ବିକଳରେ ଧାନକାଟୁଛନ୍ତି ଚାଷୀ

badsahi--dhan

ଅଦିନିଆ ବର୍ଷା ଭୟ
ବଡ଼ସାହି(ଆପ୍ର): ଚକଡ଼ା ଆକ୍ରମଣ ଜନିତ କ୍ଷତି ସହିବା ପରେ ଅଦିନିଆ ବର୍ଷାର ନିର୍ମମ ପ୍ରହାର ମେରୁଦଣ୍ଡ ସଳଖେଇବା ପାଇଁ ଚାଷୀଙ୍କୁ ସମୟ ଦେଉନାହିଁ । ୭ତାରିଖରୁ ଲଘୁଚାପ ବର୍ଷା ସୂଚନା ମିଳିବା ପରିପ୍ରେକ୍ଷୀରେ ବିଲରେ କଟାହୋଇ ପଡ଼ିଥିବା ଧାନ ନିରାପଦ ସ୍ଥାନରେ ରଖିବା ପାଇଁ ଚାଷୀ ଦିନରାତି ଏକ କରିଦେଇଥିବା ଦେଖିବାକୁ ମିଳିଛି । ବୁଧବାର ଆକାଶ ମେଘାଚ୍ଛନ୍ନ ରହିଥିବାରୁ ଚାଷୀ ଆତଙ୍କିତ ହୋଇଉଠିଛନ୍ତି । ଯଥେଷ୍ଟ ପୂର୍ବରୁ ପ୍ରତିକାର କରାଯାଇଥିଲେ ବି ଚକଡ଼ାପୋକ, ଲେଡାପୋକ ଆକ୍ରମଣରେ ବଡ଼ସାହି ବ୍ଲକର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷତି ହୋଇଛି । କାଳୀପୂଜା ସମୟରେ ହୋଇଥିବା ବର୍ଷା ଯୋଗୁଁ ଗଙ୍ଗାହାର ନଦୀ ବନ୍ୟାରେ ଶାଳଗାଁ, ପଟିସାରୀ, ଛେଳିଆ-କ, ମାନଗୋବିନ୍ଦପୁର ପ୍ରଭୃତି ପଂଚାୟତର ନଦୀ କୂଳିଆ ଚାଷଜମି ବନ୍ୟାଜଳରେ ବୁଡିଯିବା ସହ ଫସଲ କ୍ଷତି ହୋଇଥିଲା । ଏହାର ୨୦ଦିନ ପରେ ଲଘୁଚାପ ବର୍ଷା ଫଳରେ ବିଲରେ ଧାନରେ ଗଜା ହେବା ସହ ପଚିଯାଇଥିଲା । ବାରମ୍ବାର କ୍ଷୟକ୍ଷତି ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ମଜୁରିଆଙ୍କ ଅଭାବ ଯୋଗୁ କଟାଯାଇଥିବା ଧାନ ମଧ୍ୟ ଖଳାକୁ ପହଂଚି ପାରିନାହିଁ । ତେଣୁ ଋଣ କିଭଳି ପରିଶୋଧ କରିବେ ସେ ନେଇ ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡିଛି । ବ୍ଲକରେ ମାତ୍ର ୩୦ଭାଗ ଜମିରୁ ଧାନ କଟା ସରିଛି ବୋଲି କୃଷି ଅଧିକାରୀ ନୀଳମାଧବ ଦାଶ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବଡ଼ସାହି କୃଷିବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ବୁଧବାର ଚାଷୀମାନଙ୍କୁ ୩ଦିନିଆ ବର୍ଷା ସୂଚନା ଦିଆଯାଇ କଟାଯାଇଥିବା ଧାନ ସୁରକ୍ଷିତ ସ୍ଥାନକୁ ଆଣି ଢଙ୍କାଇ ରଖିବାକୁ ସଚେତନ କରାଯାଇଛି । ଏଥି ସହିତ ପୁନଃ କ୍ଷୟକ୍ଷତି ତଦନ୍ତ ଏବଂ ସ୍ୱତନ୍ତ୍ର ସହାୟତା ପ୍ରଦାନ ଲାଗି ଅନନ୍ତ ମୁର୍ମୁ, ଲକ୍ଷ୍ମୀଧର ବାରିକ, ସୀତାରାମ ସିଂ, ଜଗନ୍ନାଥ ଦାସ, ଉମେଶ ବେହେରା, କୁମୁଦ ରଞ୍ଜନ ଦାଶ ପ୍ରମୁଖ ଚାଷୀ ଦାବି କରିଛନ୍ତି ।