singhpur_nadi-pathare-Anganwadi

ବିଞ୍ଝାରପୁରରେ ମହିଳା ଓ ଶିଶୁ ବିକାଶ ଯୋଜନା ଦିଗହରା

65

ସିଂହପୁର(ଆପ୍ର): ବିଞ୍ଝାରପୁରରେ ମହିଳା ଓ ଶିଶୁବିକାଶ କାର୍ଯ୍ୟକ୍ରମ ଦିଗହରା ହୋଇପଡ଼ିଛି । ବ୍ଲକରେ ୩ଶହରୁ ଊଦ୍ଧ୍ୱର୍ ଅଙ୍ଗନୱାଡି ଥିବା ବେଳେ ନିଜସ୍ୱ ଗୃହ ନଥିବା ଓ କିଛି ସ୍ଥାନରେ ନିର୍ମାଣ ଶେଷ ପରେ ଠିକାଦାର ଚାବି ପକାଇବାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରଣପୁର ପଞ୍ଚାୟତ କଣ୍ଟିପୁର ବେହେରାସାହିରେ । ଖବର ମୁତାବକ, ବିଞ୍ଝାରପୁର ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ୍ ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯାଇଥିଲା । ଏନେଇ ପୂର୍ବତନ ସିଡିପିଓଙ୍କ ସମୟରେ ସର୍ଭେ କରାଯାଇ ଭିତ୍ତିଭୂମୀ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ଗୃହ ନିର୍ମାଣ ଆରମ୍ଭ ହୋଇଥିଲା । ସେଥି ମଧ୍ୟରୁ କିଛି ସ୍ଥାନରେ ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ବେଳେ କିଛି ସ୍ଥାନରେ ଗୃହ ନିର୍ମାଣ ସରିଥିଲେ ମଧ୍ୟ ଏହାକୁ ଠିକାଦାର ଚାବି ପକାଇ ରଖିଛନ୍ତି । ସେଥି ମଧ୍ୟରୁ ରଣପୁର ପଞ୍ଚାୟତ କଣ୍ଟିପୁର ବେହେରାସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଦେଖିବାକୁ ମିଳିଛି । ବେହେରାସାହି ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ ସରିଥିବା ବେଳେ ଠିକାଦାର ତାଲା ପକାଇ ରଖିଛି । ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଏହିଭଳି ଏକାଧିକ ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରଗୃହ ତାଲା ପଡ଼ି ରହିଛି । ସେହିପରି କେତେକ ସ୍ଥାନରେ ଗୃହ ନିର୍ମାଣ ପାଇଁ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇ ନିର୍ମାଣ ଅବଧି ଅତିକ୍ରମ ସତ୍ତ୍ୱେ କିଛି ସ୍ଥାନରେ କେନ୍ଦ୍ରର ମୁଳଦୁଆ ପଡ଼ିନି ତ କିଛି ଜାଗାରେ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଛି । ଆଉ କେତେକ ସ୍ଥାନରେ ନଦୀପଠା ଭଳି ସ୍ଥାନରେ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ କରାଯାଇଛି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମଲ୍ଲୀପୁର ଗ୍ରାମରେ । ଜଗନ୍ନାଥପୁର-ମଲ୍ଲୀପୁର ପ୍ରାଥମିକ ବିଦ୍ୟାଳୟ ପଛରେ ଥିବା ନଦୀପଠାରେ ଏହି ନୂତନ ଗୃହଟି ନିର୍ମିତ ହୋଇଥିବା ଦେଖିବାକୁ ମିଳିଛି । ମାତ୍ର ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯେଉଁଥିପାଇଁ କୁନିକୁନି ପିଲାଙ୍କୁ ୧କି.ମି ଦୁରରେ ଥିବା ବିଦ୍ୟାଳୟରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ପଡୁଥିବା ଦେଖିବାକୁ ମିଳିଛି । ତେବେ ପ୍ରାୟ ସମସ୍ତ ବ୍ଲକରେ ଏହି ଯୋଜନା ଦିଗହରା ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି । ତେଣୁ ଯଥାଶୀଘ୍ର ଏହି ସମସ୍ତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ବନ୍ଦ ପଡ଼ିଥିବା କେନ୍ଦ୍ରର ଚାବି ହସ୍ତାନ୍ତର କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com