ପିଡିଏସ୍ରେ ଡିବିଟିଏଲ୍ ଏବେ ନୁହେଁ

23

ଯୋଗାଣ ମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର
ଭୁବନେଶ୍ୱର,୧୨ା୫(ବୁ୍ୟରୋ): ଖାଦ୍ୟ ନିରାପତ୍ତା ଯୋଜନା ଅଧୀନରେ ବିପିଏଲ୍ ପରିବାରକୁ ଯୋଗାଇ ଦିଆଯାଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ପ୍ରତ୍ୟକ୍ଷ ସବ୍ସିଡି ହସ୍ତାନ୍ତର ଯୋଜନା (ଡିବିଟିଏଲ୍) ଏବେ ଲାଗୁ ହେବ ନାହିଁ । ରାସନ୍ କାର୍ଡ କମ୍ପୁ୍ୟଟରୀକରଣ ଓ ହିତାଧିକାରୀ ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବାରୁ ଡିବିଟିଏଲ୍ ଯୋଜନା କାର୍ଯ୍ୟକାରୀ ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ କରାଯାଇଛି । ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ୍ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଶ୍ରୀ ଦାସବର୍ମା ଗତ ମାର୍ଚ୍ଚ ୯ ତାରିଖରେ ପାଶୱାନ୍ଙ୍କୁ ପତ୍ର ଲେଖି ସାଂପ୍ରତିକ ସ୍ଥିତିରେ ଓଡ଼ିଶାରେ ଡିବିଟିଏଲ୍ କାର୍ଯ୍ୟକାରୀ ନ କରିବା ପାଇଁ ଅନୁରୋଧ କରିଥିଲେ । ଏହାର ଉତ୍ତରରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶୱାନ୍ ଲେଖିଥିବା ଉତ୍ତରରେ କହିଛନ୍ତି ଯେ ଓଡ଼ିଶାର ଉଦ୍ବେଗକୁ ଗୁରୁତ୍ୱର ସହ ବିଚାର କରିବା ପରେ ସାଂପ୍ରତିକ ସ୍ଥିତିରେ ପିଡିଏସ୍ ବ୍ୟବସ୍ଥାରେ ଡିବିଟିଏଲ୍ କାର୍ଯ୍ୟକାରୀ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି କେନ୍ଦ୍ର ସରକାର ହୃଦୟଙ୍ଗମ କରିଛନ୍ତି । ରାସନ୍ କାର୍ଡ ସଂସ୍କାର ପ୍ରକି୍ରୟା ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟର ଅନୁରୋଧ ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ତେଣୁ ରାଜ୍ୟ ପ୍ରସ୍ତାବ ନ ଦେବା ପର୍ଯ୍ୟନ୍ତ ପିଡିଏସ୍ରେ ଡିବିଟିଏଲ୍ କାର୍ଯ୍ୟକାରୀ ହେବ ନାହିଁ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ପାଇଁ କେନ୍ଦ୍ର ସରକାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାନ୍ତାକୁମାରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କମିଟି ଦେଇଥିବା ରିପୋର୍ଟରେ ଓଡ଼ିଶାର ଗରିବ କୃଷକ ଓ ବିପିଏଲ୍ ପରିବାରଙ୍କ ସ୍ୱାର୍ଥ ଓ ମୌଳିକ ସୁବିଧା ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଓଡ଼ିଶା ସରକାର ଏହାର ବିରୋଧ କରିଥିଲେ । ଗଣମାଧ୍ୟରେ କମିଟି ସୁପାରିସ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଆପତ୍ତି ଉଠାଇଥିଲେ । କମିଟି ରିପୋର୍ଟରେ ଥିବା ନିର୍ଦ୍ଧିଷ୍ଟ ୧୦ଟି ପ୍ରମୁଖ ସୁପାରିସ ସମ୍ପର୍କରେ ରାଜ୍ୟ ସରକାର ଟିପ୍ପଣୀ ଦେଇ କେନ୍ଦ୍ର ସରକାରଙ୍କୁ ଜଣାଇଦେଇଥିଲେ ଯେ ଓଡିଶା ଭଳି ରାଜ୍ୟର କ୍ଷେତ୍ରୀୟ ବାସ୍ତବତା ଦୃଷ୍ଟିରୁ ଉଚ୍ଚସ୍ତରୀୟ କମିଟିର ସୁପାରିସଗୁଡିକ ଏଠାରେ କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ । ଓଡ଼ିଶାର ଆପତ୍ତି ଜଣାଇ ପ୍ରଥମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ମଧୁସୂଦନ ପାଢ଼ୀ କେନ୍ଦ୍ରର ବିଭାଗୀୟ ଯୁଗ୍ମ ସଚିବଙ୍କୁ ପତ୍ର ଲେଖିବା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାସବର୍ମା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଶୱାନ୍ଙ୍କୁ ପତ୍ର ଲେଖିଥିଲେ । ଉକ୍ତ ପତ୍ରରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଉଲ୍ଲେଖ କରିଥିଲେ ଯେ ହିତାଧିକାରୀଙ୍କୁ ପିଡିଏସ୍‍ ସବ୍‍ସିଡିର ସିଧାସଳଖ ପ୍ରଦାନ ରାଜ୍ୟରେ ଚାଉଳ/ଗହମ ସଂଗ୍ରହ ପ୍ରକ୍ରିୟାକୁ ଗୁରୁତରଭାବେ ପ୍ରଭାବିତ କରିବ । ବିଶେଷକରି ଓଡିଶା ଭଳି ବଳକା ରାଜ୍ୟରେ ଏହା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ । ଯଦି ହିତାଧିକାରୀ ଏକକାଳୀନ ପିଡିଏସ୍‍ ସବ୍‍ସିଡି ପାଆନ୍ତି, ତେବେ ଚାଉଳ ସଂଗ୍ରହ ପ୍ରକ୍ରିୟା କେବଳ ଯେ ବାଧାପ୍ରାପ୍ତ ହେବ ତାହା ନୁହେଁ, ବରଂ କିଛିବର୍ଷ ପରେ ଖାଦ୍ୟଶସ୍ୟ ଉପିାଦନ ହ୍ରାସ ପାଇବା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ପରିଣାମ ସ୍ୱରୂପ ଓଡିଶାର କୃଷି ଅର୍ଥନୀତି ସମ୍ପୂର୍ଣ୍ଣ ଭୂଷୁଡି ପଡିବ । ସରକାର ଦର୍ଶାଇଛନ୍ତି ଯେ ଧାନ ପାଇଁ ଦିଆଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ଚାଷୀ ଅଧିକ ବ୍ୟୟ କରି ଫସଲ ଉପିାଦନ କରୁଛି । ଯଦି ଏମ୍‍ଏସ୍‍ପି ପ୍ରତ୍ୟାହୃତ ହୁଏ, ତେବେ ଓଡିଶାଭଳି କୃଷିପ୍ରଧାନ ରାଜ୍ୟରେ ଭବିଷ୍ୟତରେ ଖାଦ୍ୟ ସଂକଟ ଦେଖାଦେବ । ଅନ୍ୟପକ୍ଷରେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ବାସକରୁଥିବା ଜନସଂଖ୍ୟାର ପ୍ରାୟ ୬୫% କୃଷିଜୀବୀ ବଜାର ଅଭାବରୁ ସେମାନଙ୍କ କୃଷି ଉପିାଦନ ବିକ୍ରି କରିନପାରି ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ । ରାଜ୍ୟର ଅନେକ ସ୍ଥାନରେ ବ୍ୟାଙ୍କ ସେବା ନାହିଁ । ଅଧିକାଂଶ ଅଞ୍ଚଳରେ ବ୍ୟାଙ୍କ ସେବା ପାଇଁ ଲୋକଙ୍କୁ ୧୦ରୁ ୧୫ କି.ମି. ଦୌଡିବାକୁ ପଡେ । ଏଭଳି କ୍ଷେତ୍ରରେ ପ୍ରତ୍ୟକ୍ଷ ସବ୍‍ସିଡି ହସ୍ତାନ୍ତର ଜନସଂଖ୍ୟାର ପ୍ରାୟ ୫୦% ଲୋକଙ୍କୁ ଅସୁବିଧାରେ ପକାଇବ । ତେଣୁ ବଳକା ରାଜ୍ୟଗୁଡିକରେ ଖାଦ୍ୟଶସ୍ୟ ସଂଗ୍ରହ ବ୍ୟବସ୍ଥା ଅବ୍ୟାହତ ରହୁବୋଲି ରାଜ୍ୟ ସରକାର ଚାହୁଁଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ବେଗକୁ ବିଚାରକୁ ନେଇ କେନ୍ଦ୍ର ସରକାର ଡିବିଟିଏଲ୍ ଯୋଜନା କାର୍ଯ୍ୟକାରୀ କରିବା ନିଷ୍ପତ୍ତିରୁ ସାମୟିକ ଭାବେ ଓହରି ଯାଇଛନ୍ତି ।




Powered by odothemes.com