KAMAKSHYANAGAR

ବିଦୁ୍ୟତ୍ ଅଭାବ: ଲଣ୍ଠନରେ ପଢୁଛନ୍ତି ଛାତ୍ରଛାତ୍ରୀ

62

କାମାକ୍ଷାନଗର(ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ୍ ଗଡପଳାଶୁଣି ଠାରୁ ୫ କିମି ଦୂର ଇରିଙ୍ଗାଝରଣ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ୧୯୯୩ ମସିହାରେ ସ୍ଥାପିତ ହୋଇଥିଲା । ୨୪ବର୍ଷ ପରେ ମଧ୍ୟ ବିଦ୍ୟାଳୟକୁ ରାସ୍ତା ଓ ବିଦୁ୍ୟତ୍ ନଥିବାରୁ ଶତାଧିକ ଛାତ୍ରଛାତ୍ରୀ ଲଣ୍ଠନ ଆଲୁଅରେ ପଢୁଥିବା ଦେଖିବାକୁ ମିଳିଛି । ସେହିପରି ପାନୀୟଜଳର ବ୍ୟବସ୍ଥା ନଥିବାରୁ ଏକମାତ୍ର ନଳକୂପ ଯେଉଁଥିରେ ଗାଧୋଇବା, ଖାଇବା ଆଦି ସମସ୍ତ କାର୍ଯ୍ୟ କରି ଅତିଦୟନୀୟ ଅବସ୍ଥାରେ ଆଶ୍ରମବାସୀ ଚଳୁଛନ୍ତି । ଗଡପଳାଶୁଣି ଠାରୁ ୪ ଚକିଆ ଯାନ ଯାତାୟାତ କରିବା ଦୂରୁହ ବ୍ୟାପାର । କେବଳ ବାଇକ୍ ବ୍ୟତିତ ଅନ୍ୟ ବିକଳ୍ପ ନାହିଁ । ବର୍ଷା ଦିନରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥାଏ । ସୂଚନାଯୋଗ୍ୟ, ଉକ୍ତ ଆଶ୍ରମଟି ରଘୁନାଥ ମହାରାଜ ୧୯୫୯ ମସିହାରେ ସ୍ଥାପନ କରିଥିଲେ । ୨୦୦୧ ମସିହାରେ ରଘୁନାଥ ମହାରାଜାଙ୍କର ମୃତୁ୍ୟ ପରେ ତାଙ୍କର ଶିଶ୍ୟ ପଞ୍ଚାନନ ଦାସ ଏବେ ଆଶ୍ରମ ପରିଚାଳନା ଦାୟିତ୍ୱରେ ରହି ଭିକ୍ଷା କରି ଆଶ୍ରମକୁ ଚଳାଉଥିବା ଦୁଃଖର ସହ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ଢେଙ୍କାନାଳ, ଅନଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନେ ଅଧ୍ୟୟନ କରୁଛନ୍ତି । ଜରୁରି ସମୟରେ ଛାତ୍ରଛାତ୍ରୀ ବାଧ୍ୟହୋଇ ବିଭିନ୍ନ ଅସୁବିଧା ସତ୍ତ୍ୱେ ପାଣି କାଦୁଅରେ ଅନ୍ଧାରରେ ଗଡପଳାଶୁଣିକୁ ଯାଉଛନ୍ତି । ଏ ସମ୍ପର୍କରେ ଛାତ୍ରଛାତ୍ରୀ, ୧୫ଜଣ ଗୁରୁଜୀ/ଗୁରୁମା ଶକ୍ତିମନ୍ତ୍ରୀଙ୍କୁ ସାକ୍ଷାତ କରି ବିଦୁ୍ୟତ୍ ସେବା ଯୋଗାଇ ଦେବାପାଇଁ ଅନୁରୋଧ କରିବା ସହିତ ରାସ୍ତା ନିର୍ମାଣ, ବିଦ୍ୟାଳୟର ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com