pattamundai_-BJD-NETA-DHRUBA-SAHOO-KHYATIGRASTA-ANCHALA-PARIDARSAN-&-CHASI-UNKA-SAHA-ALOCHANA

ବର୍ଷା ଧୋଇନେଲା ଚାଷୀର ସ୍ୱପ୍ନ

80

ଧାନ, ବିରି ଓ ପନିପରିବା ନଷ୍ଟ
ପଟ୍ଟାମୁଣ୍ଡାଇ (ଆପ୍ର): ସମ୍ପ୍ରତି ଲଘୁଚାପ ଜନିତ ଲଗାଣବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଚାଳଛପର, କଚାଘର କ୍ଷତିଗ୍ରସ୍ତ ହୋବା ସହ ଧାନ, ବିରି ଓ ପନିପରିବା ଫସଲ ବହୁ ପରିମାଣରେ ନଷ୍ଟ ହୋଇଛି । ମରୁଡି, ଚକଡା ପୋକ ଯୋଗୁ ଫସଲହାନୀ ଘଟି ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ବହୁ ଆଶା ଓ ଭରସା ନେଇ ଅର୍ଥକରୀ ଫସଲ ଚାଷ କରିଥିଲେ । କିନ୍ତୁ ଲଘୁଚାପଜନିତ ଲଗାଣବର୍ଷାରେ ଚାଷ ଜମିରେ ବର୍ଷା ପାଣି ଭରି ଧାନ, ବିରି ଓ ପନିପରିବା ଫସଲ ସମୂଳେ ନଷ୍ଟ କରିଦେଇଛି । ଫଳରେ ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି ଓ ଘରୋଇ ସୂତ୍ରରୁ ଋଣ ନେଇ ଚାଷ କରିଥିବା ଚାଷୀ ଫସଲ ହରାଇ ଭାଙ୍ଗି ପଡିବା ସହିତ ମାନସିକ ଭାରସାମ୍ୟ ହରାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ଅଳପୁଆ, ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ସିଂହଗାଁ, ବାଛରା, ବାଲିପାଟଣା, ନୀଳକଣ୍ଠପୁର, ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଆଦି ପଞ୍ଚାୟତରେ ବ୍ୟାପକ ଧାନ, ବିରି ଓ ପନିପରିବା ଫସଲ ନଷ୍ଟ ହୋଇଛି । ଅଳପୁଆ ପଞ୍ଚାୟତର କ୍ଷତିଗ୍ରସ୍ତଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସମିତିସଭ୍ୟ ନମିତା ଦାସ ଦାବି କରିଛନ୍ତି । ପଟ୍ଟାମୁଣ୍ଡାଇ ଅଞ୍ଚଳର ଧାନ ଅମାର କୁହାଯାଉଥିବା ଉତିକଣର ଚନ୍ଦନନଗର, ଓଉପଦା, ବିଲିକଣା, ସଂସାରଫଳ, ଖଣତା, ବଡପଡା, ବଡମୋହନପୁର, ଖଡିଅଣ୍ଟା, କଖାରୁଣି, ସାନଜରିଆ, ଅରଡପଲ୍ଲୀ, ଗଙ୍ଗାରାମପୁର ଆଦି ପଞ୍ଚାୟତରେ ଧାନ ଓ ପନିପରିବା ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରତ୍ୟେକ ଚାଷଜମି ୪/୫ ଫୁଟ ପାଣିରେ ବୁଡି ରହିଥିବାରୁ ଧାନ ଓ ପନିପରିବା ଫସଲ ପଚିଗଲାଣି । ବିଲିକଣା ସରପଞ୍ଚ ବିଜୟ ରାଉତ, ଦୋଷିଆ ସରପଞ୍ଚ ପ୍ରଭାତ ପ୍ରଧାନ, ଚନ୍ଦନନଗର ସରପଞ୍ଚ ବନ୍ଦିତା ଦାସ ଓ ପୂର୍ବତନ ସମିତିସଭ୍ୟା ପ୍ରେମଲତା ବାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ଠାରେ ଦାବି କରିଛନ୍ତି । ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିବା ପରେ କ୍ଷୟକ୍ଷତିର ପ୍ରକୃତ ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ କୃଷିଋଣ ଛାଡ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ରାଜସ୍ୱମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର, ଡିହାପଡା, ବଡମୂଳବସନ୍ତ ଆଦି ପଞ୍ଚାୟତରେ ମଧ୍ୟ ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଚାଷଜମିର ପ୍ରକୃତ ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଅବିଳମ୍ବେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର କ୍ଷତିଗ୍ରସ୍ତ ଉତିକଣର କଖାରୁଣୀ, ଖଡିଅଣ୍ଟା, ବଡପଡା, ବଡମୋହନପୁର, ଓଉପଦା, ବିଲିକଣା, ଦୋଷିଆ, ସଂସାରଫଳ, ଖଣତା, ଚନ୍ଦନନଗର ଆଦି ପଞ୍ଚାୟତ ଗସ୍ତ କରି ଜିଲ୍ଲା ବିଜେଡି ସଭାପତି ତଥା ରାଜନଗର ନିର୍ବାଚନମଣ୍ଡଳୀ ବିଜେଡିନେତା ଧୃବ ସାହୁ ଚାଷଜମିର ଅବସ୍ଥା ସରଜମିନ ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଜେଡିନେତା ଶ୍ରୀସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡା, କଷଣଅଣ୍ଟା, ତଳବାଲିପଡା, ବଳଦେବ ନଗର, ସିଦ୍ଧପାଟଣା, ତନୁପୁର, ନନ୍ଦିନିନଗର, ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ, ଅଳଭା, ପୋଖରୀଆପଡା, ବେଲତଳ, ଦକ୍ଷିଣଦିଆ, ମାଟିଆ, ବକ୍ତାରପୁର, ତାତନା ଆଦି ଅଞ୍ଚଳରେ ଲଗାଣବର୍ଷା ଯୋଗୁଁ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁଜୀ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇ ୩୧ଟି ପଞ୍ଚାୟତ ଓ ପୌରାଞ୍ଚଳର ୨୦ଟି ୱାର୍ଡର ୫୦ ହଜାର ହେକ୍ଟର ଚାଷଜମିର ଧାନ, ବିରି ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com