ବିଜେପି ସହ ଡିଲ୍ ଡାହା ମିଛ: ନବୀନ

28

ଭୁବନେଶ୍ୱର, ୧୨ା୫ (ବୁ୍ୟରୋ): ବିଜେପି ସହ ବିଜେଡ଼ିର କୌଣସି ଡ଼ିଲ୍ ହୋଇ ନାହିଁ । ଏଭଳି ପ୍ରଚାର ଡ଼ାଡାମିଛ । ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ସହଯୋଗ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସୂଚନାଯୋଗ୍ୟ, ବିରୋଧୀଦଳ ନେତା ନରସିଂହ ମିଶ୍ର ଗତ ୭ତାରିଖ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଓ ବିଜେପି ମଧ୍ୟରେ ଡ଼ିଲ୍ ହୋଇଛି ବୋଲି ଅଭିଯୋଗ କରିଥିଲେ । ଶ୍ରୀ ମିଶ୍ର କହିଥିଲେ, କେନ୍ଦ୍ରୀୟ ଯୋଜନା ବନ୍ଦ ହେଉଛି ଓ ଅନୁଦାନ କଟା ଯାଉଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିଜେଡ଼ି ନୀରବ ରହୁଛି । କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରାକାର ସମୟରେ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳୁଥିଲେ ସୁଦ୍ଧା କଥା କଥାକେ ବିଜେଡ଼ି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଉଥିଲେ । ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ପୋଡ଼ିବା ସହ ବନ୍ଦ ଡ଼ାକରା ମଧ୍ୟ ଦେଉଥିଲେ । ମାତ୍ର ଏବେ ୮ଟି ଯୋଜନା ବନ୍ଦ ହେବା ଏବଂ ବହୁ ଯୋଜନାରୁ ଅନୁଦାନ କଟିବା ସତ୍ତ୍ୱେ ବି ବିଜେଡ଼ି କାହିଁକି ନୀରବ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିଲା ପରେ ଆଜି ସାମ୍ବାଦିକମାନେ ଶ୍ରୀ ମିଶ୍ର ଆଣିଥିବା ଅଭିଯୋଗ ଉପରେ ତାଙ୍କ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜେପି ସହ କୌଣସି ରାଜନୈତିକ ମୂଲଚାଲ କରାଯାଇ ନାହିଁ । ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ାଯାଇଛି । ତାଙ୍କର ଏହି ନୂଆଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ପୂର୍ବଭଳି କେନ୍ଦ୍ର ଓ ରାଜ୍ୟର ଅଂଶ ୭୫% ଓ ୨୫% ରଖିବାକୁ ସେ ଦାବି କରିଛନ୍ତି । କୃଷିର ବିକାଶ ପାଇଁ ମଧ୍ୟ ଅଧିକ ଅର୍ଥ ପ୍ରଦାନ ପାଇଁ ଦାବି କରାଯିବା ସହ ଖରିଫ୍ ଋତୁ ପାଇଁ ୧୦ଲକ୍ଷ ୭୫ ହଜାର ଟନ୍ ସାର ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି । ଉଭୟ କେନ୍ଦ୍ରମନ୍ତ୍ରୀ ରାଜ୍ୟର ଦାବି ପ୍ରତି ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପୋସ୍କା ଓଡ଼ିଶା ଛାଡ଼ିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହାକୁ ସେ ବିଶ୍ୱାସ କରୁ ନାହାଁନ୍ତି । ପୋସ୍କୋ ରାଜ୍ୟରେ ହେଉ ସେଥିପାଇଁ କଠିନ ପରିଶ୍ରମ କରାଯାଉଛି । ଡ଼ିଜିପି ସଞ୍ଜୀବ ମାରିକ ଦେଇଥିବା ବୟାନରେ ତିନି କେନ୍ଦ୍ରମନ୍ତ୍ରୀ କରିଥିବା ଟିପ୍ପଣୀ ସଂପର୍କରେ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଏହାର ଅନୁଧ୍ୟାନ କରିବେ ।




Powered by odothemes.com