ବିଜେଡି ୨୦ତମ ପ୍ରତିଷ୍ଠା ଦିବସ ସମାରୋହ ପୁରୀରେ

ଭୁବନେଶ୍ୱର, ୫ା୧୨(ବୁ୍ୟରୋ): ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପୁରୀରେ ପାଳନ କରାଯିବ । ପ୍ରତିଷ୍ଠା ଦିବସ ସମାରୋହରେ ତୃଣମୂଳସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ପ୍ରାୟ ୨୫ ହଜାରରୁ ଊଦ୍ଧ୍ୱର୍ କର୍ମୀ ଓ କର୍ମକର୍ତ୍ତା ଯୋଗଦେବେ । ୧୯୯୭ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ହୋଇଥିଲା । ତକ୍ରାଳୀନ ଜନତା ଦଳ ଭାଙ୍ଗି ନୂତନଭାବରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ବିଜେଡି ଗଠନ ହୋଇଥିଲା । ଚଳିତବର୍ଷ ଡିସେମ୍ବର ୨୬କୁ ଦଳ ୨୦ ବର୍ଷରେ ପଦାର୍ପଣ କରିବ । ଓଡିଶା ରାଜନୈତିକ ଇତିହାସରେ କୌଣସି ଆଞ୍ଚଳିକ ଦଳ ଦୀର୍ଘ ସମୟ ଧରି ରାଜ୍ୟରେ ତିଷ୍ଠିନାହିଁ । ଏହାଛଡା ନିରଙ୍କୁଶଭାବେ ୧୭ ବର୍ଷ ଧରି କୌଣସି ଆଞ୍ଚଳିକ ଦଳ ମଧ୍ୟ କ୍ଷମତାସୀନ ହୋଇନାହିଁ । ଦଳର ୨୦ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ପରିବର୍ତ୍ତେ ପୁରୀରେ କରିବା ଲାଗି ସ୍ଥିର କରାଯାଇଛି । ଏଥିରେ ବିଧାୟକ, ସାଂସଦ, ଜିଲ୍ଲାପରିଷଦ ପ୍ରତିନିଧି, ପଞ୍ଚାୟତ ସମିତି ଅଧ୍ୟକ୍ଷ, ମହାନଗର ନିଗମର ମେୟର ଓ କର୍ପୋରେଟର, ପୌର ସଂସ୍ଥାଗୁଡିକର ଅଧ୍ୟକ୍ଷ ଓ କାଉନ୍ସିଲର, ରାଜ୍ୟ-ଜିଲ୍ଲା-ବ୍ଲକ୍ ସ୍ତରୀୟ ଦଳୀୟ କର୍ମକର୍ତ୍ତା,ଛାମୁଆ ସଂଗଠନ ଯଥା ଯୁବ, ଛାତ୍ର, ମହିଳା ସାମୁଖ୍ୟର କର୍ମକର୍ତ୍ତାମାନେ ଯୋଗଦେବେ । ଏହାଛଡା ୨୦୧୪ ନିର୍ବାଚନରେ ଦଳରୁ ସାଂସଦ ଓ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ନେତାମାନଙ୍କୁ ଡକାଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ସମାବେଶକୁ ଉଦ୍ବୋଧନ ଦେବେ । ଆସନ୍ତାବର୍ଷ ଡିସେମ୍ବରରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରୁଛି । ୨୦ତମ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ସୁପ୍ରିମୋ ନବୀନ ଏକ ନୂଆ ବର୍ତ୍ତା ଦେବେ ବୋଲି ଅନୁମାନ କରାଯାଉଛି । ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇ ସମାବେଶର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି ।