8---hinjili-

ଅଚଳ ପଡ଼ିଛି ପାନୀୟ ଜଳ ପ୍ରକଳ୍ପ

45

ହିଞ୍ଜିଳିକାଟୁ (ଆପ୍ର): ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଉନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଶାସନ ଆମ୍ବଗାଁ ଓ ବାଦିଆମ୍ବଗାଁ ପଞ୍ଚାୟତରେ । ଶାସନ ଆମ୍ବଗାଁ ପଞ୍ଚାୟତର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ନିମନ୍ତେ ଗତ ୨୦୧୨ରେ ପ୍ରାୟ ୪୨ ଲକ୍ଷ ଟଙ୍କା ବ୍ୟୟରେ ବାଡ଼ି ଆମ୍ବଗାଁ ଓ ୨୦୧୪ରେ ୪୮ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟରେ ଶାସନ ଆମ୍ବଗାଁରେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ସମ୍ପୃକ୍ତ ପଞ୍ଚାୟତବାସୀଙ୍କୁ ମାତ୍ର କମ୍ ସମୟ ପାଇଁ ପାନୀୟ ଜଳ ଯୋଗାଣ ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇପଡ଼ିଥିଲା । ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ପରେ ବିଭାଗ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଉଥିଲା । ରକ୍ଷଣାବେକ୍ଷଣ ଅଭାବରୁ କିଛି ଦିନ ପରେ ପୁନର୍ବାର ପ୍ରକଳ୍ପଟି ଅଚଳ ହୋଇପଡ଼ିଥିଲା । ଏନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଗତ ଡିସେମ୍ବର ୨୯ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବାର ଦୀର୍ଘ ୧୧ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନାହିଁ । ଗତ ୬.୧୧.୨୦୧୭ରେ ସମ୍ପୃକ୍ତ ପଞ୍ଚାୟତବାସୀ ବିଡିଓଙ୍କୁ ପୁନର୍ବାର ଅଭିଯୋଗ କରିଛନ୍ତି । ଆଗାମୀ ମାସେ ମଧ୍ୟରେ ସମ୍ପୃକ୍ତ ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାନଗଲେ ଆଗାମୀ ଦିନରେ ଜନ ଆନେ୍ଦାଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏଥି ନିମନ୍ତେ ପ୍ରଶାସନ ଦାୟୀ ରହିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି । ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବବ୍ରତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଆର୍ଡବ୍ଲୁ୍ୟଏସ୍ଏସ୍ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଦକ୍ଷେପ ଗ୍ରହଣ ନିମନ୍ତେ ଚିଠି ପ୍ରେରଣ କରାଯାଇଥିବା ନେଇ ମତବ୍ୟକ୍ତ କରିଥିଲେ । ଆର୍ଡବ୍ଲୁ୍ୟଏସ୍ଏସ୍ର ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏଥିପ୍ରତି ଆଦୌ ଭ୍ରୁକ୍ଷେପ କରୁନାହାନ୍ତି । ବିଭାଗୀୟ ସହକାରୀ ଯନ୍ତ୍ରୀ ସପ୍ତାହକୁ ଗୋଟିଏ ଦିନ କାର୍ଯ୍ୟାଳୟକୁ ଆସୁଥିବାର ନଜିର ରହିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଏବଂ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେଇ ଗୋପନୀୟ ତଦନ୍ତ କଲେ ବହୁ ରହସ୍ୟର ସତ୍ୟତା ଉନ୍ମୋଚନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।




Powered by odothemes.com