Kohli2

ଇଡେନ୍ ଟେଷ୍ଟ ଡ୍ର’

74

ବର୍ତ୍ତିଲା ଶ୍ରୀଲଙ୍କା
କୋଲକାତା, ୨ଠା୧୧ (ଏଜେନ୍ସି): ଆଉ କିଛି ଓଭର୍ ଖେଳାଯାଇପାରିଥିଲେ, ହୁଏତ ଫଳାଫଳ ବାହାରି ପାରିଥାନ୍ତା । ପାଣିପାଗ ଯୋଗୁଁ ପ୍ରାୟ ଦୁଇଦିନର ଖେଳ ପ୍ରଭାବିତ ହେବାସତ୍ତ୍ୱେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦୃଢ଼ ପ୍ରଦର୍ଶନ ଓ ଶେଷଦିନ ବୋଲର୍ଙ୍କ ପ୍ରଭାବଶାଳୀ ବୋଲିଂ ପ୍ରଥମ ଟେଷ୍ଟର ଏକ ରୋମାଞ୍ଚକର ଅନ୍ତ ଘଟାଇଛି । ଏକଦା ଭଲସ୍ଥିତିରେ ଥିବା ଶ୍ରୀଲଙ୍କା ଅଳ୍ପକେ ପରାଜୟରୁ ବର୍ତ୍ତିଯାଇଛି ଏବଂ ମୁକାବିଲା ଅମୀମାଂସିତ ରହିଛି । କ୍ରମାଗତ ପଞ୍ଚମ ଦିନ ଆବଶ୍ୟକ ଆଲୋକ ଅଭାବରୁ ଖେଳ ଶୀଘ୍ର ଶେଷ ହୋଇଛି ଏବଂ ଆୟୋଜକ ଦଳ ମଧ୍ୟ ଏକ ସୁଯୋଗ ହରାଇଛି । ଉଭୟ ଇନିଂସ୍ରେ ୪ଟି ଲେଖାଏଁ ୱିକେଟ୍ ନେଇଥିବା ଭୁବନେଶ୍ୱର କୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ୨୩୧ ରନ୍ର ଟାର୍ଗେଟ୍ ନେଇ ଦ୍ୱିତୀୟ ଇନିଂସ୍ ଖେଳିଥିଲା ଶ୍ରୀଲଙ୍କା । ଚା’ପାନ ବିରତିବେଳକୁ ଭ୍ରମଣକାରୀ ଦଳ ୮ ରନ୍ରେ ଦୁଇ ଓପ୍ନର୍ଙ୍କ ୱିକେଟ୍ ହରାଇଥିଲା । ସାଦୀରା ସମରବିକ୍ରମ ଖାତା ଖୋଲି ନ ପାରି ଭୁବନେଶ୍ୱରଙ୍କ ବଲ୍ରେ ଆଉଟ୍ ହୋଇଥିବାବେଳେ ଦିମୁତ୍ କରୁଣାରତ୍ନେ ୧ ରନ୍ କରି ମହମ୍ମଦ ସାମିଙ୍କ ବଲ୍ରେ ପ୍ୟାଭିଲିଅନ୍ ଫେରିଥିଲେ । ବିରତି ପରେ ଲାହିରୁ ତିରିମାନେ ଓ ଆଞ୍ଜେଲୋ ମାଥୁ୍ୟସ୍ଙ୍କ ଯୋଡ଼ି ମଧ୍ୟ ବେଶୀ ବାଟ ଯାଇ ନ ଥିଲା । ତିରିମାନେ ୭ ରନ୍ କରି ଭୁବନେଶ୍ୱରଙ୍କ ଶିକାର ହୋଇଥିଲେ । ଦଳୀୟ ସ୍କୋର ୨୨ ହୋଇଥିବାବେଳେ ମାଥୁ୍ୟସ୍ (୧୨) ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଉମେଶ ଯାଦବଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇ ପ୍ୟାଭିଲିଅନ୍ ଫେରିଥିଲେ । ଏହାପରେ ଅଧିନାୟକ ଦିନେଶ ଚଣ୍ଡିମାଲ୍ ଓ ନିରୋଶାନ୍ ଡିକ୍ୱେଲା ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଉଭୟ ପଞ୍ଚମ ୱିକେଟ୍ରେ ୪୭ ରନ୍ର ଭାଗୀଦାରୀ କରିଥିଲେ । ଚଣ୍ଡିମାଲ୍(୨୦)ଙ୍କୁ ଆଉଟ୍ କରି ସାମି ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ଡିକ୍ୱେଲା ୨୭ ରନ୍ କରି ଭୁବନେଶ୍ୱରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଦିଲରୁବାନ୍ ପେରେରା କୌଣସି ସ୍କୋର୍ ନ କରି ଭୁବନେଶ୍ୱରଙ୍କ ଚତୁର୍ଥ ଶିକାର ହୋଇଥିଲେ । ଖେଳ ଶେଷ ହେବାବେଳକୁ ଶ୍ରୀଲଙ୍କା ୭ ୱିକେଟ୍ ହରାଇ ୭୫ ରନ୍ ସଂଗ୍ରହ କରିଥିଲା । ଦାସୁନ୍ ସନକା ୬ ଓ ରଙ୍ଗନା ହେରାତ କୌଣସି ସ୍କୋର୍ ନ କରି କ୍ରିଜ୍ରେ ଥିଲେ ।
ଚତୁର୍ଥ ଦିନରୁ ମ୍ୟାଚ୍ର ମୋଡ଼ ବଦଳିଥିଲା । ପରିବର୍ତ୍ତିତ ବ୍ୟାଟିଂ ପରିସ୍ଥିତିରେ ଘରୋଇ ଦଳ ଆଜି ମଧ୍ୟ ଦୃଢ଼ ପ୍ରଦର୍ଶନ କରି ଦ୍ୱିତୀୟ ସତ୍ର ଅଧାରେ ଶ୍ରୀଲଙ୍କା ଆଗରେ ୨୩୧ ରନ୍ର ଟାର୍ଗେଟ୍ ଛିଡ଼ା କରିଥିଲା । ଭାରତୀୟ ଇନିଂସ୍ରେ ଅଧିନାୟକ ବିରାଟ କୋହଲିଙ୍କ ୫୦ତମ ଆନ୍ତର୍ଜାତିକ ଶତକ ଉଲ୍ଲେଖନୀୟ ଥିଲା ।
ପଞ୍ଚମ ଦିନ ଭାରତୀୟ ଦଳ ୧୭୧/୧ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବଦିନ କ୍ରିଜ୍ରେ ଥିବା ଲୋକେଶ ରାହୁଲ୍ ୭୯ ଓ ଚେତେଶ୍ୱର ପୂଜାରା ୨୨ ରନ୍ କରିଥିଲେ । ତେବେ କୋହଲିଙ୍କ ଉଜ୍ଜ୍ୱଳ ଇନିଂସ୍ ଯୋଗୁଁ ଭାରତ ଏକ ଚାଲେଞ୍ଜ୍ପୂର୍ଣ୍ଣ ସ୍କୋର୍ ଛିଡ଼ା କରିପାରିଥିଲା । କୋହଲି ୧୦୪ ଓ ମହମ୍ମଦ ସାମି ୧୨ ରନ୍ କରି କ୍ରିଜ୍ରେ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ଖାତା ଖୋଲି ପାରି ନ ଥିବାବେଳେ ରବୀନ୍ଦ୍ର ଜାଡ଼େଜା ୯, ରବିଚନ୍ଦ୍ରନ୍ ଅଶ୍ୱିନ ୭, ରିଦ୍ଧିମାନ୍ ସାହା ୫ ଓ ଭୁବନେଶ୍ୱର କୁମାର ୮ ରନ୍ କରିଥିଲେ । ଭାରତୀୟ ଦଳ ୮ ୱିକେଟ୍ରେ ୩୫୨ ରନ୍ କରି ଦ୍ୱିତୀୟ ଇନିଂସ୍ ସମାପ୍ତି ଘୋଷଣା କରିଥିଲା । ଶ୍ରୀଲଙ୍କା ପକ୍ଷରୁ ସୁରଙ୍ଗା ଲକ୍ମଲ୍ ଓ ଦାସୁନ୍ ସନକା ୩ଟି ଲେଖାଏଁ ୱିକେଟ୍ ପାଇଥିଲେ ।

ସେଆର କରନ୍ତୁ:



Powered by odothemes.com