ରାଜଧାନୀରେ ହେବ ଆଉ ଏକ ଜଳ ବିଶୋଧନାଗାର

38

ଭୁବନେଶ୍ୱର,୧୨ା୫(ବୁ୍ୟରୋ): ରାଜଧାନୀରୁ ଜଳ ସଙ୍କଟ ଦୂର କରିବା ଲାଗି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୨୫୦କୋଟି ଟଙ୍କା ବ୍ୟୟରେ ୧୧୫ ମିଲିଅନ ଲିଟର ବିଶିଷ୍ଟ ଜଳ ବିଶୋଧନାଗାର ନିର୍ମାଣ କରିବ । ଯାହା ଆଗାମୀ ୧୫ବର୍ଷ ଭିତରେ ସହରର ଜଳ ସଙ୍କଟ ଦୂର କରିବାରେ ସହାୟକ ହେବ । ଏହି ଯୋଜନାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅନୁମୋଦନ ଦେଇଛି । ପୂର୍ବରୁ ଏହି ଯୋଜନା କାର୍ଯ୍ୟକାରୀ ପାଇଁ କଟକ ମୁଣ୍ଡୁଳି ନିକଟରେ ଜାଗା ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏହା ଭୁବନେଶ୍ୱରରେ ନିର୍ମାଣ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । କୁଆଖାଇ ଓ ଦୟା ନଦୀ ସହର ମଧ୍ୟରେ ପ୍ରବାହିତ ହେଉଥିବାରୁ ଏହି ଦୁଇଟି ନଦୀର ଜଳ ପ୍ରଦୂଷଣ ହୋଇଯାଇଛି । ସରକାର ବର୍ତ୍ତମାନ ମୁଣ୍ଡୁଳିଠାରେ ମହାନଦୀରୁ ଜଳ ଉତ୍ତୋଳନ କରିବେ ଏବଂ ତ୍ରିଶୂଳିଆ କିମ୍ବା ଚନ୍ଦ୍ରଶେଖରପୁରରେ ଏହାକୁ ବିଶୋଧନ କରାଯାଇ ଲୋକଙ୍କୁ ବିତରଣ କରାଯିବ । କାରଣ ପ୍ରକଳ୍ପ ନିର୍ମାଣ ପାଇଁ ଏହି ସ୍ଥାନରେ ପର୍ଯ୍ୟାପ୍ତ ସରକାରୀ ଜମି ରହିଥିବା ଜଣେ ଉଚ୍ଚପଦସ୍ଥ ଅଧକାରୀ କହିଛନ୍ତି । ବର୍ତ୍ତମାନ ଇନଫୋସିଟି-୨, ଖୋର୍ଦ୍ଧା ଓ ଜଟଣୀ ଭଳି ସ୍ଥାନରେ ଏକ ଜଳ ବିଶୋଧନାଗାର ନିର୍ମାଣଧୀନ ରହିଛି । ଏହାସତ୍ତ୍ୱେ ଡମଣା ଓ ନନ୍ଦନକାନନ ଭଳି ସ୍ଥାନରେ ଜନବସତି ବୃଦ୍ଧି ପାଉଥିବାରୁ ଚନ୍ଦ୍ରଶେଖରପୁରରେ ନୂଆ ଜଳ ବିଶୋଧନାଗାର ନିର୍ମାଣ ଉଚିତ୍ ପଦକ୍ଷେପ ବୋଲି ଅଧିକାରୀ ଜଣକ କହିଥିଲେ । ସୂଚନାଯୋଗ୍ୟ, ସହରରେ ବର୍ତ୍ତମାନ ତିନୋଟି ଜଳବିଶୋଧନାଗାର ରହିଥିଲେ ମଧ୍ୟ ଗୀଷ୍ମଋତୁରେ କୁଆଖାଇ ଓ ଦୟାନଦୀର ଜଳ ନିମ୍ନସ୍ତରରେ ରହୁଥିବାରୁ ଅନେକ ସମୟରେ ଜଳସଙ୍କଟ ଦେଖାଯାଉଛି । ସହରରୁ ଜଳ ସଙ୍କଟ ଦୂର ପାଇଁ କେବଳ ମହାନଦୀ ଏକ ବିକଳ୍ପ । ଯାହାଦ୍ୱାରା ସହରବାସୀଙ୍କୁ ନିରବଚ୍ଛିନ୍ନ ଜଳ ଯୋଗାଇହେବ । କାରଣ କୁଆଖାଇରୁ ୮୨ମିଲିଅନ ଲିଟର ଜଳ ଉତ୍ତୋଳନ ନିୟମ ରହିଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦୈନିକ ଏଠାରୁ ୯୬ମିଲିଅନ ଜଳ ଉଠାଯାଉଛି । ସେହିପରି ଦୟା ଓ ମୁଣ୍ଡୁଳିଠାରେ ଯଥାକ୍ରମେ ୧୫ ଓ ୧୧୫ମିଲିଅନ ଜଳ ଉତ୍ତୋଳନ ନିୟମ ରହିଛି । ମାତ୍ର ଜଳ ବିଶୋଧନାଗାରର ଧାରଣ କ୍ଷମତା କମ ଯୋଗୁଁ ସେଠାରୁ କେବଳ ୧୦୦ମିଲିଅନ ଲିଟର ଜଳ ସଂଗ୍ରହ ହେଉଛି । ରାଜଧାନୀରେ ଦୈନିକ ୨୫୫ମିଲିଅନ ଲିଟର ଜଳର ଆବଶ୍ୟକତା ରହିଥିବା ବେଳେ ବୋରୱେଲ୍ ମାଧ୍ୟମରେ ଦୟା, କୁଆଖାଇ ଓ ମୁଣ୍ଡୁଳିରୁ ୧୬୫ମିଲିଅନ ଲିଟର ଜଳ ଉଠାଯାଉଛି । ଆହୁରି ଦୈନିକ ୧୦୦ମିଲିଅନ ଲିଟର ଜଳ ରାଜଧାନୀ ବାସୀଙ୍କୁ ନିଅଣ୍ଟିଆ ପଡୁଛି ।

ସେଆର କରନ୍ତୁ:



Powered by odothemes.com