ଗ୍ରାମ୍ୟ ଢଳେଇ ରାସ୍ତାର ଦୂରାବସ୍ଥା: ଲୋକେ ହିନସ୍ତା

bidyalayru-chori

ନିଶ୍ଚିନ୍ତକୋଇଲି (ଆପ୍ର): ନିମ୍ନ ମାନର କାର୍ଯ୍ୟ ଯୋଗୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନିଶ୍ଚିନ୍ତକୋଇଲି ବ୍ଳକ ସୁକରପଡା ଗ୍ରାମ ପଞ୍ଚାୟତ ନାୟକ ସାହି ଢଳେଇ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାର ଅଭିଯୋଗ ହୋଇଛି । ଏହାର ପ୍ରତିକାର ନିମନ୍ତେ ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ସୁକରପଡା ଗ୍ରାମ ପଞ୍ଚାୟତର ରାଣୀପଡା-ଶନିଶ୍ଚର ଠାକୁରଙ୍କ ଠାରୁ ନାୟକ ସାହି ପର୍ଯ୍ୟନ୍ତ ଏକ ଗ୍ରାମ୍ୟ ରାସ୍ତା ରହିଛି । ଏହି ଗ୍ରାମ୍ୟ ରାସ୍ତା ଉପରେ ଗମନା ଗମନ କରିବା ନିମନ୍ତେ ସ୍ଥାନୀୟ ଗ୍ରାମର ସ୍କୁଲ କଲେଜ, ଛାତ୍ରଛାତ୍ରୀ, ଅଙ୍ଗନୱାଡି ଶିଶୁ ଓ ସାଧାରଣ ଲୋକେ ଗମନା ଗମନ ନିମନ୍ତେ ନିର୍ଭର କରିଥାନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ତରଫରୁ ଏହି ଗ୍ରାମକୁ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା । ନିମ୍ନମାନର କାର୍ଯ୍ୟ ହେତୁ ନିର୍ମାଣର ମାତ୍ର ଅଳ୍ପଦିନ ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଏହି ରାସ୍ତାରେ ଯାନ ବାହାନ ଗମନା ଗମନ କରିବା ଦୂରର କଥା ଏପରିକି ଖାଲି ପାଦରେ ଚାଲିକି ଯିବା କାଠିକର ପାଠ । ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ରାସ୍ତାର ଶୋଚନୀୟ ଅବସ୍ଥା ହେତୁ ଲୋକେ ଗମନା ଗମନ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜରୁରୀକାଳୀନ ପରିସ୍ଥିତିରେ ଏହି ଗ୍ରାମକୁ ଦମକଳ ଗାଡି କିମ୍ବା ଆମ୍ବୁଲାନ୍ସ ଯାଇ ଆସି ପାରୁନାହିଁ । ଫଳରେ ଗ୍ରାମର ଗର୍ଭବତି, ପ୍ରସୂତୀ ମହିଳା ଓ ରୋଗା କ୍ରାନ୍ତ ଲୋକେ ଡାକ୍ତର ଖାନାକୁ ଯିବା ନିମନ୍ତେ ଚରମ ହଟହଟାର ସମ୍ମୁଖୀନ ହେଉଥିବାର ସାଧାରଣରେ ଅଭିଯୋଗ ହୋଇଛି । ଏହି ଗ୍ରାମ୍ୟରାସ୍ତାକୁ ତୁରନ୍ତ ମରାମତି କିମ୍ବା ପୁନଃନିର୍ମାଣ କରାଯିବା ନିମନ୍ତେ ଲୋକେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏଥିପ୍ରତି କେହିହେଲେ କର୍ଣ୍ଣପାତ କରୁନଥିବାର ସାଧାରଣରେ ଅଭିଯୋଗ ହୋଇଛି । ତୁରନ୍ତ ଏହି ଗ୍ରାମ୍ୟ ରାସ୍ତାକୁ ମରାମତି କରାଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି ।