୧୫ରୁ ଗଡ଼ିବନି ଟ୍ରକ୍

TRUCK-ASSOCIATION_1

ଟିକସ ବୃଦ୍ଧି ଓ ଚେକିଂ ନାମରେ ଅର୍ଥଆଦାୟକୁ ବିରୋଧ
ଅନୁଗୁଳ(ଆପ୍ର): ରାଜ୍ୟସରକାର ଟ୍ରକ୍ ଗୁଡ଼ିକ ଉପରେ ଅହେତୁ ଟିକସ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନୂଆକରି ଗ୍ରୀନଟ୍ୟାକ୍ସ ପ୍ରଚଳନ କରିଥିବାରୁ ଏହା ବିରୋଧରେ ଆସନ୍ତା ୧୫ ତାରିଖ ମଧ୍ୟରାତି୍ରରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ପାଇଁ ରାଜ୍ୟ ଟ୍ରକମାଲିକ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ମହାସଂଘ ସଭାପତି ବିଭୂତି ପ୍ରସାଦ ଦାସ ଓ ସାଧାରଣ ସମ୍ପାଦକ ରବି ଶତପଥି ଏକ ସାମ୍ବାଦିନ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ୧୫ବର୍ଷରୁ ପୁରଣା ଟ୍ରକ ଗୁଡ଼ିକ ଉପରେ ବାର୍ଷିକ ୪ହଜାର ଟଙ୍କା ଗ୍ରୀନ୍ଟାକ୍ସ ଆଦାୟ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେବା ସଙ୍ଗେ ସଙ୍ଗେ ୧୦ଚକିଆ, ୧୨ଚକିଆ, ଓ ତା’ଠାରୁ ଅଧିକ ମାଲପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ଉପରେ ରୋଡ୍ ଟାକ୍ସ ବୃଦ୍ଧି କରିଛନ୍ତି । ଏତଦ୍ଭିନ୍ନ ଚେକିଂ ଆଳରେ ରାସ୍ତାରେ ବ୍ୟାପକ ପାଉଣା ଆଦାୟ ହେଉଛି ଏବଂ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ପରିବହନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ ତନଖି ଫାଟକ ଉଚ୍ଛେଦ କରାଯାଇଛି । କିନ୍ତୁ ଗେଟ୍ମାନଙ୍କରେ ପୂର୍ବରୁ କାର୍ଯ୍ୟ କରୁଥିବା ଜୁନିୟର ଏମ୍ଭିଆଇ ଓ ପରିବହନ ବିଭାଗର ଟ୍ରାଫିକ୍ ଇନ୍ସପେକ୍ଟରମାନେ ଚେକିଂ ଆଳରେ ବ୍ୟାପକ ପାଉଣା ଆଦାୟ କରୁଛନ୍ତି । ଏଥି ସହିତ ପରିବହନ କମିଶନରଙ୍କ ନିଦେ୍ର୍ଦଶନାମାକୁ ବେଖାତିର କରି ମିଥ୍ୟା କେସ୍ କରି ଜୋରିମନା କରୁଛନ୍ତି । ଫଳରେ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥି ନିବେଦନ କରିଛନ୍ତି ।
ବୁଧବାର ଅନୁଗୁଳ ଟ୍ରକ୍ମାଲିକ ସଂଘର କାର୍ଯ୍ୟାଳୟରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବହୁ ସଦସ୍ୟ ଯୋଗଦେଇ ଆନେ୍ଦାଳନ ଦୃଢ଼ କରିବାକୁ ନିଷ୍ପତ୍ତିି ନେଇଛନ୍ତି ।