CHASA-KHYATIGRASTA-NEWS-PHOTO

ବିଲରେ ଗଜା ହେଲା ପାଚିଲା ଧାନ

75

ଉଦଳା (ଆପ୍ର): କ୍ଷୟକ୍ଷତି ଏବଂ ଦୁର୍ଦ୍ଦଶା ଚାଷୀଙ୍କ ପିଛା ଛାଡୁନି । ଓଡିଶାର ମେରୁଦଣ୍ଡ ବୋଲାଉଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । କ୍ଷେତରେ ହସୁଥିବା ସୁନା ଫସଲରେ ଚକୋଡା ପୋକ ଲାଗି ଚାଷୀର ଆଶାରେ ଆଘାତ ଦେଇଥିବା ବେଳେ ଲଗୁଚାପ ଜନିତ ଅଦିନିଆ ବର୍ଷା ପୁରା ଶ୍ରମକୁ ଧୋଇ ନେଇ ଯାଇଛି । ବୋଝ ଉପରେ ନଳିତା ବିଡା ପରି ଚିନ୍ତା ବଢାଇ ଦେଇଛି । କପ୍ତିପଦା ଉପଖଣ୍ଡରେ ଥିବା ୪ ଗୋଟି ବ୍ଲକରେ ଏବେ ଚାଷୀଙ୍କ ଦୁର୍ଦ୍ଦଶା କଥା ନ କହିଲେ ଭଲ । କାରଣ ଅନେକ ବ୍ଲକରେ ଚାଷୀଙ୍କ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଉଦଳା ବ୍ଲକ ଅଧିନରେ ଥିବା ମଦନାପାଳ ଗ୍ରାମରେ ବ୍ୟାପକ୍ ଫସଲ ନଷ୍ଟ ହୋଇଛି । ଏହି ଗ୍ରାମରେ ପାଖାପାଖି ୧୫ ରୁ ୨୦ ଏକର ଜମିରେ ଅଦିନିଆ ବର୍ଷା ପାଣି ଜମି ରହିଛି । ଫଳରେ ବିଲରେ ଧାନ କଟା ହୋଇ ପଡିଥିବା ବେଳେ ତାହା ଗଜା ହୋଇ ଗଲାଣି । ଯାହାକୁ ନେଇ ଚାଷୀ ଆଖିରୁ ଲୁହ ଶୁଖୁନାହିଁ । ଚାଷୀ ତାର ଉଜୁଡା ଧାନ ବିଲରୁ ଧାନ ସାଉଁଣ୍ଟୁଛି ହେଲେ କିଛି ପାଉ ନାହିଁ । ଯାହା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ଅବସ୍ଥାରେ ଚାଷୀମାନେ ରହିଥିବା ବେଳେ କିଛି ଚାଷୀଙ୍କ ବିଲରେ ପାଣି ଭରି ହୋଇ ରହିଛି ଏବଂ ପୂର୍ବରୁ କଟା ହୋଇଥିବା ଧାନ ଗଛ ଗୁଡିକ ପାଣିରେ ବୁଡି ରହିଛି । ତା ମଧ୍ୟରୁ କିଛି ପଚି ଗଲାଣି । ଏ ସବୁ ଦେଖି ଚାଷୀ କଣ କରିବ କିଛି ଜାଣି ପାରୁନାହିଁ । ତେବେ ଏ ବାବଦରେ ଚାଷୀ ରଞ୍ଜନ ଦେହୁରୀ ଏବଂ ରଣଜିତ ଦେହୁରୀଙ୍କ କହିବା କଥା, ସେମାନେ ଦୁହେଁ ମିଶି ପାଖାପାଖି ୯ ଏକର ଜମି ଚାଷ କରିଥିଲେ, ଯାହାକି ବର୍ଷା ପୂର୍ବରୁ ସେମାନେ ଧାନ ଗଛ ଗୁଡିକୁ କାଟି ବିଲରେ ପକାଇଥିବା ବେଳେ ଧାନ କୁଢକୁ ଉଠାଇବା ପୂର୍ବରୁ ଅଦିନିଆ ବର୍ଷା ଆସିଯାଇଥିଲା । ଫଳରେ ଚାଷୀ ଧାନକୁ ନିଜ ଖଳାକୁ ନେଇ ପାରିନାହାନ୍ତି । ଅଦିନିଆ ବର୍ଷାରେ ପୁରା ଚାଷ ଉଜୁଡି ଯାଇଥିବା ବେଳେ କିପରି ସେମାନେ ପରିବାର ପ୍ରତିପୋଷଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । କିଛି ଚାଷୀ ବ୍ୟାଙ୍କ, ଲ୍ୟାମ୍ପ୍ସ ଏବଂ ହାତଉଧାରୀ ଭାବେ ଟଙ୍କା କରଜ କରି ଧାନ ଚାଷ କରିଥିଲେ । ଚାଷୀର ଧାନକ୍ଷେତ ଉଜୁଡିଯିବା ପରେ ସରକାରୀ ସହାୟତା ସେମାନଙ୍କୁ ମିଳିବ କି ନାହିଁ ସେ ଦ୍ୱନ୍ଦରେ ଏବେ ଚାଷୀ ରହିଛନ୍ତି । ସରକାର ଏ ଦିଗରେ କି ପଦକ୍ଷେପ ନେବେ ତାହାକୁ ହିଁ ଅପେକ୍ଷା କରିଛନ୍ତି ଚାଷୀ । ପ୍ରମୋଦ ପରିଡା, ଅଚୁ୍ୟତାନନ୍ଦ ନାଏକ, ଦେବରଞ୍ଜନ ପ୍ରଧାନଙ୍କ କହିବାକଥା, ବ୍ୟାଙ୍କ, ଲ୍ୟାମ୍ପ୍ସ ଏବଂ ହାତଉଧାରୀ ଆଣିଥିବା ଟଙ୍କାକୁ କିପରି ସୁଝିବେ ତାହା ଏବେ ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଚାଷୀମାନଙ୍କ ନିମନ୍ତେ କରାଯାଉଥିବା ଘୋଷଣା ବାବଦରେ ସେମାନଙ୍କ ପାଖରେ କୌଣସି ସୂଚନା ପହଞ୍ଚô ପାରୁ ନ ଥିବା ଅଭିଯୋଗ କରିଛନ୍ତି । ଫଳରେ ଚାଷ ଆଜି ନଷ୍ଟ ହୋଇଛି ବୋଲି କହିଛନ୍ତି । କିଛି କିଛି ସ୍ଥାନରେ ସରକାରୀ ବାବୁମାନେ ଚାଷର କ୍ଷୟକ୍ଷତି ଆକଳନ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ଆକଳନରେ ପହଞ୍ଚି ପାରିନାହାନ୍ତି । ତେବେ ଚାଷୀମାନଙ୍କୁ କେବେ ସରକାରୀ ସହାୟତା ମିଳିବ ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି ।

ସେଆର କରନ୍ତୁ:



Powered by odothemes.com