦୀ ପ୍ରସଙ୍ଗରେ ସରଗରମ୍ ଆଲୋଚନା
ଭୁବନେଶ୍ୱର, (ବୁ୍ୟରୋ): ମହାନଦୀ ପ୍ରସଙ୍ଗରେ ଆଜି ବିଧାନସଭାରେ ସରଗରମ୍ ଆଲୋଚନା ହୋଇଛି । ୫ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ୨୦ଜଣ ସଦସ୍ୟ ଭାଗ ନେଇଛନ୍ତି । ପ୍ରାୟ ସଂଖ୍ୟାଧିକ ସଦସ୍ୟ ମହାନଦୀ ବିବାଦ ସମାଧାନ ନହେବା ନେଇ କେନ୍ଦ୍ର ଉପରେ ଦୋଷାରୋପ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଏହି ପ୍ରସଙ୍ଗରେ କହିଲେ ଯେ, କେନ୍ଦ୍ର ସରକାର ଯଥା ସମୟରେ ହସ୍ତକ୍ଷେପ କରିନଥିବାରୁ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବେଆଇନ୍ ଭାବେ ବ୍ୟାରେଜ୍ଗୁଡ଼ିକ ନିର୍ମାଣ କରୁଛନ୍ତି । ସଂଘୀୟ ବ୍ୟବସ୍ଥା ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ସମଦୃଷ୍ଟି ପ୍ରଦର୍ଶନ କରିବା ଉଚିତ୍ । ନିର୍ମାଣ ହେଉଥିବା ଓ ନିର୍ମାଣାଧୀନ ବ୍ୟାରେଜ୍ଗୁଡ଼ିକ ଓଡ଼ିଶାବାସୀଙ୍କ ବିପୁଳ କ୍ଷତିସାଧନ କରିବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି ଛତିଶଗଡ଼କୁ ନିଦେ୍ର୍ଦଶ ଦେବା ସହ ମହାନଦୀ ଟି୍ରବୁ୍ୟନାଲ୍କୁ ଆଉ ଅଧିକ ବିଳମ୍ବ ନକରି ଯଥାଶୀଘ୍ର ଗଠନ କରିବା ଦିଗରେ ତତ୍ପରତା ପ୍ରକାଶ କରିବା ଉଚିତ୍ । ମହାନଦୀ ଉପରେ ୧୫ ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଜୀବନଜୀବିକା ନିର୍ଭର କରିଥାଏ । ୨୦୦୦ରୁ ୨୦୧୦ ଭିତରେ ଛତିଶଗଡ଼ ସରକାର ମହାନଦୀ ଏବଂ ଏହାର ଉପନଦୀଗୁଡ଼ିକରେ ଅନେକଗୁଡ଼ିକ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ କେତେକ ପ୍ରକଳ୍ପକୁ ଭାରତ ସରକାର ଅନୁମୋଦନ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ମହାନଦୀର ନିମ୍ନ ଭାଗରେ ଥିବା ଓଡ଼ିଶାକୁ ଏହି ପ୍ରକଳ୍ପର ଅନୁମୋଦନ ପ୍ରକି୍ରୟା ସମୟରେ ବିଶ୍ୱାସ ନେବା ତ ଦୂରେ ଥାଉ ଅବଗତ କରାଇବାକୁ ଉଚିତ୍ ମଣିଲେନି । ୨୦୧୦ରୁ ୨୦୧୩ ମଧ୍ୟରେ ମହାନଦୀ ମୁଖ୍ୟ ଶାଖାରେ ଶିଳ୍ପକୁ ଜଳଯୋଗାଣ ନିମନ୍ତେ ୬ଟି ବୃହତ୍ ବ୍ୟାରେଜ୍ ନିର୍ମାଣ କରିଥିଲେ । ଏହି ବ୍ୟାରେଜଗୁଡ଼ିକ ମହାନଦୀ ପାଣି ପ୍ରବାହର ଗତିରୋଧ କରି ବର୍ତ୍ତମାନ ୧୦୦ କିମି ବ୍ୟାପୀ ଏକ ଜଳାଶୟ ସୃଷ୍ଟି କରିଛି । ମହାନଦୀକୁ ଅଣମୌସୁମୀ ପ୍ରବାହ ଏହି ୬ଟି ବ୍ୟାରେଜ୍ଦ୍ୱାରା ଯଦି ଅବରୋଧ ହୁଏ, ହୀରାକୁଦକୁ ଟୋପେ ବି ପାଣି ଆସିବନି । ଏହି ବ୍ୟାରେଜ୍ଗୁଡ଼ିକରେ ସମ୍ପୂର୍ଣ୍ଣ ଅନିୟମିତତା ଓ ବେଆଇନ ଭାବେ ନିର୍ମାଣ ହୋଇଛି । ପ୍ରକଳ୍ପଗୁଡ଼ିକ ଶିଳ୍ପଭିତ୍ତିକ ବ୍ୟାରେଜ୍ ଭାବେ ଗଣାଯିବା ଉଚିତ୍ । ଛତିଶଗଡ଼ ଏହାକୁ ଚତୁରତାର ସହ ବି-୨ ବର୍ଗ ବ୍ୟାରେଜ୍ ଦେଖାଇ ଅନୁମୋଦନ ହାସଲ କରିଛି ବୋଲି ଶ୍ରୀ ଆରୁଖ୍ କହିଥିଲେ ।
ବିଧାୟକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ୧୯୪୮ରେ ହୀରାକୁଦ ନଦୀବନ୍ଦ ଯୋଜନା ହାସଲ ହୋଇ ୧୯୫୬ରେ ଶେଷ ହୋଇଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ, ଏହା ହେଉଛି ଆଧନିକ ଭାରତର ମନ୍ଦିର । ଓଡ଼ିଶାର ଦୁଇ ତୃତୀୟାଂଶ ଲୋକ ହୀରାକୁଦ ଉପରେ ନିର୍ଭରଶୀଳ । ସୁପି୍ରମକୋର୍ଟରେ ୩ଥର ଶୁଣାଣି ହୋଇଛି । କେନ୍ଦ୍ର ସରକାର କେବଳ ମୌଖିକ ଉପସ୍ଥିତି ରହି ନଭେମ୍ବର ୧୯ ସୁଦ୍ଧା ଟି୍ରବୁ୍ୟନାଲ୍ ଗଠନ କରିବେ ବୋଲି ସତ୍ୟପାଠ ଦେଲେ । ବର୍ତ୍ତମାନ ସୁଦ୍ଧା ଟି୍ରବୁ୍ୟନାଲ୍ ଗଠନ ହେଲାନି । ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ହୋଇଥିଲା । ଏହି ବିବାଦର ସମାଧାନ କ୍ଷମତା ତାକୁ ଦିଆଯାଇନଥିଲା । ବର୍ତ୍ତମାନ ସୁଦ୍ଧା ଟି୍ରବୁ୍ୟନାଲ୍ ଗଠନ ନେଇ କୌଣସି ବିଜ୍ଞପ୍ତିି ପ୍ରକାଶ ପାଇଲା ନାହିଁ । ସରକାରୀ ଦଳ ମୁଖ୍ୟ ସଚେତକ ରୋହିତ ପୂଜାରୀ କହିଥିଲେ ଯେ, କେନ୍ଦ୍ର ଜଳ ଆୟୋଗ ପ୍ରକୃତ ତଥ୍ୟ ଦେଲାନାହିଁ । ୫୩% ପାଣି ସମୁଦ୍ରକୁ ଯାଉଛି । ଏହା ବିଧିର ବିଧାନ । ସମୁଦ୍ରକୁ ନଗଲେ ଜୈବିକ ସନ୍ତୁଳନ ଲୋପ ପାଇଯିବ । କେନ୍ଦ୍ର ସତ୍ୟପାଠ ଦାଖଲ କରିଛି, ଟି୍ରବୁ୍ୟନାଲ୍ ଗଠନ ହୋଇପାରିବ ନାହିଁ ବୋଲି ସେ କହିଥିଲେ ।
ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ ଯେ, ୨୦୧୬ରୁ ରାଜ୍ୟ ସରକାର କୋର୍ଟକୁ ଯାଇଥିଲେ । ଏହା ପୂର୍ବରୁ ରାଜ୍ୟ ସରକାର କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ, କ୍ଷମତା ଆହରଣ ଓ ରାଜନୈତିକ ସଂକୀର୍ଣ୍ଣତା, ଅର୍ଥ ପ୍ରତି ଲୋଭ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି । ବିଜେପି ବିଧାୟକ ବସନ୍ତ ପଣ୍ଡା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଏକଛତ୍ରବାଦ ନୀତି ଗ୍ରହଣ କରୁଛନ୍ତି । ବିରୋଧୀଦଳ ନେତା ଡାକିବା ସତ୍ତ୍ୱେ ବୈଠକକୁ ଗଲେନାହିଁ । ରାଜ୍ୟ ସରକାର ଶୋଇଛନ୍ତି, ତାଙ୍କୁ ଉଠେଇବ କିଏ? ମହାନଦୀର ୧୧୧.୯୨ ଘନଫୁଟ୍ ଜଳ ପାନୀୟ ଜଳ ପାଇଁ ବ୍ୟବହାର ହେଉଥିବା ୧୨୮୦ ଘନଫୁଟ ମିଟର ଶିଳ୍ପକୁ ଦିଆଯାଉଛି । ସରକାର ପୁଞ୍ଜିପତିଙ୍କୁ ପାଣି ଦେବାକୁ ଗୋଡ଼ ଟେକି ବସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ନବକିଶୋର ଦାସ, ସମୀର ଦାସ, ବେଦପ୍ରକାଶ ଅଗ୍ରୱାଲା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜିବ ସାହୁ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମାଝି, ରବି ନାୟକ, ରୋହିତ ପୂଜାରୀ, ପ୍ରଦୀପ ପୁରୋହିତ, ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।