୨ ସେକେଣ୍ଡ୍ର ଝଟ୍କା, ଲୋକେ ଛାନିଆ

31

ଭୁବନେଶ୍ୱର, ୧୨ା୫ (ବୁ୍ୟରୋ): ନେପାଳରେ ସିରିଜ ଭୂକମ୍ପ ହେଉଥିବା ବେଳେ ଏହାର ପ୍ରଭାବ ଭାରତ ସମେତ ଓଡିଶାରେ ଅନୁଭୂତ ହୋଇଥିଲା । ଗତମାସରେ ଦୁଇଥର ଏବଂ ଆଜି ପୁଣି ଓଡିଶାରେ ଅନୁଭୂତ ହୋଇଛି ଅଳ୍ପ କେଇ ସେକେଣ୍ଡର ଭୂମିକମ୍ପ । ଆଜି ଅନୁଭୂତ ହୋଇଥିବା ଭୂମିକମ୍ପ ସାରା ଓଡିଶାକୁ ଥରାଇ ଦେଇଛି । ଏହି ଭୂମିକମ୍ପ ମଧ୍ୟମ ଧରଣର ହୋଇଥିଲେ ମଧ୍ୟ ଏଥିରେ ଲୋକମାନେ ଡରିଯାଇଛନ୍ତି । ମାତ୍ର ଏହି ଅଳ୍ପ କେଇ ସେକେଣ୍ଡର ଝଟ୍କା ଲୋକଙ୍କ ଭିତରେ ଦିନସାରା ଛନକା ପଶେଇ ଦେଇଥିଲା । କାଳେ କେଉଁ ସମୟରେ ପୁଣି ଭୂକମ୍ପ ଲେଉଟି ଆସିବ ଭାବି ଅନେକ ଲୋକ କିଛି ସମୟ ଘର ଭିତରକୁ ନଯାଇ ଆତଙ୍କିତ ଅବସ୍ଥାରେ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା ।
ମଙ୍ଗଳବାର ଦିନ ପ୍ରାୟ ୧୨ ଟା ୩୫ ମିନିଟି । ବାହାରେ ପ୍ରବଳ ଖରାଯୋଗୁ ଅଧିକାଂଶ ଲୋକ ପ୍ରାୟ ଘରେ ଥିଲେ । କିଏ ଖାଉଥିଲା ତ କିଏ ଟିଭି ଦେଖୁଥିଲା ତ କିଏ ଶୋଇବା ପାଇଁ ବିଛଣାକୁ ଯାଉଥିଲା । ମାତ୍ର ହଠାତ୍ ସବୁକିଛି ଦୋହଲିବାକୁ ଲାଗିଲା । ଗୋଡତଳ ଭୂଇଁ ଥରିବାକୁ ଲାଗିଲା । ଭୁମିକମ୍ପର ଝଟକାରେ ବଡବଡ କୋଠାଠୁ ଆରମ୍ଭ କରି ଘରେ ଥିବା ଛୋଟ ଜିନିଷପତ୍ର, ଟେବୁଲ, ଚେୟାର, ପଙ୍ଖା ସବୁକିଛି ହଲିଲା । ବିନା ପବନରେ କବାଟ ବାଡେଇ ହେଲା । ଘରେ ଥିବା ଜିନିଷପତ୍ର ଦୁଲଦାଲ ହୋଇ ତଳେ ପଡିଲା ଲୋକମାନେ ଭୂମିକମ୍ପର ସାମାନ୍ୟ ଆଭାସ ପାଇଁ ଘରୁ ବାହାରକୁ ଦୌଡିଲେ । ଯିଏ ଯେଉଁ ଅବସ୍ଥାରେ ଥିଲେ ସମସ୍ତେ ଧାଁଇଲେ । ଦେହରେ କଣ ଲୁଗା ଅଛି କି ନାହିଁ ନିଘା ନଥିଲା ସେମାନଙ୍କର, ଜୀବନ ବିକଳରେ କେମିତି ଘରୁ ପଦାକୁ ବାହାରି ଆସିବାକୁ ପ୍ରୟାସ କରିଥିଲେ ଲୋକମାନେ । ଚାହୁଁ ଚାହୁଁ ଦିନ ଦ୍ୱିପ୍ରହରରେ ଲୋକାରଣ୍ୟ ହୋଇଯାଇଥିଲା ଘର ସମ୍ମୁଖ ଖାଲି ସ୍ଥାନମାନଙ୍କରେ । ରାସ୍ତାଘାଟରେ ଯାଉଥିବା ଲୋକ କିନ୍ତୁ ଏହାକୁ ଅନୁଭୂତ କରିପାରି ନଥିଲେ । ମାତ୍ର ଏଥିରେ କୌଣସି ସ୍ଥନରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ପାଣିପାଗ ବିଭାଗ କହିବା ଅନୁସାରେ ଏହି ଭୂକମ୍ପ କେନ୍ଦ୍ରସ୍ଥଳୀ ତିବତ୍ ଝାମ୍ ସହର ଠାରୁ ୨୨ କିଲୋମିର ଦକ୍ଷିଣ ପୂର୍ବ ରହିଥିଲା । ଏହା ୧୦ କିଲୋମିଟର ଗଭୀରରୁ ସୃଷ୍ଟି ହୋଇଥିଲା । ଓଡିଶା ପାଣିପାଗ କେନ୍ଦ୍ରର ମୁଖ୍ୟ ଶରତ ସାହୁ କହିଥିଲେ ଗଭୀରରେ ମାଟିସ୍ତରର ଅସମାନତା ଯୋଗୁ ଏପରି ବାରମ୍ବାର ଭୂକମ୍ପ ହେଉଛି । ନେପାଳରେ ଭୂକମ୍ପ ହେବାର ୩ସେକେଣ୍ଡ ପରେ ଏଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଓଡିଶାରେ ଭୂମିକଂପ ପୁନରାବୃତ୍ତି ହେବାର ଅଶଂକା ନଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ ବଡ ଜୁଆର ଆସିବାର ସମ୍ଭାବନା ରହିଛି ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାପାଇଁ ବାରଣ କରାଯାଇଛି । ପୂର୍ବରୁ ୧୯୬୩ ଅଗଷ୍ଟ ୮, ୫ ଅଗଷ୍ଟ ୧୯୭୯, ୮ ଅଗଷ୍ଟ ୧୯୮୨, ୧୪ ଅକ୍ଟୋବର ୧୯୮୨, ୧ ଜୁଲାଇ ୧୯୮୫, ୨୭ ମାର୍ଚ୍ଚ ୧୯୯୫, ୨୧ ଜୁନ ୧୯୯୫, ୧୨ ଜୁନ୍ ୨୦୦୧, ୨୭ ମେ ୨୦୧୫ରେ ଭୂକମ୍ପ ଅନୁଭୂତ ହୋଇଥିଲା ।




Powered by odothemes.com