20161228_102244

ଦୃଷ୍ଟି ଆଢ଼ୁଆଳରେ ଲିମାମେଡ଼ା

52

ଗୁଣୁପୁର (ଅଜିତ୍ ମହାନ୍ତି): ଧରାପୃଷ୍ଠରେ ଅବତରଣ କରିଛି ଶୀତ । ତା’ସହ ନୂଆବର୍ଷ ପାଇଁ ରୋମାଞ୍ଚ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛନ୍ତି ଭ୍ରମଣ ଆଶାୟୀ । କିଏ ପରିଭ୍ରମଣ ପାଇଁ ତ କିଏ ବଣଭୋଜି ପାଇଁ ପ୍ଲାନ୍ କରୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣୁପୁରର ଲିମାମେଡ଼ାରେ ସବୁବର୍ଗ ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ୍ ଭରିରହିଛି । ଶୀତୁଆ ସକାଳର କୁହୁଡ଼ି ସାଙ୍ଗକୁ ପ୍ରକୃତିରାଣୀ ତା’ର ସବୁତକ ସୌନ୍ଦର୍ଯ୍ୟ ସତେ ଯେମିତି ଅଜାଡ଼ି ଦେଇଛି ଏଠାରେ । ସୂର୍ଯ୍ୟଙ୍କ ସୁନେଲି କିରଣର ପ୍ରଥମ ସ୍ପର୍ଶ ସହ ପୁରାଣ ବର୍ଣ୍ଣିତ ମହେନ୍ଦ୍ରତନୟା ନଦୀର କୁଳୁକୁଳୁ ତାନ ତା’ ସହ ପକ୍ଷୀମାନଙ୍କର କଳରବ ଏଠାରେ ଏକ ଅନନ୍ୟ ନୈସର୍ଗିକ ପରିବେଶ ସୃଷ୍ଟି କରିଥାଏ । ଲିମାମେଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ଆତ୍ମବିଭୋର କରିବା ସହ ସବୁଜ ବନାନୀ ଏକ ଶାନ୍ତ ପରିବେଶ ସୃଷ୍ଟି କରିଥାଏ । ଏଠାରେ ଏକ ଜଳପ୍ରପାତ ରହିଛି ଯାହା ବଡ଼ବଡ଼ ପଥର ଚଟାଣରେ ବହି ଯାଉଥାଏ । ନଦୀକୂଳରେ ଥିବା ପଥର ଉପରେ ଭୋଜି କରିବା ନିମନ୍ତେ ଏକ ଅନୁକୂଳ ସ୍ଥାନ ହୋଇଥିବା ବେଳେ ଏଠାରେ ଗାଧୋଇବାର ମଜା ମଧ୍ୟ ନେଇ ହେବ । ଏଠାରେ ବଣଭୋଜି ପାଇଁ ଭିଡ଼ ଲାଗେ । ବିଶେଷକରି ଶୀତଋତୁରେ କିନ୍ତୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଲିମାମେଡ଼ା ଆସିଥାନ୍ତି । ଏତଦ୍ବ୍ୟତୀତ ଏଠାରେ ରାଜ୍ୟସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଅନାଥ ଆଶ୍ରମ ବାଳନିକେତନ ଓ ସେବା ସମାଜ ଦ୍ୱାରା ପରିଚାଳିତ ଆଦିବାସୀ ବାଳିକା ଆଶ୍ରମ ରହିଛି । ଆଦିବାସୀଙ୍କ ସରଳ ଓ ନିରାଡ଼ମ୍ବର ଚଳଣି ତଥା ରୀତିନୀତି ସାଙ୍ଗକୁ କାନ୍ଦୁଲ ନୂଆଁଖାଇର ଧୁମ୍ ପର୍ଯ୍ୟଟକଙ୍କୁ ବେଶ୍ ରୋମାଞ୍ଚିତ କରିଥାଏ । ଏଠାରେ ରହିଛି ଦକ୍ଷିଣ ଓଡ଼ିଶାର ସଙ୍ଗମ ଘାଟ । ରାୟଗଡ଼ା ଜିଲ୍ଲାର ଗୁଣପୁର ସହରଠାରୁ ଏହା ମାତ୍ର ୨କିମି ଦୂର । ବ୍ରହ୍ମପୁର-ଗୁଣପୁର, ଗୁଣପୁର-ପଦ୍ମପୁର ଦେଇ ସଡ଼କ ପଥରେ ଲମିମେଡ଼ାକୁ ଯାତାୟାତର ସୁବିଧା ରହିଛି । ରେଳଦ୍ୱାରା ମଧ୍ୟ ଏଠାକୁ ଯାଇହେବ । ଏହାର ନିକଟସ୍ଥ ରେଳ ଷ୍ଟେସନ ହେଉଛି ଗୁଣପୁର । ତେବେ ଉପଯୁକ୍ତ ପ୍ରଚାର ପ୍ରସାରର ଅଭାବ ତଥା ସରକାରଙ୍କ ଦୃଷ୍ଟି ଆଢୁଆଳରେ ସ୍ଥାନଟି ରହିଯାଉଥିବାରୁ ଠିକ୍ ଭାବେ ବିକାଶ ହୋଇପାରୁନାହିଁ । ସରକାରଙ୍କ ତରଫରୁ ମୁଖ୍ୟ ରାସ୍ତାରେ ନାମଫଳକ, ତୋରଣ, ପ୍ରାକୃତିକ ଶୋଭା ଉପଭୋଗ କରିବା ନିମନ୍ତେ ଆସନ, ପାର୍କ ନିର୍ମାଣ କରାଗଲେ ଏହି ସ୍ଥାନର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହେବା ସହ ଆଦିବାସୀ ସଂସ୍କୃତିର ବିକାଶ ଘଟିପାରନ୍ତା ।




Powered by odothemes.com